ଭୁବନେଶ୍ୱର/ବାରିପଦା ୨୦/୦୯:  ନ୍ୟାସନାଲ ଜିଓଗ୍ରାଫିକ୍‌ ପତ୍ରିକାର ଆସନ୍ତା ମାସ ସଂସ୍କରଣର ପ୍ରଚ୍ଛଦପୃଷ୍ଠାରେ ଓଡ଼ିଶାର କଳା  ବାଘ(ମେଲାନିଷ୍ଟିକ) ଫଟୋ ସ୍ଥାନିତ ହୋଇଛି ।  ଇନ୍‌ ବ୍ରିଡ଼ିଂର ଶିକାର କଳାବାଘର କାହାଣୀ  ଅନ୍ତର୍ଜାତୀୟ ପତ୍ରିକାରେ ଛପାଯାଇଛି ।

ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ  କହିଛନ୍ତି, ଶିମିଳିପାଳ ଅଭୟାରଣ୍ୟରେ ଏବେ ୧୮ଟି  ବିରଳ ପ୍ରଜାତି ବାଘ ଅଛନ୍ତି । ବିଶ୍ୱସ୍ତରୀୟ ପତ୍ରିକାରେ  ଏହାର କାହାଣୀ ସ୍ଥାନ ପାଇବା ଓଡ଼ିଶା ପର୍ଯ୍ୟଟନ ପାଇଁ ଏକ ନୂଆ ଦିଗନ୍ତ । ବିରଳ କଳାବାଘଙ୍କ  କାହାଣୀ ବିଶ୍ୱର କୋଟି କୋଟି ଲୋକ ପଢିବେ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ପ୍ରଂଶସା କରିଛନ୍ତି । ‘ଏକ୍ସ’ରେ ଉଲ୍ଲେଖ  କରିଛନ୍ତି, ଶିମିଳିପାଳର ଏହି ଅଦ୍ଭୁତ ବ୍ଲାକ ବିଉଟିକୁ ବିଶ୍ୱସ୍ତରୀୟ ପତ୍ରିକା ପ୍ରଚ୍ଛଦପଟରେ ଦେଖି ଆନନ୍ଦିତ ହେଲି । ଓଡ଼ିଶାର ହୃଦ୍‌ସ୍ପନ୍ଦନ  ଶିମିଳିପାଳରେ ଭୂ-ଦେବୀଙ୍କ ଦ୍ୱାରା ଆଛାଦିତ  ଅନନ୍ୟ ଉଦ୍ଭିଦ ଓ ବନ୍ୟପ୍ରାଣୀମାନେ  ଫଟୋଗ୍ରାଫର ଓ ପ୍ରକୃତିପ୍ରେମୀଙ୍କୁ ଆକର୍ଷିତ  କରନ୍ତି । ଏହି କଳାବାଘର ଚମତ୍କାର କାହାଣୀ  ରଚିତା ତଥା ଭାରତୀୟ ଫଟୋଗ୍ରାଫର  ପ୍ରସନ୍ନଜିତଙ୍କୁ ଅଶେଷ ଅଭିନନ୍ଦନ । ତୁମ  ପ୍ରତିବଦ୍ଧତା ଆଗାମୀ ପିଢ଼ି ପାଇଁ ପ୍ରେରଣା ସାଜିବ ।  

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଏକ୍ସରେ ଲେଖିଛନ୍ତି, ପ୍ରକୃତରେ ଓଡ଼ିଶା ପାଇଁ  ଏକ ଗର୍ବର ମୁହୂର୍ତ୍ତ । ଏହା ଜାଣି ମୁଁ ଖୁସି ହେଲି ।  ମେଲାନିଷ୍ଟିକ୍‌ ବାଘର ଏହି ମନୋରମ ଫଟୋଚିତ୍ରକୁ  କଏଦ କରିଥିବାରୁ ଭାରତୀୟ ଫଟୋଗ୍ରାଫର  ପ୍ରସନ୍ନଜିତଙ୍କୁ ଧନ୍ୟବାଦ । ବିରଳ ପ୍ରଜାତି ବାଘର  ଝଲକ ପାଇଁ ୨୦୨୪ ଜାନୁଆରୀରେ ଆମ ସରକାର  ବାରିପଦାରେ ବିଶ୍ୱର ପ୍ରଥମ ମେଲାନିଷ୍ଟିକ୍‌ ଟାଇଗର ସଫାରି ଘୋଷଣା କରିଥିଲେ ।

 

ନ୍ୟାସନାଲ୍‌ ଜିଓଗ୍ରାଫିକ୍‌ ଏକ୍ସପ୍ଲୋରର୍‌ ତଥା  ଫଟୋଗ୍ରାଫର ପ୍ରସନ୍ନଜିତ୍‌ କହିଛନ୍ତି, ନ୍ୟାସନାଲ  ଜିଓଗ୍ରାଫିକ୍‌ ପାଇଁ ଦେଶ ଭିତରେ ଓ ଦକ୍ଷିଣ  ଆମେରିକା, ମଙ୍ଗୋଲିଆ, କିରଗିଜସ୍ଥାନ ଭଳି  ଦେଶରେ ୧୦ ବର୍ଷ ହେଲା କାମ କରୁଛି । ଗତବର୍ଷ  ଶୀତ ଦିନେ ଶିମିଳିପାଳରେ ୪ମାସର ରହଣି  ବେଳେ କଳାବାଘକୁ ନିକଟରୁ ପରଖିଛି । ଇନ୍‌ ବ୍ରିଡ଼ିଂ ଯୋଗୁଁ ମେଲେନାଷ୍ଟିକ୍‌ ବଂଶ ବଢ଼ିଚାଲିଛି ।  ଏସବୁ ବାଘର ରୋଗପ୍ରତିରୋଧକ ଶକ୍ତି  ଯଥେଷ୍ଟ କମ୍‌ ଯାହାକି, ବାଘବଂଶ ପାଇଁ ଘାତକ  ଆଉ ଚିନ୍ତାର ବିଷୟ । ଅବଶ୍ୟ ମହାରାଷ୍ଟ୍ରର  ତଡ଼ଭା-ଅନେ୍ଧରୀ ଅଭୟାରଣ୍ୟରୁ ୨ ମହାବଳ  (ଜିନତ୍‌, ଯମୁନା)କୁ ଶିମିଳିପାଳ ଅଣାଗଲେ,  ଇନ୍‌ ବ୍ରିଡିଂ ସମସ୍ୟା କମିବ ବୋଲି ଆଶା ।

କଳାବାଘ ସଫାରୀ ସ୍ୱପ୍ନ

ବିଶ୍ୱର ପ୍ରଥମ କଳା ବାଘ ସଫାରୀ  ବାରିପଦାରେ ହେବ । ଅଭୟାରଣ୍ୟଠାରୁ  ୧୫ କିମି ଦୂରରେ ମଞ୍ଚାବନ୍ଧା ସଂରକ୍ଷିତ  ଜଙ୍ଗଲର ୨୦୦ ହେକ୍ଟର ଜମିରେ  ନିର୍ମିତ ସଫାରିରେ କଳାବାଘ ରହିବେ ।  ଗତବର୍ଷ ଡିସେମ୍ବର ସୁଦ୍ଧା ପର୍ଯ୍ୟଟକମାନେ  ସଫାରି କଳାବାଘ ଦେଖିପାରିବେ ବୋଲି  ଯୋଜନା କରିଥିଲା ବନ ବିଭାଗ । କିନ୍ତୁ  କଳାବାଘ ସଫାରୀ ସ୍ୱପ୍ନ ପାଲଟିଛି।