୨୦୨୨ର ବିଶ୍ବ ଦିନିକିଆ ଏକାଦଶ ଷୋଷଣା କଲା ICC, ଭାରତରୁ ରହିଛନ୍ତି ଏହି ଦୁଇ କ୍ରିକେଟର୍

- ଭାରତରୁ ଆୟର ଓ ସିରାଜ
- ୧୭ ମ୍ୟାଚରୁ ଶ୍ରେୟସ କରିଛନ୍ତି ୭୨୪ ରନ୍
- ୧୫ ମ୍ୟାଚ ଖେଳି ସିରାଜ ନେଇଛନ୍ତି ୨୪ ଓ୍ବିକେଟ୍
ନୂଆଦିଲ୍ଲୀ ୨୪/ ୦୧: ଟ୍ବେଣ୍ଟି ଟ୍ବେଣ୍ଟି ପରେ ମଙ୍ଗଳବାର ୨୦୨୨ ବର୍ଷର ଦିନିକିଆ ବିଶ୍ବ ଏକାଦଶ (ODI Team of the Year) ଘୋଷଣା କରିଛି । ଯେଉଁଥିରେ ଦୁଇ ଭାରତୀୟ କ୍ରିକେଟରଙ୍କୁ ସାମିଲ କରିଛି ICC । ୨୦୨୨ରେ ଭାରତୀୟ ବ୍ୟାଟର୍ ଶ୍ରେୟସ ଆୟରଙ୍କ ପ୍ରଦର୍ଶନ ବେଶ୍ ଉଚ୍ଚକୋଟିର ଥିଲା । ସେଥିପାଇଁ ଆଇସିସି ତାଙ୍କୁ ଟିମ୍ରେ ନେଇଛି । ସେହିଭଳି ନିଜ ବୋଲିଂ ଶୈଳୀରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ମଧ୍ୟ ନେଇଛି ଆଇସିସି ।
ଦିନିକିଆ ବିଶ୍ବ ଏକାଦଶରେ ପାକିସ୍ତାନର ବାବର ଆଜମଙ୍କୁ ଅଧିନାୟକ ଭାବେ ନେଇଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ । ଭାରତ, ନ୍ୟୁଜିଲାଣ୍ଡ, ଓ୍ବେଷ୍ଟଇଣ୍ଡିଜ୍, ଅଷ୍ଟ୍ରେଲିଆରୁ ଦୁଇ ଜଣ ଲେଖାଏଁ ଥିବା ବେଳେ ଜିମ୍ବାଓ୍ବେ, ପାକିସ୍ତାନ ଏବଂ ବାଂଲାଦେଶରୁ ଜଣେ ଲେଖାଏଁ କ୍ରିକେଟର୍ ରହିଛନ୍ତି । ଗୋଟିଏ ବର୍ଷରେ ଯେଉଁ କ୍ରିକେଟର (ବ୍ୟାଟର୍ ଓ ବୋଲର) ନିଜ ଦକ୍ଷତା ବଳରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ବିଶ୍ବ ଏକାଦଶରେ ସାମିଲ କରିଥାଏ ICC।
ଶ୍ରେୟସ ଆୟର:
ଗତ ବର୍ଷ ଦିନିକିଆରେ, ଶ୍ରେୟସ ଆୟର ଭାରତର ମିଡିଲ୍ ଅର୍ଡର ବ୍ୟାଟିଂକୁ ଶକ୍ତ କରିପାରିଥିଲେ । ୪ନଂ ରେ ବ୍ୟାଟିଂ ଆଶି ମୋଟ ୧୭ଟି ଇନିଂସ ଖେଳିଥିବା ବେଳେ ୯୧.୫୨ ହାରରେ ୭୨୪ ରନ କରିଥିଲେ । ଯେଉଁଥିରେ ଗୋଟିଏ ଶତକ ଏବଂ ୬ଟି ଅର୍ଦ୍ଧଶତକ ସାମିଲ ଅଛି । ଆଗକୁ ଦିନିକିଆ ବିଶ୍ବକପ ଥିବାରୁ ଶ୍ରେୟସ ଆୟର ନିୟମିତ ଖେଳାଳି ଭାବେ ଦଳରେ ରହିବାକୁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି ।
ମହମ୍ମଦ ସିରାଜ:
ଟିମ୍ ଇଣ୍ଡିଆର ଜଣେ ନିର୍ଭରଯୋଗ୍ୟ ବୋଲର ଭାବେ ଉଭା ହୋଇଛନ୍ତି ମହମ୍ମଦ ସିରାଜ । ଗତ ବର୍ଷ ସେ ନିଜ ବୋଲିଂ ଶୈଳୀରେ ବଡ ବଡ ଟିମ୍କୁ ପ୍ରଭାବିତ କରିପାରିଥିଲେ । ପ୍ରମୁଖ ବୋଲର ଜସପ୍ରୀତ ବୁମରାହ ଆହତ କାରଣରୁ ଅନୁପସ୍ଥିତ ରହିଥିବା ବେଳେ ତାଙ୍କ ଅନୁପସ୍ଥିତିକୁ ଅନୁଭବ କରିବାକୁ ଦେଇନାହାନ୍ତି ସିରାଜ । ଗତବର୍ଷ ଅର୍ଥାତ ୨୦୨୨ରେ ସିରାଜ ମୋଟ ୧୫ଟି ଦିନିକିଆ ଖେଳିଥିବା ବେଳେ ୨୪ଟି ଓ୍ବିକେଟ ନେଇଥିଲେ । ସିରାଜଙ୍କ ବେଷ୍ଟ ଫିଗର୍ ରହିଥିଲା ୨୯/ ୩।
ବର୍ଷ ୨୦୨୨ ପାଇଁ ଆଇସିସିର ବିଶ୍ବ ଏକାଦଶ:
ବାବର ଆଜମ (ଅଧିନାୟକ) (ପାକିସ୍ତାନ), ଟ୍ରେଭିସ୍ ହେଡ୍ (ଅଷ୍ଟ୍ରେଲିଆ), ସାଇ ହୋପ୍ (ଓ୍ବେଷ୍ଟଇଣ୍ଡିଜ୍), ଶ୍ରେୟସ ଆୟର (ଭାରତ), ଟମ୍ ଲାଥାମ (ନ୍ୟୁଜିଲାଣ୍ଡ), ସିକନ୍ଦର ରାଜା (ଜିମ୍ବାଓ୍ବେ), ମେହିଦୀ ହାସନ ମିର୍ଜା (ବାଂଲାଦେଶ), ଅଲଜାରୀ ଜୋସେଫ୍ (ଓ୍ବେଷ୍ଟଇଣ୍ଡିଜ୍), ମହମ୍ମଦ ସିରାଜ (ଭାରତ), ଟ୍ରେଷ୍ଟ ବୋଲ୍ଟ (ନ୍ୟୁଜିଲାଣ୍ଡ) ଏବଂ ଆଡାମ୍ ଜାମ୍ପା (ଅଷ୍ଟ୍ରେଲିଆ)
ପଢନ୍ତୁ ଏହି ଖବର: ଆମେରିକାରେ ଭାରତୀୟ ଆଇଟି ପେସାଦାର କଲବଲ: ଚାକିରି ଯିବା ପରେ ଶେଷ ହେଉଛି ଭିସା ଅବଧି, ଘରବାହୁଡା ଅନ୍ତିମ ବିକଳ୍ପ