ଜେଲ୍ରେ ସିସୋଦିଆଙ୍କ ପାଖରେ ଫୋନ୍ ? ତିହାରରେ ବନ୍ଦ ଥିବା ଆପ୍ ନେତାଙ୍କ ଟ୍ବିଟ୍କୁ ନେଇ ବିବାଦ ; ପ୍ରଶ୍ନ ଉଠାଇଲା ବିଜେପି

ନୂଆଦିଲ୍ଲୀ,୯।୩: ମଦ ଦୁର୍ନୀତି ମାମଲାରେ ଗିରଫ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟ୍ବିଟର ଆକାଉଣ୍ଟରୁ କରାଯାଇଥିବା ଏକ ଟ୍ବିଟକୁ ନେଇ ହଙ୍ଗାମା ଜାରି ରହିଛି। ତିହାର ଜେଲ୍ରେ ବନ୍ଦ ଥିବା ସିସୋଦିଆଙ୍କ ଟ୍ବିଟ୍ ପରେ ବିଜେପି ପକ୍ଷରୁ ପ୍ରଶ୍ନ ଉଠାଯାଇଛି ଯେ, ଜେଲ୍ରେ ପୂର୍ବତନ ମନ୍ତ୍ରୀଙ୍କ ପାଖରେ ମୋବାଇଲ ଫୋନ୍ ରହିଛି ? ଏହି ନୂଆ ବିବାଦ ଏଭଳି ସମୟରେ ସୃଷ୍ଟି ହୋଇଛି ଯେତେବେଳେ ‘ଆପ୍ ଦାବି କରିଛି’ ଜେଲ୍ରେ ସିସୋଦିଆଙ୍କୁ ଦୁର୍ଦାନ୍ତ ଅପରାଧୀଙ୍କ ଆଖପାଖରେ ରଖାଯାଇଛି ଓ ତାଙ୍କର ହତ୍ୟା କରାଯାଇପାରେ।
ମନୀଷ ସିସୋଦିଆ ବୁଧବାର ସନ୍ଧ୍ୟା ୫ଟା ୩୫ରେ ଟ୍ବିଟ୍ କରିଛନ୍ତି। ୨୮ ଫେବୃଆରୀ ପରେ ପ୍ରଥମ ଥର ତାଙ୍କ ଆକାଉଣ୍ଟରୁ ଅନେକ ଟ୍ବିଟ୍ କରାଯାଇଛି। ଏଥିରେ ଲେଖାଯାଇଛି, ଆଜି ପର୍ଯ୍ୟନ୍ତ ଶୁଣାଯାଇଥିଲା ଯେ ଦେଶରେ ସ୍କୁଲ ଯଦି ଖୋଲେ ତେବେ ଜେଲ୍ ବନ୍ଦ ହୋଇଯାଇଥାଏ।’ ଟ୍ବିଟ୍ ପରେ ବହୁ ପ୍ରକାର ପ୍ରଶ୍ନ ଉଠିବାରେ ଲାଗିଛି। ପଚରା ଯାଉଛି ଯେ, କ’ଣ ସିସୋଦିଆ ନିଜେ ଏହି ଟ୍ବିଟ୍ କରିଛନ୍ତି କିମ୍ବା ତାଙ୍କ ପକ୍ଷରୁ ଆଉ କେହି ଏଭଳି କରିଛନ୍ତି। ଏହା ମଧ୍ୟ ପଚରା ଯାଉଛି ଯେ, ଯଦି ତାଙ୍କ ଟିମ୍ ଟ୍ବିଟର ଆକାଉଣ୍ଟ ସମ୍ଭାଳିଥାନ୍ତି ତେବେ ୨୮ରେ ଗିରଫ କରାଯିବା ପରେ ଟ୍ବିଟ୍ କାହିଁକି ବନ୍ଦ ହୋଇଯାଇଥିଲା ?