PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ ଲଜପତ୍‌ ନଗର ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ
  • ||
  • ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ପାରିତ, ମୋ ଘର ଯୋଜନା ପ୍ରସ୍ତାବରେ ବାଜିଲା ମୋହର
  • ||
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା: ବିହା ମଡୁଆ ଥିଁ ହର ପାର୍ବତୀ

ସମ୍ବଲପୁର, ୨୫/୦୫: ମର୍ତ୍ତ୍ୟରେ ସ୍ୱର୍ଗର ନୀତି । ଦେବ, ଦାନବ, ଗନ୍ଧର୍ବ, କିନ୍ନରଙ୍କ ସମାଗମରେ ସାରା ସମ୍ବଲପୁର ଏବେ ଦେବଭୂମିରେ ପରିଣତ ହୋଇଛି। ଆଉ ସମସ୍ତଙ୍କ ଉପସ୍ଥିତିରେ ସେହି ମହାର୍ଘ୍ୟ ମୁହୂର୍ତ୍ତ ଆସି ପହଞ୍ଚି ଯାଇଛି । ଆକର୍ଷଣୀୟ ପରଭା ସମ୍ମୁଖରେ ସୁନା ରୁପାରେ ବିମଣ୍ଡିତ ହୋଇ ବରବେଶରେ ଶୋଭାଯାତ୍ରାରେ ବାହାରି ଡମ୍ବରୁଧର ପହଞ୍ଚିଛନ୍ତି ମାତା ପାର୍ବତୀଙ୍କ ଘରେ । ଆଉ ବ୍ରହ୍ମ ମୁହୂର୍ତ୍ତରେ ଶୁଭ ଲଗ୍ନରେ କୈଳାସପତିଙ୍କ ସହ ମାତା କୈଳାସିନୀଙ୍କ ମଧ୍ୟରେ ପଡିଛି ହାତଗଣ୍ଠି । ବିଶ୍ୱ ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀର ସେହି ପବିତ୍ର ବିବାହର ରୀତି ସଂପନ୍ନ ହୋଇଛି ।

ବୁଧବାର ଦିନତମାମ ଉଭୟ ବର ଏବଂ କନ୍ୟା ଘର ଚଳଚଞ୍ଚଳ ହୋଇ ଉଠିଥିଲା । ସକାଳେ ଗତବର୍ଷର କନ୍ୟାପିତାମାତାଙ୍କ ଗଣ୍ଠାଳ ଫିଟା ପରେ ଏବର୍ଷର କନ୍ୟାପିତାମାତାଙ୍କୁ ପାର୍ବତୀଙ୍କ ବିଗ୍ରହ ହସ୍ତାନ୍ତର କରାଯାଇଥିଲା । କନ୍ୟା ଘରେ ହଳଦୀ ଖେଳ, ଗନ୍ଧଷଣ, ତୈଳାଭିଷେକ ଆଦି ସମସ୍ତ ନୀତି ସଂପନ୍ନ ହେବା ପରେ ସନ୍ଧ୍ୟାରେ ମାତା ପାର୍ବତୀଙ୍କୁ ବିଭିନ୍ନ ଅଳଙ୍କାର ଆଭୂଷଣରେ ଭୂଷିତ କରି କନ୍ୟା ବେଶରେ ସଜ୍ଜିତ କରାଯାଇଥିଲା । ସେହିପରି ସବୁ ମନ୍ଦିରରେ ମହାଦେବଙ୍କ ରୁଦ୍ରାଭିଷେକ, ତୈଳାଭିଷେକ ଆଦି ସମସ୍ତ ନୀତି ସଂପନ୍ନ ହୋଇ ରାତିରେ ବରବେଶରେ ସଜ୍ଜିତ କରାଯାଇଥିଲା ।

ଆଉ ରାତିରେ ମହାଦେବ ଆକର୍ଷଣୀୟ ପରଭା ସମ୍ମୁଖରେ ବିରାଜମାନ କରିଥିଲେ । ଏହାପରେ ମହା ଆଳତୀ ଅନୁଷ୍ଠିତ ହୋଇ ବରଯାତ୍ରୀ ଶୋଭାଯାତ୍ରା କନ୍ୟା ଘର ଅଭିମୁଖେ ବାହାରିଥିଲା । ଏଥିରେ ଘଣ୍ଟ, ଘଣ୍ଟା, ଦୁଲଦୁଲି, ସଂପ୍ରଦା, ଯୋଡି ଶଙ୍ଖ ଆଦି ରାଜ୍ୟ ସମେତ ରାଜ୍ୟ ବାହାରର ବିଭିନ୍ନ ସାଂସ୍କୃତିକ ଦଳ ଏବଂ ଆଧୁନିକ ନୃତ୍ୟ ଦଳ ସାମିଲ ହୋଇଛନ୍ତି । ସେହିପରି ବିଭିନ୍ନ ପ୍ରକାରର ପ୍ରଜ୍ଞାପନ ମେଢ, ସଚେତନତାଧର୍ମୀ ମେଢ଼ ବି ଏହି ଶୋଭାଯାତ୍ରାର ଆକର୍ଷଣ ବଢାଇଛି । ନନ୍ଦପଡ଼ାର ବଂ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ଏହି ଶୋଭାଯାତ୍ରା ମନ୍ଦିର ପରିସରରୁ ବାହାରି କନ୍ୟା ପିତାମାତା ବୁଢାରଜା ଜଗନ୍ନାଥ କଲୋନି ନିବାସୀ ରାଜେନ୍ଦ୍ର ନନ୍ଦଙ୍କ ଘରେ ପହଞ୍ଚିବା ପରେ ବିବାହ ସମ୍ପନ୍ନ ହୋଇଥିଲା ।

ସେହିପରି ଝାଡୁଆପଡ଼ାର ଲୋକନାଥ ବାବାଙ୍କ ଶୋଭାଯାତ୍ରା ମନ୍ଦିର ପରିସରରୁ ବାହାରି କୁଞ୍ଜେଲପଡା, ପଟ୍ଟନାୟକ ପଡ଼ା ଦେଇ କନ୍ୟା ପିତାମାତା ଘର ବସୁନ୍ଧରା ନର୍ସିଂହୋମ ସ୍ଥିତ ଡାକ୍ତର ଗିରିଶ ଚନ୍ଦ୍ର ବେହେରା ଏବଂ ଡାକ୍ତର ରେଣୁକା ସାହୁଙ୍କ ଘରେ ପହଞ୍ଚିଥିଲେ । ସେଠାରେ ସଂପୂର୍ଣ ଲୋକାଚାରରେ ବିବାହ ନୀତି ଅନୁଷ୍ଠିତ ହୋଇଯାଇଛି । ମୁଦିପଡ଼ାର ଜାଗେଶ୍ୱର ବାବାଙ୍କ ଶୋଭାଯାତ୍ରା ମନ୍ଦିର ସମ୍ମୁଖରୁ ବାହାରି ପଦ୍ମକେଶରୀ ପାର୍କ, ପାଣିଟାଙ୍କି ଛକ, ଚର୍ଚ୍ଚ ଛକରୁ ଲକ୍ଷ୍ମୀ ଟକିଜ ଛକ ଦେଇ କନ୍ୟା ପିତାମାତା ଏସ୍‌.ମନୋଜଙ୍କ ଦ୍ୱାରା ଆୟୋଜିତ ହୋଟେଲ ଉପହାର ପ୍ୟାଲେସରେ ପହଞ୍ଚିଥିଲା । ସେଠାରେ ଶୁଭ ମୁହୂର୍ତ୍ତରେ ବିବାହ ସଂପନ୍ନ ହୋଇଛି ।

ଏହାବାଦ୍‌ ବଡ଼ବଜାର ଶୀତଳେଶ୍ୱର ବାବାଙ୍କ ଶୋଭାଯାତ୍ରା ମନ୍ଦିର ନିକଟସ୍ଥ ରିଂରୋଡ ସ୍ଥିତ କନ୍ୟା ପିତାମାତା କିଶୋର ପ୍ରଧାନ ଏବଂ ରିଙ୍କି ପ୍ରଧାନଙ୍କ ଘରେ ପହଞ୍ଚି ବିବାହ ନୀତି ସଂପନ୍ନ ହୋଇଛି । ଠାକୁରପଡାର ଗୁପ୍ତେଶ୍ୱର ବାବାଙ୍କ ବରଯାତ୍ରୀ ଶୋଭାଯାତ୍ରା ଶାନ୍ତିନଗର ଭୀମ ଭୋଇ ପାର୍କ ନିକଟସ୍ଥ ରାଧେଶ୍ୟାମ ମିଶ୍ର ଏବଂ ପିଙ୍କି ମିଶ୍ରଙ୍କ ଘରେ ପହଞ୍ଚିଥିଲା । ଦୁର୍ଗାପାଲି ଗୁଡ଼େଶ୍ୱର ବାବାଙ୍କ ଶୋଭାଯାତ୍ରା କ୍ଷେତରାଜପୁର ସ୍ଥିତ ଦୁର୍ଗା ମଙ୍ଗଳମ କଲ୍ୟାଣ ମଣ୍ଡପରେ ରାୟପୁର ନିବାସୀ କନ୍ୟା ପିତାମାତା କାଞ୍ଚନ ଖୈତାନ ଏବଂ କୈଳାଶ ଖୈତାନଙ୍କ ଦ୍ୱାରା ଆୟୋଜିତ ମଣ୍ଡପକୁ ପହଞ୍ଚିଥିଲା । ବାଲିବନ୍ଧାର ସୋମନାଥ ବାବାଙ୍କ ଶୋଭାଯାତ୍ରା ଲକ୍ଷ୍ମୀ ଟକିଜ ଛକ ଗ୍ରୀନ ପାର୍କ ସ୍ଥିତ ହରିହର ମିଶ୍ର ଏବଂ ସୁଜାତା ମିଶ୍ରଙ୍କ ଘରକୁ ପହଞ୍ଚିଥିଲା । ଏହାଛଡ଼ା ସହରର ବୁଢ଼ାରଜାର ପାହାଡ଼େଶ୍ୱର ବାବାଙ୍କ ଶୋଭାଯାତ୍ରା ଭୀମ ଭୋଇ ପାର୍କ ଶଙ୍କର ନଗର ସ୍ଥିତ ଜୟକୃଷ୍ଣ ନାୟକ ଏବଂ ଜ୍ୟୋତିର୍ମୟୀ ମିଶ୍ରଙ୍କ ଘରେ ପହଞ୍ଚିଥିଲା । ସେହିପରି କୁଲୁତକାନିର କଳ୍ପେଶ୍ୱର, ମାନେଶ୍ୱରର ମାନଧାତା ବାବା ସମେତ ବରେଇପାଲି, ସିନ୍ଦୁରପଙ୍କର ତାରକେଶ୍ୱର ବାବା ଆଦି ୨୦ଟି କମିଟିର ଶୋଭାଯାତ୍ରାରେ ସହର ଦୁଲୁକି ଉଠିଛି ।

ବିବାହ ପରେ ଗୁରୁବାର ରାତିରେ ଯୁଗଳ ମୂର୍ତ୍ତି ଶୋଭାଯାତ୍ରା ଅନୁଷ୍ଠିତ ହେବ ଏବଂ ଶୁକ୍ରବାର ସନ୍ଧ୍ୟାରେ ଦିଅଁ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ । ଏହି ଯାତ୍ରା ପାଇଁ ସାରା ସମ୍ବଲପୁର ସହର ପୁଲିସ ଛାଉଣୀରେ ପରିଣତ ହୋଇଯାଇଛି ।