ନୂଆଦିଲ୍ଲୀ, ୨୯।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଖରା ଏବଂ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ସାଧାରଣ ଲୋକଙ୍କ ପାଇଁ ଶେଷ ଭରସା ପାଲଟିଛି ଏସି । ଘର ହେଉ କି ଅଫିସ୍ କିମ୍ବା କାର୍, ଆଜିକାଲି ଲୋକେ ୨୪ ଘଣ୍ଟା ଏସି ଭିତରେ ରହିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି, ଯେଉଁ ଏସି ଆପଣଙ୍କୁ ଆରାମ ଦେଉଛି, ତାହା ଆପଣଙ୍କ ଶରୀର ପାଇଁ କେତେ ମାରାତ୍ମକ ହୋଇପାରେ ? ଏସିରେ ଅଧିକ ସମୟ ରହିଲେ ଏହା ଶରୀର ଉପରେ କେଉଁ ପ୍ରଭାବ ପକାଏ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ବିଶେଷଜ୍ଞଙ୍କ ମତରେ, ଏସିରେ ରହିଲେ ଶରୀରରେ ଯନ୍ତ୍ରଣା ଆରମ୍ଭ ହୁଏ ! ଏସିରେ ଶୋଇଲେ ହାଡ଼ ଦୁର୍ବଳ ହୋଇଯାଏ ! ଏହା ପଛର ପ୍ରକୃତ ସତ ଜାଣନ୍ତୁ…

ଅନେକ ସମୟରେ ଆମେ ଶୁଣିବାକୁ ପାଉ ଯେ ଏସିର ଥଣ୍ଡା ପବନ ହାଡ଼କୁ ଦୁର୍ବଳ କରିଦିଏ । କିନ୍ତୁ ଡାକ୍ତରଙ୍କ ମତରେ ଏହା ସମ୍ପୂର୍ଣ୍ଣ ସତ ନୁହେଁ । ପ୍ରକୃତ କଥା ହେଉଛି, ଯେତେବେଳେ ଆମେ ଦୀର୍ଘ ସମୟ ଧରି ଅତ୍ୟଧିକ ଥଣ୍ଡା ପରିବେଶରେ ରହୁ, ସେତେବେଳେ ଆମ ଶରୀରର ମାଂସପେଶୀ ଗୁଡ଼ିକ ଶକ୍ତ ବା ଟାଇଟ୍ ହୋଇଯାଏ । ଏହି କାରଣରୁ ଗଣ୍ଠିରେ ଯନ୍ତ୍ରଣା ଏବଂ ଶରୀରରେ ଷ୍ଟିଫନେସ୍ ଅନୁଭବ ହୁଏ । ଯଦି ଆପଣଙ୍କୁ ପୂର୍ବରୁ ଗଣ୍ଠି ବାତ ବା ଆର୍ଥ୍ରାଇଟିସ ସମସ୍ୟା ଅଛି, ତେବେ ଏସିର ପବନ ଏହି ଯନ୍ତ୍ରଣାକୁ ଆହୁରି ବଢ଼ାଇ ଦେଇଥାଏ । ଏସିର ବ୍ୟବହାର କେବଳ ହାଡ଼ ନୁହେଁ, ବରଂ ଆପଣଙ୍କ ଫୁସଫୁସ୍ ଉପରେ ମଧ୍ୟ ପ୍ରଭାବ ପକାଏ । ଯଦି ଆପଣ ଏସିର ଫିଲ୍ଟରକୁ ନିୟମିତ ସଫା କରୁନାହାଁନ୍ତି, ତେବେ ସେଥିରେ ଧୂଳି, ବ୍ୟାକ୍ଟେରିଆ ଏବଂ ଫଙ୍ଗସ୍ ଜମା ହୋଇଯାଏ । ଏହି ଅପରିଷ୍କାର ପବନ ଶରୀର ଭିତରକୁ ଗଲେ ଆଲର୍ଜି ଏବଂ ଶ୍ୱାସକ୍ରିୟା ଜନିତ ଗମ୍ଭୀର ସମସ୍ୟା ଦେଖାଦେଇଥାଏ ।

​​​​​​​

ଏସି ରୁମ୍‌ରେ ବସିଲେ ଆମ ଶରୀରର ଆଦ୍ରତା କମିବାକୁ ଲାଗେ । ଏହା ଦ୍ୱାରା ଚର୍ମ ଶୁଷ୍କ ବା ଡ୍ରାଏ ହୋଇଯାଏ । କେବଳ ସେତିକି ନୁହେଁ, ଯେଉଁମାନେ ଦୀର୍ଘ ସମୟ ଏସିରେ ବସି ମୋବାଇଲ କିମ୍ବା ଲାପଟପ୍ ବ୍ୟବହାର କରନ୍ତି, ସେମାନଙ୍କ ଆଖିରେ ପୋଡ଼ାଜଳା ଏବଂ 'ଡ୍ରାଏ ଆଇ' ଭଳି ସମସ୍ୟା ଦେଖାଯାଏ । ଏସି ଭିତରେ ବସିଲେ ଆମକୁ ଶୋଷ କମ୍ ଲାଗେ, କିନ୍ତୁ ଆମ ଶରୀର ଭିତରୁ ଜଳୀୟ ଅଂଶ କ୍ରମାଗତ ଭାବେ କମିବାରେ ଲାଗେ । ଏହି କାରଣରୁ ଡିହାଇଡ୍ରେସନ ହୁଏ, ଯାହାର ସଂକେତ ସ୍ୱରୂପ ମୁଣ୍ଡବିନ୍ଧା, ଦୁର୍ବଳତା ଏବଂ ସବୁବେଳେ ଥକ୍କାପଣ ଅନୁଭବ ହୋଇଥାଏ । ବିଶେଷଜ୍ଞଙ୍କ ଅନୁସାରେ, ରାତିସାରା ଅତ୍ୟଧିକ କମ୍ ତାପମାତ୍ରାରେ ଏସି ଚଲାଇ ଶୋଇବା ଦ୍ୱାରା ନିଦର ଗୁଣବତ୍ତା ଖରାପ ହୁଏ । ଶରୀର ଗଭୀର ନିଦ୍ରା ପାଇପାରେ ନାହିଁ, ଫଳରେ ସକାଳୁ ଉଠିବା ପରେ ଶରୀରରେ ଯନ୍ତ୍ରଣା ଓ ଥକ୍କା ଲାଗିଥାଏ । ଏସି ଆରାମଦାୟକ ନିଶ୍ଚୟ, କିନ୍ତୁ ଏହାର ସଠିକ୍ ବ୍ୟବହାର ଜାଣିବା ଜରୁରୀ । ତେଣୁ ଏସିର ତାପମାତ୍ରାକୁ ସବୁବେଳେ ୨୪ରୁ ୨୬ ଡିଗ୍ରୀ ମଧ୍ୟରେ ରଖନ୍ତୁ । ନିୟମିତ ଭାବେ ଏସିର ସର୍ଭିସିଂ କରନ୍ତୁ । ପ୍ରଚୁର ପରିମାଣରେ ପାଣି ପିଅନ୍ତୁ । ଏସି ବନ୍ଦ କରିବା ପାଇଁ ରାତିରେ ସବୁବେଳେ ଟାଇମର୍ ବ୍ୟବହାର କରନ୍ତୁ । ମନେରଖନ୍ତୁ, ସାବଧାନତା ହିଁ ସୁସ୍ଥ ରହିବାର ସୂତ୍ର ।

ଆହୁରି ପଢ଼ନ୍ତୁ... Cooler Cleaning Tips: କୁଲରରୁ ଦୁର୍ଗନ୍ଧ ଆସୁଛି କି ? ଟାଙ୍କିରେ ପକାଇ ଦିଅନ୍ତୁ ଏହି ଜିନିଷ...