ଭୁବନେଶ୍ୱର,୨୭/୦୪ : ଏପ୍ରିଲ ମାସ ସରିଲା । ହାତରେ ଆଉ ମାତ୍ର ଗୋଟିଏ ମାସ । ଜୁନ୍‌ ପହିଲାରୁ ମୌସୁମୀ ଓଡିଶା ଛୁଇଁବ । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଏ ପର୍ଯ୍ୟନ୍ତ ଡ୍ରେନ୍‌ ସଫେଇ କାମ ସରିଲା ନାହିଁ । ମାତ୍ର କିଛି ସ୍ଥାନରେ ସଫା କରି ବସିଛି । ଫଳରେ ଏଥର ବି ବର୍ଷା ଋତୁରେ ରାଜଧାନୀ ବୁଡିବ । ବିଏମ୍‌ସି ପକ୍ଷରୁ ପ୍ରତି ବର୍ଷ ଡ୍ରେନ୍‌ ସଫେଇ ପାଇଁ ଜାନୁଆରୀ ମାସରେ ପକ୍ରିୟା ଆରମ୍ଭ ହୁଏ । ଫେବୃଆରୀ ସୁଦ୍ଧା ଚୂଡାନ୍ତ ଟେଣ୍ଡର ପରେ ଡ୍ରେନ୍‌ ସଫେଇ କାମ ଆରମ୍ଭ କରାଯାଏ । ହେଲେ ଚଳିତ ବର୍ଷ ଏହି ବିଏମସିର ପ୍ରକ୍ରିୟା ଧିମେଇ ଯାଇଛି । ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ସଫେଇ ଆରମ୍ଭ ହୋଇନାହିଁ । କେବଳ ଆନ୍ତଃନାଳକୁ ଛାଡିଲେ ବିଏମ୍‌ସି ମୁଖ୍ୟ ନାଳରୁ ମାତ୍ର ୫ ପ୍ରତିଶତ ସଫା କରିଛି । ହାତରେ ଆଉ ମାତ୍ର ଗୋଟିଏ ମାସ ବାକିଥିବା ବେଳେ ବିଏମ୍‌ସି ଏତେ ସବୁ ଡ୍ରେନ୍‌ କେବେ ସଫା କରିବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବର୍ତ୍ତମାନ ବିଏମ୍‌ସି ଅଧିନରେ ୧୧ଟି ମୁଖ୍ୟ ଡ୍ରେନ୍‌ ରହିଛି । ଏହାର ଦୈର୍ଘ୍ୟ ପ୍ରାୟ ୭୭ କିମି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏହି ନାଳ ସଫା ନ ହେଲେ ସହରରୁ ଆସୁଥିବା ପାଣି ନିଷ୍କାସନ ହୋଇ ପାରିବନାହିଁ । ଫଳରେ କୃତ୍ରିମ ବନ୍ୟା ସୃଷ୍ଟି ହେବ । ବର୍ଷା ଆରମ୍ଭ ହୋଇଗଲେ ଏ ସବୁ ଡ୍ରେନ୍‌ ସଫା କରିବା କଷ୍ଟକର । ସହରକୁ ଲାଗି ପୂର୍ତ୍ତ ବିଭାଗର ୩୫୭ କିମି ଡ୍ରେନ୍‌ ରହିଛି । ଏହି ଡ୍ରେନ୍‌ ସଫେଇ ଦାୟିତ୍ୱ ବିଏମସି ମୁଣ୍ଡରେ । ହେଲେ ଏଠି ବି ହାତ ବାଜିନି । ଫଳରେ ମୁଖ୍ୟ ରାସ୍ତାରେ ଏଥର ପାଣି ବୁଡିବା ଥୟ । ସୌଭାଗ୍ୟନଗର ଡ୍ରେନ୍‌ କାମ ସରିନି । ଏହା ମୁଣ୍ଡବିନ୍ଧାର କାରଣ ପାଲଟିବ ।

ସେହିପରି ମାଷ୍ଟରକ୍ୟାଣ୍ଟିନ ଏବଂ ବମିଖାଲ ଅବସ୍ଥା ନ କହିଲେ ଭଲ । ଏହାକୁ ଛାଡିଲେ ଏନ୍‌ଏଚ୍‌ ସଂଲଗ୍ନ ଡ୍ରେନ୍‌ ରହିଛି । ଇସ୍କନ ଆଗରେ ପାଣି ଜମୁଛି । ଇସ୍କନ ପାଇଁ ମେଗା ପ୍ଲାନ ପ୍ରସ୍ତୁତ କରାଯାଇଥିଲା । ଆଇଆଇଟି ରୁର୍‌କି ପ୍ଲାନିଂ ଅନୁସାରେ କାମ କରିବାକୁ ଯୋଜନା ହୋଇଥିଲା । ହେଲେ ଏହି କାମ ବି ଅଟକିଛି । ସେହିପରି ୱାର୍ଡ ନଂ ୪ ପାହଳ ଏବଂ ହସଂପାଳ ପାଖ ଏନ୍‌ଏଚ୍‌ ଓଭରବ୍ରିଜ୍‌ ତଳେ ପାଣି ଜମୁଛି । ଏହାକୁ ଛାଡିଲେ ଇଡ୍‌କୋର ବି ଡ୍ରେନ୍‌ ରହିଛି । ବିଏମ୍‌ସି ପକ୍ଷରୁ ପ୍ରାୟ ୬୦ଟି ଜାଗାରେ ଭର୍ଣ୍ଣାବିଲିଟି ପଏଣ୍ଟ ଚିହ୍ନଟ ହୋଇଛି । ଏସବୁ ଡ୍ରେନ୍‌ ସଫେଇକୁ ବିଏମ୍‌ସି ସର୍ବାଧିକ ଗୁରୁତ୍ୱ ଦେବା କଥା । ହେଲେ ତାହା କରାଯାଉନାହିଁ । ଭୁବନେଶ୍ୱର ଜଳବନ୍ଦୀକୁ ଆଖିରେ ରଖି ଏଥର ନଗର ଉନ୍ନୟନ ବିଭାଗ ସଫେଇ ପାଇଁ ସ୍ୱତନ୍ତ୍ର ମଞ୍ଜୁରୀ ଦେଇଛି । ପଇସା ବି ଆସିଗଲାଣି । ହେଲେ ସଫେଇ ହୋଇପାରୁନି ।

ଏହି ଖବରଟିକୁ ପଢନ୍ତୁ- Ratha Khala update : ରଥ ଖଳାରେ ତୁମ୍ବରେ ବିନ୍ଧ ଅନୁକୂଳ, ପନ୍ଦାରି ତିଆରି ଆରମ୍ଭ