ପୁରୀ, ୨୭/୦୪ : ପର୍ଯ୍ୟାୟ କ୍ରମେ ପ୍ରସ୍ତୁତ ହେଉଛି ରଥ ଚକ । ରବିବାର ରଥ ଖଳାରେ ତୁମ୍ବରେ ବିନ୍ଧ ଅନୁକୂଳ କରାଯାଇଛି । ନାହାକା ତୁମ୍ବରେ ସର୍ବପ୍ରଥମେ ବିନ୍ଧ ଅନୁକୂଳ ହୋଇଛି । ମାହାର୍ଦ୍ଦ ସମର୍ପଣ କରି ଶ୍ରୀଫଳ ଭାଙ୍ଗି ଅନୁକୂଳ ସହ ତିନି ରଥର ମୁଖ୍ୟ ବିଶ୍ୱକର୍ମା ନିହଣ ଓ ମୁଗୁର ସାହାଯ୍ୟରେ ତୁମ୍ଵରେ ବିନ୍ଧ ଖୋଦେଇର ଶୁଭାରମ୍ଭ କରିଥିଲେ । ଅନୁକୂଳ ପରେ ନିପୁଣ ବିଶ୍ୱକର୍ମାମାନେ ତିନି ରଥର ତୁମ୍ବ କାର୍ଯ୍ୟ ଜାରି ରଖିଛନ୍ତି ।
ରଥ ଖଳାରେ ନାହାକା ଚକକୁ ସ୍ୱତନ୍ତ୍ର ମାନ୍ୟତା । ଆଗେ ପ୍ରସ୍ତୁତ ହେବ ନାହାକା ଚକ । ତୁମ୍ବର ବିନ୍ଧ ଆୟତାକାର । ଏହାର ଲମ୍ବ ୩ ଇଞ୍ଚ ଓ ଓସାର ଦେଢ଼ ଇଞ୍ଚ ପ୍ରାୟ । ମଜଭୁତି ପାଇଁ ଦୁଇ ବିନ୍ଧର ମଝିରେ ଇଞ୍ଚେ ମାପର କାଠ ଛଡ଼ା ଯାଉଛି । ତୁମ୍ବ ଗୋଲେଇ କାର୍ଯ୍ୟ ଶେଷ ପରେ ୪୨ ତୁମ୍ବରେ ସୂତା ବାଡ଼ିଆ ସରିଲା । ତଳି ମହାରଣା ଓ ସୂତାର ମହାରଣା ମିଶି ଉକ୍ତ କାର୍ଯ୍ୟ ସମ୍ପନ୍ନ କଲେ । ବିଶ୍ୱକର୍ମାମାନେ ତୁମ୍ବରେ ବିନ୍ଧ କାର୍ଯ୍ୟ ଶେଷ କଲେ ଅର (ସ୍ପୋକ୍) ତୁମ୍ବ ବିନ୍ଧରେ ଭୁଞ୍ଜାଯାଇ ପହି (ରିମ୍) ଲାଗି ହେଲେ ଚକ ପ୍ରସ୍ତୁତ ହେବ । ଦୋଳବେଦୀ କମାର ଶାଳରେ ରବିବାର ପନ୍ଦାରି ତିଆରି ଆରମ୍ଭ କରିଛନ୍ତି କମାର ସେବକ ।
ରଥ ନାହାକା ଚକ ପାଇଁ ପନ୍ଦାରି ନିର୍ମାଣ ହେଉଥିବା କହିଛନ୍ତି ଅର୍ଜୁନ ମହାରଣା । ତୁମ୍ବ ଅର୍ଥାତ ଚକର ଭିତର ପାର୍ଶ୍ୱରେ ଲାଗିବ ପନ୍ଦାରି । ଆଗକୁ ତିଆରି ହେବ ପନ୍ଦାରି ଚାବି ଓ ବଳା । ପନ୍ଦାରିକୁ ମଜଭୁତ କରିବାକୁ ସେଥିରେ ଚାବି ପଡ଼ିବ । ଗୋଟିଏ ତୁମ୍ବରେ ଲାଗିବ ୨ଟି ଲେଖାଏଁ ପନ୍ଦାରି ଓ ବଳା । ଏସବୁ ଲୌହ ସାମଗ୍ରୀ ଚକକୁ ମଜଭୁତ କରେ । ଯେପରି ରଥ ଚାଳନା ସମୟରେ ଚାପ ପଡ଼ି ଚକର କୌଣସି କ୍ଷତି ହେବ ନାହିଁ ।
ଏହି ଖବରଟିକୁ ପଢନ୍ତୁ- Child marriage : ଭୁବନେଶ୍ଵରରେ ବାଲ୍ୟବିବାହ ଭଣ୍ଡୁର, ଥାନାରେ ବର ଅଟକ, ସିଡବ୍ଲ୍ୟୁସିରେ ନାବାଳିକା