ଭୁବନେଶ୍ଵର, ୦୪/୦୪ : ଯୁଦ୍ଧ ଯୋଗୁ ଏଲ୍ପିଜି ଯୋଗାଣ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ପାଇପ୍ ନାଚୁରାଲ ଗ୍ୟାସ୍ (ପିଏନ୍ଜି) ଭଳି ବିକଳ୍ପ ଇନ୍ଧନ ବ୍ୟବହାର କରିବାକୁ ଆହ୍ୱାନ ଦେଉଛନ୍ତି । ଏ ନେଇ ଭିତ୍ତିଭୂମି ଦୃଢ଼ୀକରଣ କରିବାକୁ ସିଟିଗ୍ୟାସ ଡିଷ୍ଟ୍ରିବ୍ୟୁଶନ (ସିଜିଡି) କମ୍ପାନିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ସବୁ ସହରାଞ୍ଚଳରେ ଆଗାମୀ ୩ ମାସରେ ପିଏନ୍ଜି ସଂଯୋଗ ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ହେଲେ ଜିଲ୍ଲା ସ୍ତରରେ ଚାଲିଥିବା ପାଇପ୍ ଲାଇନ୍ କାର୍ଯ୍ୟ ମନ୍ଥର ଥିବାରୁ ଏହି ସମୟ ଅବଧିରେ ପିଏନ୍ଜି ଯୋଗାଇବା କଷ୍ଟକର । ୮ ବର୍ଷରେ ରାଜ୍ୟରେ ମୋଟ ୩୨ ହଜାର ପିଏନ୍ଜି ଗ୍ରାହକ ରହିଛନ୍ତି । ୩ ମାସରେ ସବୁ ସହରକୁ ସଂଯୋଗ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ରାଜଧାନୀ ଭୁବନେଶ୍ୱର କଥା ଦେଖିଲେ, ୨୦୧୭ରୁ ରାଷ୍ଟ୍ରାୟତ୍ତ ଗେଲ୍ ଇଣ୍ଡିଆ ଲିମିଟେଡ ଗ୍ୟାସ୍ ପାଇପ୍ଲାଇନ କାମ ଆରମ୍ଭ କରିଥିଲା । ମାତ୍ର ଏବେ ସୁଦ୍ଧା ରାଜଧାନୀର ସବୁ ଅଞ୍ଚଳରେ ପିଏନ୍ଜି ସୁବିଧା ପହଞ୍ଚି ପାରିନାହିଁ । ଚନ୍ଦ୍ରଶେଖରପୁର,ପଟିଆ, ପୋଖରୀପୁଟ, ଜାଗମରା, ଡୁମୁଡୁମା, କଳିଙ୍ଗନଗର ଭଳି ଏରିଆରେ ଏବେ ଗ୍ରାହକଙ୍କୁ ପିଏନ୍ଜି ସୁବିଧା ମିଳୁଛି । ଅନ୍ୟପଟେ ରାଜଧାନୀର ରସୁଲଗଡ, ରସୁଲଗଡ ଶିଳ୍ପାଞ୍ଚଳ, ଆଚାର୍ଯ୍ୟବିହାର, ଜୟଦେବ ବିହାର, ଶହୀଦନଗର, ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସହ ଅନ୍ୟ ପ୍ରମୁଖ ଏରିଆ ଏବଂ ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଏହାର ସେବା ପହଞ୍ଚାଇବାକୁ ଦାବି ହେଉଛି । ଗତ ୮ ବର୍ଷ ହେବ କାମ ଆରମ୍ଭ ହୋଇଥିବା ବେଳେ ଅନେକ ସ୍ଥାନରେ ଅଧପନ୍ତରିଆ ହୋଇ କାମ ପଡି ରହିଛି । କେଉଁଠାରେ ପାଇପ୍ଲାଇନ ବିଛା ହୋଇଛି ତ କେଉଁଠାରେ ପିଏନ୍ଜି ସଂଯୋଗ ମିଳିନାହିଁ । ଅନ୍ୟପଟେ ଅନେକ ସ୍ଥାନକୁ ଏବେ ଯାଏ ଗ୍ୟାସ୍ ପାଇପ୍ଲାଇନ ହିଁ ବିଛାଯାଇନାହିଁ । ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଯଦି କାମ ଯଦି ଏତେ ମନ୍ଥର ତେବେ ରାଜ୍ୟର ଅନ୍ୟ ପ୍ରାନ୍ତରେ କାମ କିଭଳି ୩ ମାସରେ ସରିବ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି । କଟକର ସିଡିଏ ଏରିଆରେ ଏହି ସୁବିଧା ମିଳୁଛି । ସିଡିଏ ବାଦ୍ ଅନ୍ୟ ସ୍ଥାନରେ ଗ୍ରାହକ ପିଏନ୍ଜି ପାଉନାହାନ୍ତି । ଏବେ ଭୁବନେଶ୍ୱରରେ ୧୯ ହଜାରରୁ ଉର୍ଦ୍ଧ୍ୱ, କଟକରେ ୯ ହଜାର ଏବଂ ଅନ୍ୟ ସହରରେ ୫ ହଜାର ପିଏନ୍ଜି ଗ୍ରାହକ ରହିଛନ୍ତି ।
ଆହୁରି ପଢନ୍ତୁ- କୁନି କୁନି ପିଲାଙ୍କୁ ଖଡ଼ି ଛୁଆଁଇବେ ମୁଖ୍ୟମନ୍ତ୍ରୀ, ବଣ୍ଟା ହେବ କିଟ୍ ଓ ନୂଆ ବହି
ରାଜ୍ୟର ୩୦ ଜିଲ୍ଲାରେ ସେବା ଯୋଗାଇବା ଲାଗି ୫ଟି କମ୍ପାନିଙ୍କୁ ଦାୟିତ୍ୱ ମିଳିଛି । ଏଥି ମଧ୍ୟରେ ଗେଲ୍ ଇଣ୍ଡିଆ, ଗେଲ୍ ଗ୍ୟାସ୍ ଲିମିଟେଡ, ବିପିସିଏଲ୍, ଆଦାନି ଟୋଟାଲ୍ ଏବଂ ମେଘା ଭଳି କମ୍ପାନି ରହିଛନ୍ତି । କଟକ ଓ ଖୋର୍ଦ୍ଧା ଜିଲାର ଦାୟିତ୍ୱ ନେଇଛି ଗେଲ୍ ଇଣ୍ଡିଆ ଲିମିଟେଡ । ଭଦ୍ରକ, ବାଲେଶ୍ୱର, ନବରଙ୍ଗପୁର ଏବଂ ମାଲକାନଗିରି ଜିଲା ପାଇଁ ଆଦାନି ଟୋଟାଲ ଗ୍ୟାସ୍ ଲିମିଟେଡକୁ ଦାୟିତ୍ୱ ମିଳିଛି । ଭଦ୍ରକରେ ୨୦୦ ପରିବାର ପିଏନ୍ଜି ସଂଯୋଗ ନେଇଛନ୍ତି । ବାଲେଶ୍ୱରରେ ଏଯାଏ ଆରମ୍ଭ ହୋଇନି କାମ । ରାୟଗଡା, କଳାହାଣ୍ଡି, ନୂଆପଡା ଏବଂ ବଲାଙ୍ଗୀର ପାଇଁ ମେଘା ଗ୍ୟାସ୍ ଲିମିଟେଡ କାମ ନେଇଛି । ସେହିଭଳି ପୁରୀ, ନୟାଗଡ, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ଝାରସୁଗୁଡା, ସୁନ୍ଦରଗଡ ପାଇଁ ଗେଲ୍ ଗ୍ୟାସ ଲିମିଟେଡକୁ ଦାୟିତ୍ୱ ଦିଆଯାଇଛି । ଜଗତସିଂହପୁର, କେନ୍ଦ୍ରାପଡା, ଢ଼େଙ୍କାନାଳ, କେନ୍ଦୁଝର, ଅନୁଗୁଳ, ଦେବଗଡ, ସମ୍ବଲପୁର, ବରଗଡରେ ବିପିସିଏଲ୍ ଗ୍ୟାସ ପାଇପ୍ଲାଇନ ବିଛାଇବ ।
ଏହି ପରିପ୍ରେକ୍ଷୀରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ସବୁ ଜିଲ୍ଲାରେ ବର୍ଷା ପୂର୍ବରୁ ପିଏନ୍ଜି କନେକ୍ସନ କାମ ସରିବ। ରାଜ୍ୟର ସବୁ ସହରରେ ପାଇପ୍ଲାଇନ ଯୋଗେ ଗ୍ୟାସ ପହଞ୍ଚାଇବା ଲକ୍ଷ୍ୟ । ସବୁ ମହାନଗର ନିଗମ ସହ ଅନୁଗୁଳ ଏବଂ ଢେଙ୍କାନାଳ ଭଳି ବଡ଼ ସହରରେ ପ୍ରାୟ କାମ ସରିଲାଣି । ବାକି ଥିବା ସ୍ଥାନଗୁଡ଼ିକରେ କାମ ଶୀଘ୍ର ଆରମ୍ଭ ହେବ । ଜିଲ୍ଲା ପ୍ରଶାସନ ସବୁ ପ୍ରକାର ସହଯୋଗ କରିବ । ନୂଆ ଟେକ୍ନୋଲୋଜି ଦ୍ୱାରା ଶୀଘ୍ର ପାଇପ୍ଲାଇନ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ଲକ୍ଷ୍ୟ ରହିଛି । ୨୦୧୬ରେ ଏହି କାମ ଆରମ୍ଭ ହୋଇଥିଲେ ମଧ୍ୟ ପୂର୍ବ ସରକାର ସହଯୋଗ ନ କରିବାରୁ ରାଜ୍ୟରେ କାମ ଆଗକୁ ବଢ଼ି ପାରି ନ ଥିଲା । ଡବଲ ଇଞ୍ଜିନ ସରକାର ଏହି କାମକୁ ତ୍ୱରାନ୍ୱିତ କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ମହାନଗର ନିଗମ ଗୁଡ଼ିକରେ ସେବା ଉପଲବ୍ଧ ହେବ । ଏହା ପରେ ମୁନିସିପାଲିଟି ଏବଂ ଏନ୍ଏସି ଗୁଡ଼ିକରେ ପିଏନ୍ଜି ସଂଯୋଗ ତ୍ୱରାନ୍ୱିତ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ରାଷ୍ଟ୍ରାୟତ୍ତ ଇଣ୍ଡିଆନ ଅଏଲର ସିଜିଏମ୍ କମଲ ସିଲ୍ କହିଛନ୍ତି, ବଡ଼ ସହର ଉପରେ ପ୍ରଥମ ଫୋକସ ରହିଛି । ପାଇପ୍ଲାଇନ କାମ ୩ ମାସରେ ସାରିବାକୁ ନିର୍ଦ୍ଦେଶ ରହିଛି ।