ଘର ଭଙ୍ଗାକୁ ନେଇ ବସ୍ତିରେ ଉତ୍ତେଜନା, ଇଷ୍ଟେଟ ବିଭାଗ କର୍ମଚାରୀଙ୍କୁ ଅଟକ ରଖିଲେ ମହିଳା

ପାରାଦୀପ, ୨୪/୦୧ : ପାରାଦୀପ ଜଟାଧାରୀ ମୁହାଣ ମେରାଇନ ଥାନା ଅଧୀନ ଷଣ୍ଢକୁଦ ବସ୍ତିରେ ଘର ଭଙ୍ଗାକୁ ନେଇ ଉତ୍ତେଜନା। ପାରାଦୀପ ବନ୍ଦର ଇଷ୍ଟେଟ ବିଭାଗ କର୍ମଚାରୀମାନେ ହଠାତ୍ ମଙ୍ଗଳବାର ସକାଳ ୯ଟା ବେଳେ ବସ୍ତିର ଏକ ନିର୍ମାଣଧୀନ ଘରକୁ ଭାଙ୍ଗି ଦେଇଥିଲେ। ଘର ତିଆରି କରିଥିବା ମହିଳା ପ୍ରତିବାଦ କରିବାରୁ ତାଙ୍କୁ ଠେଲାପେଲା କରି ଘର ଭଙ୍ଗା ଯାଇଥିଲା। ଏହାକୁ ନେଇ ବସ୍ତିର ମହିଳାମାନେ ଏକାଠି ହୋଇ ଇଷ୍ଟେଟ କର୍ମଚାରୀଙ୍କୁ ଅଟକ ରଖିଥିଲେ। ଏପରିକି ସେମାନେ ଆସିଥିବା ବିଭାଗୀୟ ଗାଡିର ଚାବି ମହିଳାମାନେ ଛଡେଇ ନେଇଥିଲେ।
ଇଷ୍ଟେଟ ବିଭାଗ କର୍ମଚାରୀମାନେ ବନ୍ଦର ଜାଗା ଉପରେ ଘର କରିଥିବା ମହିଳାଙ୍କ ଠାରୁ ଘର କରିବାକୁ ମୌଖିକ ଅନୁମତି ଦେବାକୁ ହଜାର ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ କରିଥିଲେ ବସ୍ତି ବାସିନ୍ଦା। ଆହୁରି ୫ ହଜାର ଟଙ୍କା ଲାଞ୍ଚ ମାଗିବାରୁ ମହିଳା ଦେଇନଥିଲେ। ତେବେ ବିଭାଗ କର୍ମଚାରୀମାନେ ମହିଳାଙ୍କ ଉପରେ ରାଗ ରଖି ଜବରଦସ୍ତ ଘର ଭାଙ୍ଗିଥିବା ଅଭିଯୋଗ ହୋଇଛି। ଏପରିକି ଦିନ ଗୋଟାଏ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଗାଡି ସହ ଘେରାଉ କରି ରଖିବା ପରେ ପୁଲିସ ଆସି ପହଞ୍ଚିଥିଲା। ଖବର ଲେଖାଯିବା ପର୍ଯ୍ୟନ୍ତ ଇଷ୍ଟେଟ କର୍ମଚାରୀଙ୍କୁ ବସ୍ତି ବାସିନ୍ଦା ଛାଡ଼ିନଥିବା ଜଣା ପଡିଛି।