ଘରେ ଶୋଇଥିବାବେଳେ କାମୁଡିଦେଲା ସାପ, ନାବାଳକ ମୃତ

ଜାମଗାଁ ୪/୭ (ଆପ୍ର): ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଝାରୁପଡା ଗାଁରେ ସାପ କାମୁଡାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକ ଜଣକ ହେଉଛନ୍ତି ଝାରୁପଡା ଗାଁର ନିର୍ମଳ ଭୋଇଙ୍କ ୪ ବର୍ଷର ପୁଅ ସୁବୋଧ ଭୋଇ । ସୂଚନା ଅନୁସାରେ ସପରିବାର ଶୋଇଥିବା ବେଳେ ଆଜି ରାତ୍ରି ପ୍ରାୟ ୩ଟା ପାଖାପାଖି ଏକ ବିଷାକ୍ତ ସାପ ସୁବୋଧଙ୍କୁ କାମୁଡି ଦେଇଥିଲା । ଫଳରେ ସୁବୋଧ ଅଚେତ୍ ହୋଇ ପଡିଥିଲେ । ପ୍ରଥମେ ତାଙ୍କୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ଚିକତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି ।