ଜଳଛତ୍ର ମାଠିଆରେ ପାଣି ଭରିବା ବେଳେ ଚୋଟ ମାରିଲା ସାପ, ଯୁବକ ମୃତ

ଜାମଗାଁ, ୨୭/୫ : ବିଷାକ୍ତ ସାପ କାମୁଡ଼ାରେ ଯୁବକ ମୃତ। ଶନିବାର ସକାଳେ ଲଖନପୁର ବ୍ଲକ ସମରବଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝାରଗାଁ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ଯୁବକ ଜଣକ ହେଉଛନ୍ତି ଝାରଗାଁ ଗ୍ରାମର ଦିଲ୍ଲୀପ ପଧାନଙ୍କ ୩୫ ବର୍ଷୀୟ ବଡ଼ପୁଅ ସୁନୀଲ।
ସୂଚନା ଅନୁଯାୟୀ, ସମରବଗା ଗ୍ରାମ ପଞ୍ଚାୟତ ସୌଜନ୍ୟରୁ ଝାରଗାଁ ଛକରେ ଦିଆଯାଇଥିବା ଜଳଛତ୍ରରେ ସୁନୀଲ କାର୍ଯ୍ୟରତ ଥିଲେ । ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ ସୁନୀଲ ଜଳଛତ୍ରକୁ ଆସି ପାଣି ମାଠିଆ ଗୁଡିକୁ ଧୋଇ ପୁଣି ପାଣି ଭର୍ତ୍ତି କରିବା ପାଇଁ ମାଠିଆ ଉପରେ ଘୋଡାଇ ଥିବା ଅଖାକୁ ଟାଣିଥିଲେ। ଏହି ସମୟରେ ହଠାତ ଏକ ବିଷଧର ସର୍ପ ତାଙ୍କ ହାତକୁ ଚୋଟ ମାରିଥିଲା । ଫଳରେ କିଛି ସମୟ ପରେ ସେ ଅଚେତ ହୋଇ ପଡ଼ିଥିଲେ । ଏ ସମ୍ପର୍କରେ ଝାରଗାଁ ଗ୍ରାମବାସୀ ଓ ତାଙ୍କ ପରିବାର ଲୋକ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ସୁନୀଲକୁ ଲଖନପୁର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି ।