ରାୟଗଡ଼ା ୨୦/୧: ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ହାଟମୁନିଗୁଡା ପଂଚାୟତ ଘଣ୍ଟିଖାଲ ଗ୍ରାମର ଜଣେ ବୃଦ୍ଧାଙ୍କର ବିଷଧର ସାପ କାମୁଡାରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ସାଲା ହୁଇକା (୫୫)। ଖବରରୁ ଜଣାଯାଇଛି ଯେ, ଗତ ରବିବାର ଦିନ ସାଲା ନିଜ କପା ବାଡିରେ କାମ କରୁଥିବା ବେଳେ ଅପରାହ୍ନରେ କୌଣସି ଏକ ସାପ କାମୁଡି ଦେଇଥିଲା। ପରିବାର ଲୋକ ବିଷମକଟକ ଖ୍ରୀଷ୍ଟିୟାନ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ଚିକିତ୍ସା ଚାଲିଥିଲେ ସୁଦ୍ଧା ପରିବାର ଲୋକେ ଡାକ୍ତର ଅପେକ୍ଷା ଗୁଣିଆ ଉପରେ ଅଧିକ ଭରଷା କରି ସାଲାଙ୍କୁ ମେଡିକାଲରୁ କାରାପାଡି ଅଞ୍ଚଳର ଏକ ଗୁଣିଆ ପାଖକୁ ଝଡାଫୁଙ୍କା ମାଧ୍ୟମରେ ବିଷ ବାହାର କରିବାକୁ ନେଇଥିଲେ। ହେଲେ ଗୁଣିଆର ସମସ୍ତ ଚେଷ୍ଟା ପରେ ବି ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ସାପ କାମୁଡାରେ ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ ସରକାର ସହାୟତା ରାଶି ପ୍ରଦାନ କରୁଥିବା ବେଳେ ମୃତ ପରିବାର ଲୋକେ ମହିଳାଙ୍କ ଶବ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଣିବା ସହ ତହସିଲଦାର ଏବଂ ପୁଲିସକୁ ଅବଗତ କରିଛନ୍ତି। ଖବର ପାଇ ବିଷମକଟକ ପୁଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବ ଜବତ କରିଥିଲା। ଆଜି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।