ପାତ୍ରପୁର,୨/୧୦ : ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ସମାସିଙ୍ଗି ଶାସନ ରାସ୍ତାରୁ ରାତି ସାଢେ ୯ଟା ବେଳେ ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ଗ୍ରାମର  ଦୁଇ ଜଣ ବ୍ୟକ୍ତି ନାଳ ରାସ୍ତାରେ ଆସୁଥିବାବେଳେ ଏକ ବିରାଟ କାୟ ଅଜଗର ରାସ୍ତା ଉପରେ ଶୋଇ ରହିଥିଲା। ଏହାଦେଖି ଗାଁରେ ଜଣାଇବା ପରେ ଗ୍ରାମର କିଛି ଯୁବକ ଆସି ସାପଟିକୁ ଧରିଥିଲେ।

ଏହାପରେ ସାପଟିକୁ ଏକ ଅଖା ମଧ୍ୟରେ ପୁରାଇ ନଦୀ ପାର୍ଶ୍ଵରେ ଛାଡ଼ି ଦେଇଥିଲେ । ସାପଟିର ଲମ୍ବ ପ୍ରାୟ ୧୪ଫୁଟ ହେବ। ଗତ ଅଗଷ୍ଟ ୨୬ତାରିଖର ଗ୍ରାମ ନିକଟରେ ଏହିପରି ଗୋଟିଏ ଅଜଗର ଉଦ୍ଧାର କରି ନିକଟ ପାହାଡ଼ରେ ଛାଡ଼ି ଥିବାବେଳେ ଆଜି ବାହୁଦା ନଦୀରେ ବଢ଼ି ପାଣି ଥିବା ଯୋଗୁଁ ନଦୀ ପାର୍ଶ୍ବରେ ଛାଡିଥିଲେ। ସମାସିଙ୍ଗି ଗ୍ରାମର ବହୁ ଯୁବକ ବିଭିନ୍ନ ସାପ ଧରି ଛାଡୁଥିବାବେଳେ ଏହି ପ୍ରଥା ଦୀର୍ଘ ବର୍ଷ ଧରି ଚାଲୁ ରହିଛି।