ଭୁବନେଶ୍ଵର,୩୦/୮ :  ଭୁବନେଶ୍ଵର ଚନ୍ଦ୍ରଶେଖରପୁରରେ ରହୁଥିବା ସୁଜିତ ଗିରି ନିଜର ସ୍କୁଟି ଧରି ରାଜମହଲ ଛକରେ ଥିବା ମେଡ଼ିସିନ ଦୋକାନକୁ ଯାଇଥିଲେ । ମେଡିସିନ କିଣି ସାରି ସେ ଗୁଡିକୁ ରଖିବା ପାଇଁ ସ୍କୁଟିର ଡିକି ଖୋଲିବା ମାତ୍ରେ ଏକ ସାପ ତା ଭିତରେ ଦେଖି ଭୟରେ ତାଙ୍କ ହାତରୁ ସିଟଟି ଖସି ପଡ଼ିଲା । 

ବିକଳରେ ସିଟକୁ ଲକ୍ କରିଦେଇ ସ୍ନେକ୍ ହେଲ୍ପ ଲାଇନକୁ ଉଦ୍ଧାର ପାଇଁ ଫୋନ୍ କରିଥିଲେ। ଖବରପାଇ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଆଶିଷ ବେହେରା ଘଟଣାସ୍ଥଳରେ ପହଞ୍ଚି ସିଟଟିକୁ ଟେକିବା ବେଳକୁ ସାପଟି ଦେହରେ ସିଟ ଚାପି ହୋଇ ରହିଥିବା ଦେଖିବାକୁ ପାଇଥିଲେ। ସୁଜିତ ଭୟରେ ସିଟକୁ ଛାଡ଼ି ଦେବାବେଳେ ତାହା ସାପ ଉପରେ ପଡ଼ି ଯାଇଥିଲା । ସୁଜିତ ଲକ୍ କରିବା ଫଳରେ ସାପଟି ଆଉ କୁଆଡେ ଯିବାର ସୁଯୋଗ ହିଁ ନ ଥିଲା ।

ପ୍ରାୟ ଦେଢ଼ ଫୁଟ ଲମ୍ବର ଢମଣା ସାପ ଛୁଆକୁ ଆଶିଷ ଉଦ୍ଧାର କରିଥିଲେ । ସାପଟିର ଲାଞ୍ଜ ପଟକୁ ସିଟ ଚାପି ହୋଇଥିବାରୁ ସାପଟିର ବିଶେଷ କିଛି କ୍ଷତି ହୋଇ ନ ଥିଲା । ସାପଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି।