ପୁରୀ,୧୦/୦୬:  ବୁଧବାର ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ସ୍ନାନ ମଣ୍ଡପରୁ ଗଜାନନ ବେଶରେ  ଦର୍ଶନ ଦେବେ ମହାବାହୁ । ଶ୍ରୀମନ୍ଦିର  ସମ୍ମୁଖରେ ରୁଣ୍ଢ ହୋଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ  ହାତୀ ବେଶରେ ଦର୍ଶନ କରିବେ  ଅଗଣିତ ଭକ୍ତ । ଏଣୁ ସଜେଇ ହେଉଛି  ଶ୍ରୀମନ୍ଦିର ସ୍ନାନମଣ୍ଡପ ଓ ବଡ଼ଦାଣ୍ଡ । ପାରମ୍ପରିକ ଚିତ୍ରକରମାନେ ମଣ୍ଡପରେ ରଙ୍ଗ ଦେଇ ସୁସଜ୍ଜିତ କରୁଛନ୍ତି । ମାର୍କେଟ ଛକରୁ ଦର୍ଶନାର୍ଥୀଙ୍କ ପାଇଁ  ବାରିକେଡ଼୍‌ ତିଆରି ହୋଇଛି । ହାତୀ ବେଶ ପୂର୍ବରୁ ଠାକୁରଙ୍କୁ ଜଳ ଲାଗି  କରାଯିବ । 

ସୁନା କୂଅରୁ ଜଳ ଆସି ୧୦୮  ଗରା ଜଳ ଲାଗି ହେବେ ଠାକୁରେ । ଏଣୁ ମଙ୍ଗଳବାର ସୁନା କୂଅ ଉଝୁଳା ଯିବ । ଏପଟେ ହାତୀ ବେଶରେ ଶେଷ  ସ୍ପର୍ଶ ଦିଆଯାଉଛି । ଦୟଣାମାଳୀ  ସେବକ ବସନ୍ତ(ଇଲା) ରଣାଙ୍କ  ତତ୍ତ୍ୱାବଧାନରେ ପ୍ରସ୍ତୁତ ହେଉଛି  ଠାକୁରଙ୍କ ହାତୀ ବେଶ । ଶ୍ରୀବଳଭଦ୍ରଙ୍କ  ପାଇଁ ଧଳାରଙ୍ଗର ବେଶ ଓ ମହାପ୍ରଭୁ  ଶ୍ରୀଜଗନ୍ନାଥଙ୍କର କଳାରଙ୍ଗର ବେଶ  ପ୍ରସ୍ତୁତ ହୋଇଛି । ଠାକୁରଙ୍କ ଶ୍ରୀମସ୍ତକ  ପାଇଁ ତରାସ ଓ ତାର ନିମ୍ନଅଂଶ ପାଇଁ  ଡ଼ାଳି ନିର୍ମାଣ ହୋଇଛି । ମୁଖାରବିନ୍ଦରେ  ଲାଗି ହେବେ କିଆଫଳି । ଚନ୍ଦ୍ରସୂର୍ଯ୍ୟ,  ଛତି, କାନ, ଚିତା, ଥୋଡ଼ହସ୍ତ,  ଅଧର, ତୋରଣା ଓ ଗଜଖୁମ୍ୱ ତିଆରି  ହୋଇଛି । ଦେବୀ ସୁଭଦ୍ରାଙ୍କ ପାଇଁ ୨ଟି  ତଡ଼କୀ, ନାକୁଆସୀ, ତରାସ, ଛତି ଓ  ଚୂଳ, ଚିତା ଆଦି ବେଶ ଉପକରଣ  ପ୍ରସ୍ତୁତ ହୋଇଛି । ସୁଦର୍ଶନ ମହାପ୍ରଭୁଙ୍କ  ପାଇଁ ସବୁଜ ରଙ୍ଗର ଚକ୍ର, ଚୂଳ  ଏବଂ ଓଲାର ତିଆରି କରାଯାଉଛି । ସ୍ନାନଯାତ୍ରା ଦିନ ପଟୁଆରରେ ବେଶ  ବିଜେ ହୋଇ ସ୍ନାନମଣ୍ଡପରେ ଠାକୁରଙ୍କ  ବେଶ ଅନୁଷ୍ଠିତ ହେବ । ମଙ୍ଗଳବାର  ଦୟଣାମାଳୀ ସେବକମାନେ ମହାପ୍ରଭୁଙ୍କ  ସେବାରେ ନିୟୋଜିତ ହୋଇ ଶ୍ରୀମନ୍ଦିର  ଉତ୍ତରଦ୍ୱାର ନିକଟ ଶୀତଳା ଠାକୁରାଣୀଙ୍କ  ସମୀପସ୍ଥ ସୁନା କୂଅକୁ ଶୋଧ କରିବେ ।