ଭୁବନେଶ୍ୱର,୨୯/୦୩: ପ୍ରତ୍ୟେକ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳର ସ୍ୱାଦ ନେବେ । ଏହାର ପ୍ରଚାର ଓ ପ୍ରସାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ (ଏସ୍ଏଚ୍ଏମ୍) ପକ୍ଷରୁ ପଖାଳ ଉତ୍ସବ ଆୟୋଜନ କରାଯିବ । ସେଠାରେ ୧ ଏପ୍ରିଲରୁ ୫ ଦିନିଆ ପଖାଳ ଉତ୍ସବ ପାଳନ କରାଯିବ । ଭଳିକି ଭଳି ବ୍ୟଞ୍ଜନ ବାତ୍ସ୍ନାରେ ମହକିବ ।
ପ୍ରତ୍ୟେକ ବର୍ଷ ସୋଆ ଏସ୍ଏଚ୍ଏମ୍ ପକ୍ଷରୁ ଏହି ଉତ୍ସବ ଆୟୋଜନ କରାଯାଉଛି । ଓଡ଼ିଶାର ପଖାଳ ପ୍ରେମୀଙ୍କ ପାଇଁ ଆୟୋଜିତ ଏହି ଉତ୍ସବରେ ବିଭିନ୍ନ ପ୍ରକାର ପଖାଳ ମିଳିବ। ଦହି ପଖାଳ, ଛୁଙ୍କ ପଖାଳ, ଲେମ୍ବୁ ପଖାଳ, ଆମ୍ବ ପଖାଳ, ଅଦା ପଖାଳ । ଏହାବ୍ୟତୀତ ଶାଗ ଭଜା, ବଡ଼ିଚୁରା, ଟମାଟୋ ଚଟଣି, ମାଛ ଭଜା, ଶୁଖୁଆ ଭଜା, ଛତୁ ପତ୍ରପୋଡ଼ା, ଚିଙ୍ଗୁଡ଼ି ଛେଚା, ମାଛ କଲିଆ, ଛେନା ଭର୍ତ୍ତା ରହିବ । ଚୁନାମାଛ ଭଜା, କୁକୁଡ଼ା ମାଂସ କଷା, ପୋହଳା ମାଛ ଭଜା, ଚିଙ୍ଗୁଡ଼ି ଝରଝରି ସହିତ ପଣସ କଠା ପିଠଉ ଭଜା, ଗୋଟା ଭେଣ୍ଡି, ପୋଡ଼ା ଆଳୁ ଭର୍ତ୍ତା, ଆଳୁ ବାଇଗଣ, ନଡ଼ିଆ ଭଜା, ଆମ୍ବ ଛେଚା ଓ ଆଳୁ କଲରା ତରକାରୀ ଭଳି ବିଭିନ୍ନ ପ୍ରକାର ବ୍ୟଞ୍ଜନ ପରସା ଯିବ । ଏପ୍ରିଲ ୧ରୁ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠାନର ଛାତ୍ରଛାତ୍ରୀ ପାରମ୍ପରିକ ବେଶ ପରିଧାନ କରି ପ୍ରତ୍ୟେକ ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ପଖାଳ ପରିସିବେ ବୋଲି ଏସ୍ଏଚ୍ଏମ୍ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ :- ବିନା ହେଲମେଟରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗାଡ଼ି ଚାଳନା, ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବି କଲା ବିଜେଡି