ଭୁବନେଶ୍ୱର,୨୫/୧୧: ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ୱବିଦ୍ୟାଳୟରେ ଇନ୍‌ଷ୍ଟିଚ୍ୟୁସନ୍ସ ଇନୋଭେସନ୍ କାଉନ୍ସିଲ୍ (ଆଇଆଇସି) ୨୦୨୫) ପାଇଁ ଆଞ୍ଚଳିକ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ଏହି ସମ୍ମିଳନୀରେ ଶିକ୍ଷା କ୍ଷେତ୍ରର ନେତୃବର୍ଗ, ନୀତି ନିର୍ଦ୍ଧାରକ, ଇନ୍‌କ୍ୟୁବେସନ୍ ମ୍ୟାନେଜର, ବିଭିନ୍ନ ଷ୍ଟାର୍ଟଅପ୍, ଶିଳ୍ପ ଏବଂ ଉଦ୍ଭାବନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଥିବା ବ୍ୟକ୍ତି ଏକାଠି ହେବେ ।

କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଅଲ୍ ଇଣ୍ଡିଆ କାଉନ୍ସିଲ୍ ଫର ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ) ଇନୋଭେସନ୍ ସେଲ୍ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ସୋଆର ଅଟଳ ଇନ୍କ୍ୟୁବେସନ୍ ସେଣ୍ଟର (ଏଆଇସି) ସହଯୋଗ କରୁଛି ବୋଲି ସୋଆ ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ କହିଛନ୍ତି ।

ଶିକ୍ଷା ମନ୍ତ୍ରଣାଳୟର ଇନୋଭେସନ୍ ସେଲ୍ ଦ୍ୱାରା ଆଇଆଇସି ପ୍ରସ୍ତୁତ ହୋଇଥିବା ବେଳେ ଏହା ଏଆଇସିଟିଇ ଦ୍ୱାରା ପରିଚାଳିତ ହେଉଛି । ୨୦୧୮ରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଉଦ୍ଭାବନକୁ ଏକ ନୂତନ ଦିଗ ଦେବା ଲକ୍ଷ୍ୟ ନେଇ ଆଇଆଇସିକୁ ସାରା ଦେଶରେ ଆରମ୍ଭ କରାଯାଇଥିଲା । ବର୍ତ୍ତମାନ ଦେଶର ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୧୬,୪୦୦ ଉଚ୍ଚ ଶିକ୍ଷା କେନ୍ଦ୍ରରେ ନିଜର କାୟା ବିସ୍ତାର କରିଛି ବୋଲି ଏଆଇସିଟିଇର ଆସିଷ୍ଟାଣ୍ଟ ଇନୋଭେସନ୍ ଡାଇରେକ୍ଟର ଡକ୍ଟର ଦୀପନ ସାହୁ କହିଛନ୍ତି । ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟରେ ପାରସ୍ପରିକ ଆଲୋଚନା, ଉଦ୍ଭାବନ ଏବଂ ଷ୍ଟାର୍ଟଅପ୍ ସମ୍ବନ୍ଧୀୟ ପ୍ରଦର୍ଶନୀ, ବିଶେଷଜ୍ଞଙ୍କ ଦ୍ୱାରା ତଥ୍ୟ ଉପସ୍ଥାପନ ଏବଂ ବିଭିନ୍ନ ପ୍ୟାନେଲ ଆଲୋଚନା ହିଁ ଏହି ଆଇଆଇସି ଆଞ୍ଚଳିକ ସମ୍ମିଳନୀର ମୂଳ ଲକ୍ଷ୍ୟ ବୋଲି ଡକ୍ଟର ସାହୁ କହିଛନ୍ତି ।

କାର୍ଯ୍ୟକ୍ରମରେ ଏଆଇସିଟିଇ ଅଧ୍ୟକ୍ଷ ପ୍ରଫେସର ଟିଜି ସୀତାରମ ଭର୍ଚୁଆଲି ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଭାରତ ସରକାରଙ୍କ ଜାତୀୟ ଗବେଷଣା ବିକାଶ ଆୟୋଗ ସିନିୟର ରିଜିଓନାଲ୍ ମ୍ୟାନେଜର ଏବଂ ହେଡ୍ ଆଉଟରିଚ୍ ଅଫିସ ଡକ୍ଟର ବିଜୟ କୁମାର ସାହୁ, ବିଶାଖାପାଟଣାସ୍ଥିତ ରତନ ଟାଟା ଇନୋଭେସନ ହବ୍ର ସିଇଓ ରବି ଇଶ୍ୱାରୁପୁ, ଓଡ଼ିଶା ସରକାରଙ୍କ ଅଧିନସ୍ଥ ଷ୍ଟାର୍ଟଅପ୍ ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିତା ପଣ୍ଡା, ଆଇଆଇଟି ବମ୍ବେର ପ୍ରଫେସର ଏମରିଟସ୍ ପ୍ରଫେସର ଦୀପକ ବି.ପାଠକ, ଭାରତ ସରକାରଙ୍କ ଟେଲିକମ୍ ସେକ୍ଟର ସ୍କିଲ କାଉନ୍ସିଲର ପୂର୍ବତନ ସିଇଓ ଡକ୍ଟର ଯଦୁମଣି ଜେନା, ଏଆଇସିଟିଇର ଆସିଷ୍ଟାଣ୍ଟ ଇନୋଭେସନ୍ ଡାଇରେକ୍ଟର ଡକ୍ଟର ଦୀପନ ସାହୁ ଏବଂ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିବେ । ଆଇଆଇଟି ମାଡ୍ରାସର ପ୍ରଫେସର ଅଶୋକ ଝୁନଝୁନୱାଲା କାର୍ଯ୍ୟକ୍ରମରେ ଭର୍ଚୁଆଲୀ ବକ୍ତବ୍ୟ ପ୍ରଦାନ କରିବେ ।