ଭୁବନେଶ୍ୱର,୧୨/୬ : ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍) ପକ୍ଷରୁ ଶୁକ୍ରବାର ରଜ ପିଠା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୧୮ବର୍ଷରୁ ଊର୍ଦ୍ଧ୍ୱ ଯୁବତୀ ଓ ମହିଳାମାନେ ପ୍ରସ୍ତୁତ କରି ଆଣିଥିବା ବିଭିନ୍ନ ପ୍ରକାର ପିଠା ପ୍ରଦର୍ଶିତ ହୋଇଥିଲା । ପ୍ରାୟ ୩୦ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ବିଭିନ୍ନ ପ୍ରକାରର ପୋଡ଼ପିଠା ଯଥା ସପୁରୀ ଚାଉଳ ପୋଡପିଠା, କଖାରୁ ପୋଡପିଠା, ଚାଉଳ ପୋଡପିଠା, କ୍ଷୀର ପୋଡପିଠା, ବିରି ପୋଡପିଠା, ଛତୁ ପୋଡପିଠା, ମହୁଲ ପୋଡପିଠା, ମାଣ୍ଡିଆ ପୋଡପିଠା, ଅମୃତ ଭଣ୍ଡା ପୋଡପିଠା ଓ ଲାଉ ପୋଡପିଠା ଏହି ପ୍ରତିଯୋଗିତାରେ ପ୍ରଦର୍ଶିତ କରାଯାଇଥିଲା ।

ସେହିପରି ବୁଢା ଚକୁଳି, ଛେନାମଣ୍ଡା, ବିରି ଖଜା, ସୋୟାବିନ୍ ଛୁଙ୍କ, ଜାମୁକୋଳି ଚିତଉ ପିଠା, ଆମ୍ବ କାକରା, ଚନ୍ଦ୍ରକାନ୍ତି, ସୁଜି ସିଝା ମଣ୍ଡା, ପୁରଦିଆ ମଣ୍ଡା, ସୁଜି କାକରା, ଗୁଡ଼ ଓ ଚିନି ଆରିଷା ପିଠା, ପାଳୁଅ ମଣ୍ଡା, କ୍ଷୀର ଗଇଁଠା, ଜାମୁକୋଳି ମିଠା, ଜାମୁନ୍ ମଣ୍ଡା, ଜାମୁନ୍ ମୋଦକ, ଗାଜର ଚିତଉ, ମାଣ୍ଡିଆ କନ୍ଦମୂଳ ରସାବଳୀ, ମାଣ୍ଡିଆ ଖିରି ଗଇଁଠା, ମାଣ୍ଡିଆ ପିଠା, ମାଣ୍ଡିଆ କାକରା, ଆମ୍ବ ଚିତଉ, ବେଲ ପିଠା, କଦମ୍ବ ପିଠା, ଆରିସା ମୁଆଁ ପିଠା, ଛେନା ଫୁଲ, ଏଣ୍ଡୁରୀ, ମାଣ୍ଡିଆ ମଣ୍ଡା, ନଡିଆ ମୋଦକ, ଖୁଆ ଗଇଁଠା ପିଠା, ଅପରାଜିତା ଗଇଁଠା ପିଠାଖିରୀ, ସାଗୁ ରସାବଳି, ଆମ୍ବ କାକରା, ଭୃଷଙ୍ଗ ପତ୍ର ଚକୁଳି ଭଳି ଅନେକ ପ୍ରକାରର ପିଠା ପ୍ରଦର୍ଶିତ ହୋଇଥିଲା । ଏହି ମହିଳାମାନଙ୍କର ରୋଷେଇ ଦକ୍ଷତାକୁ ପରଖିବା ପାଇଁ ବିଚାରକ ଭାବେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି, ଲାଇଫ୍ ହୋଟେଲ ଭୁବନେଶ୍ୱରର ଏଚ୍ଆର ହେଡ୍ ଜଚ୍ଚିନ୍ଦର ଜେନା, ସେଫ୍ ସତ୍ୟସୌଭନ ଲେଙ୍କା ଓ ପ୍ରଫେସର ପତିତପାବନ ଲେଙ୍କା ବିଚାରକ ଭାବେ ଯୋଗଦେଇ ଖାଦ୍ୟର ମାନ ନିରୂପଣ କରିଥିଲେ ।

ଏହି ପ୍ରତିଯୋଗିତାରେ ପ୍ରତିଯୋଗୀମାନଙ୍କର ଖାଦ୍ୟର ସ୍ୱାଦ, ପ୍ରସ୍ତୁତି, ରୂପ, ପରିବେଷଣ ଓ ଭିନ୍ନତାକୁ ନେଇ ବିଚାର କରାଯାଇଥିଲା । ଏସ୍ଏଚ୍ଏମ୍ର ଡିନ୍ ପ୍ରଫେସର ଚଇନି ସ୍ୱାଗତ ଭାଷଣ ଦେଇ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ଧନ୍ୟବାଦ ପ୍ରଦାନ କରି ସେମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଜେନା କହିଥିଲେ ଯେ, ଓଡିଶାର ସଂସ୍କୃତିକୁ ଖୁବ୍ ନିଆରା ଭାବେ ପରିପ୍ରକାଶ କରିବାର ମାଧ୍ୟମ ହେଉଛି ପିଠା ପ୍ରତିଯୋଗିତା । ଏହା କେବଳ ପ୍ରତିଯୋଗିତା ନୁହେଁ ଏହା ମହିଳାମାନଙ୍କ ଭିତରେ ଲୁକ୍କାୟିତ ଥିବା ପ୍ରତିଭାକୁ ପରିପ୍ରକାଶ କରିବା ନିମନ୍ତେ ଏକ ସୁଯୋଗ । ଓଡିଶାର ସଂସ୍କୃତି ଓ ପରମ୍ପରାକୁ ନେଇ ସୋଆ ଏସ୍ଏଚଏମ୍ର ଦ୍ୱାରା ପ୍ରସ୍ତୁତ ହୋଇଥିବା ପିଠା ପ୍ରତିଯୋଗିତାରେ ମହିଳା ଓ ଝିଅମାନଙ୍କ ମଧ୍ୟରେ ଥିବା ପ୍ରତିଭା ଓ କଳା ଗୁଡ଼ିକୁ ପ୍ରକାଶ କରିବା ନିମନ୍ତେ ଏହିଭଳି ଅଭିନବ ପ୍ରୟାସ ପାଇଁ ସେ ଶିକ୍ଷାନୁଷ୍ଠାନକୁ ପ୍ରଶଂସା କରିଥିଲେ ।

ସମ୍ମାନିତ ଅତିଥି ଭାବେ ସୋଆ ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଯୋଗଦେଇ କହିଥିଲେ ଯେ ନାରୀମାନେ ସ୍ୱାବଲମ୍ବୀ ହେବା ଏବଂ ସେମାନଙ୍କ ପାଖରେ ଥିବା ଲୁକ୍କାୟିତ ପ୍ରତିଭାକୁ ପ୍ରସ୍ପୁଟିତ କରିବା ଜରୁରୀ । ପ୍ରତିଯୋଗୀମାନଙ୍କର ଅଭିନବ ଚିନ୍ତାଧାରା ପାଇଁ ସେମାନଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ । ଏହି ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ପ୍ରୋଗାମ୍ କୋର୍ଡିନେଟର ତଥା ଏସ୍ଏଚ୍ଏମ୍ର ପ୍ରଫେସର (ଡକ୍ଟର) ସ୍ମିତା ସୁଚରିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।