ନୂଆଦିଲ୍ଲୀ, ୧୫/୦୫ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ମଧ୍ୟରେ ସାଧାରଣ ଭାରତୀୟଙ୍କ ଘରୋଇ ଖର୍ଚ୍ଚ ବଢୁଛି । ରନ୍ଧନ ଗ୍ୟାସ୍‌ଠୁ ଆରମ୍ଭ କରି ପୋଷାକ ଏବଂ ଘରୋଇ ଉପକରଣ ପର୍ଯ୍ୟନ୍ତ ପ୍ରତ୍ୟେକ ସାମଗ୍ରୀ ମହଙ୍ଗା ହୋଇଯାଇଛି । ଇୱାଇ ଇଣ୍ଡିଆର ବିଶ୍ଳେଷଣ ଅନୁସାରେ, ଏହି ପ୍ରଭାବ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ଜାରି ରହିପାରେ । ଖାଇବା ତେଲ ଦାମ ୭% ରୁ ଅଧିକ ବଢ଼ିଯାଇଛି । ଭାରତ ଏହାର ଆବଶ୍ୟକତାର ୫୭% ଖାଇବା ତେଲ ଆମଦାନି କରିଥାଏ । ଏଥିରେ ପାମ୍‌ ଅଏଲ୍‌, ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲ ଅନ୍ତର୍ଭୁକ୍ତ । ଏହାମଧ୍ୟରେ ପ୍ୟାକେଜିଂ, ମାଲ୍‌ ପରିବହନ ଏବଂ କଞ୍ଚାମାଲ ଦର ବୃଦ୍ଧି ଯୋଗୁ ସାବୁନ, ବିସ୍କୁଟ, ପେଷ୍ଟ୍‌ ଭଳି ଏଫ୍‌ଏମ୍‌ସିଜି ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନିଗୁଡ଼ିକ ଦାମ ବଢ଼ାଇବେ କିମ୍ବା ପ୍ୟାକେଟ ଛୋଟ କରିପାରନ୍ତି । ପେଣ୍ଟ୍‌, ଟେକ୍ସଟାଇଲ ଏବଂ ପର୍ସନାଲ କେୟାର କମ୍ପାନିଗୁଡ଼ିକ ବି ବର୍ଦ୍ଧିତ ଖର୍ଚ୍ଚ ଯୋଗୁ ଦର ବଢ଼ାଇବାର ବିଚାର କରୁଛନ୍ତି ।

ମଧ୍ୟପ୍ରାଚ୍ୟ ସଂକଟକୁ ନେଇ ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ବିଫଳ ହେବା ଦ୍ୱାରା ଅଶୋଧିତ ତୈଳ ଯୋଗାଣ ହ୍ରାସ ପାଇଛି । ଫଳରେ ସୋମବାର ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮%ରୁ ଅଧିକ ବଢ଼ି ୧୦୪ ଡଲାର ପାର୍‌ କରିଯାଇଛି । ଏହାଫଳରେ ସର୍ଫେକ୍ଟେଣ୍ଟ ଏବଂ ପେଟ୍ରୋକେମିକାଲ ଡେରିଭେଟିଭ୍‌ର ଅଭାବ ଦେଖାଦେଇଛି । ଫଳରେ ସାମ୍ପୋ, ସାବୁନ ଭଳି ଉତ୍ପାଦର ଯୋଗାଣ ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ କମ୍ପାନିଗୁଡ଼ିକ ଦର ବଢ଼ାଇବା ପାଇଁ ବିଚାର କରୁଛନ୍ତି । ଘରୋଇ ଉପକରଣର ଉତ୍ପାଦନ ଖର୍ଚ୍ଚ ୧୦ରୁ ୧୫% ବଢ଼ିଯାଇଛି । ଏହାର ୭୦% ଅଂଶ କମ୍ପାନିଗୁଡ଼ିକ ପୂର୍ବରୁ ହିଁ ଗ୍ରାହକଙ୍କ ମୁଣ୍ଡରେ ପକାଇସାରିଲେଣି । ୱାଶିଂ ମେଶିନ, ଫ୍ରିଜ୍‌, ଫ୍ୟାନ୍‌ ଏବଂ ଏଲ୍‌ଇଡି ସବୁର ଦାମ ବଢ଼ିଯାଇଛି ।

ଆଗକୁ ଗ୍ରୀଷ୍ମ ବଢ଼ିବା ସହ ଆଗକୁ ଚାହିଦା ବୃଦ୍ଧି ସହ ଦାମ ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଅଶୋଧିତ ତୈଳ ଦର ବୃଦ୍ଧି ଦ୍ୱାରା ପ୍ଲାଷ୍ଟିକ୍‌ର ଉତ୍ପାଦନ ଖର୍ଚ୍ଚ ପ୍ରାୟ ୫୦% ବୃଦ୍ଧି ପାଇଛି । ଟେକ୍ସଟାଇଲ କ୍ଷେତ୍ରରେ ପଲିଷ୍ଟର, ନାଇଲନ ଏବଂ କଲର-କେମିକାଲ୍ସ ୨୦ରୁ ୨୫% ମହଙ୍ଗା ହୋଇଯାଇଛି । ଭାରତର ପୋଷାକ ଉତ୍ପାଦନରେ ୬୦% ଅଂଶ ସିନ୍ଥେଟିକ ଫାଇବର୍‌ର ରହିଛି । ଇୱାଇର ରିପୋର୍ଟ ମୁତାବକ, ଅଭାବ ସ୍ଥିତି ଯୋଗୁ ୨୦୨୬-୨୭ ଆର୍ଥିକବର୍ଷ ପୋଷାକ ଏବଂ ପେଣ୍ଟ୍‌ ଦର ୨ରୁ୫% ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି ।ଯୁଦ୍ଧ ଯୋଗୁ ଦରଦାମ ତେଜିଛି । ଖୁଚୁରା ମୁଦ୍ରାସ୍ଫୀତି ଉପର ମୁହାଁ ହୋଇଛି । ଦରଦାମ ତେଜିବା ନେଇ ପୂର୍ବରୁ ରିଜର୍ଭ ବ୍ୟାଙ୍କ ଅନୁମାନ କରିଥିଲା । ନିକଟରେ କେନ୍ଦ୍ର ସରକାର ଜାରି କରିଥିବା ରିପୋର୍ଟରେ ଏହା ୩.୪% ଛୁଇଁଛି । ଯୁଦ୍ଧ ବନ୍ଦ ନ ହେଲେ ଦରଦାମ ସ୍ଥିତିରେ ସୁଧାର ଆସିନ ପାରେ ।

ଏହି ଖବରଟିକୁ ପଢନ୍ତୁ- Fuel price : ତେଲ ଦରରେ ନିଆଁ ! ନିର୍ବାଚନ ସରିବା ମାତ୍ରେ ଆକାଶଛୁଆଁ ହୋଇପାରେ ପେଟ୍ରୋଲ-ଡିଜେଲ ଦର