ଭୁବନେଶ୍ୱର, ୦୬/୦୬ : ସାମାଜିକ ଗଣମାଧ୍ୟମ ଏବେ ଏମିତି ଏକ ମଞ୍ଚ ଭାବରେ ଉଭା ହୋଇଛି, ଯେଉଁଠି ଚଣ୍ଡିପାଠରୁ ଜୋତା ସିଲେଇ ପର୍ଯ୍ୟନ୍ତ ସବୁକିଛିର ଭିଡିଓ ଉପଲବ୍ଧ ରହୁଛି । ଆଉ ଏହି ଉପଲବ୍ଧତା ପଛର ମୂଳ ନାୟକ ହେଉଛନ୍ତି କଣ୍ଟେଣ୍ଟ କ୍ରିଏଟର । ଯେଉଁମାନେ ନିଜେ ଶିଖିଥିବା କଳାକୁ ଅନ୍ୟମାନଙ୍କ ନିକଟରେ ପ୍ରଦର୍ଶନ କରୁଛନ୍ତି । ଆଉ ଦୁନିଆ ଆଗରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛନ୍ତି । ବିଶେଷକରି ଯୁବପିଢି ଏଥିପ୍ରତି ଅଧିକ ଆଗ୍ରହୀ ଥିବା ଲକ୍ଷ୍ୟ କରାଯାଉଛି । କେତେକ କ୍ଷେତ୍ରରେ ଦେଖାଯାଉଛି ଦୁର୍ଘଟଣାରେ ଅକର୍ମଣ୍ୟ, ଭିନ୍ନକ୍ଷମ ଅଥବା ଚାକିରି ନ ପାଇ ବେକାର ହୋଇ ବସିଥିବା ବ୍ୟକ୍ତିବିଶେଷ ଘରେ ବସି ସାମାଜିକ ଗଣମାଧ୍ୟମକୁ ରୋଜଗାରର ମାଧ୍ୟମ ଭାବେ ବାଛି ନେଇଛନ୍ତି ।

କିଛି କଣ୍ଟେଣ୍ଟ କ୍ରିଏଟରମାନଙ୍କୁ ଭିଡ଼ିଓ ପଛରେ ଥିବା ପରିଶ୍ରମ ଏବଂ ସଫଳତା ନେଇ ପଚାରିବାରୁ ସେମାନେ କହିଥିଲେ ‘ଭିଡିଓ ସିନା ଛୋଟ, ହେଲେ ଏହା ପଛରେ ଥିବା ପରିଶ୍ରମ ସମୟ ସାପେକ୍ଷ । ଗୋଟେ ଭିଡ଼ିଓ ପ୍ରସ୍ତୁତ କରିବାକୁ ୭ରୁ ୮ ଘଣ୍ଟା ସମୟ ଲାଗିଥାଏ । ସବୁଠାରୁ ଅଧିକ ବିରକ୍ତିକର କାମ ହେଉଛି ଭିଡିଓ ଏଡିଟିଙ୍ଗ୍ କରିବା’ । କମ୍ୟୁନିକେସନ୍ ପ୍ରଫେସନାଲ ଗଣେଶ ପ୍ରସାଦ ସାହୁଙ୍କ ମତରେ ‘ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ଜରିଆରେ ଅନେକ ଘରେ ବସି ରୋଜଗାର କରିବା ସହିତ ଦର୍ଶକଙ୍କୁ ପ୍ରଭାବିତ କରୁଛନ୍ତି । ମୁଖ୍ୟତଃ ୟୁଟ୍ୟୁବରେ କଣ୍ଟେଣ୍ଟ ଯେତେ ବ୍ୟାପକ ବିଷୟବସ୍ତୁ ସମ୍ବନ୍ଧୀୟ ହେବ ସେଥିରୁ ସେତେ ଅଧିକ ରୋଜଗାର ଆସିବାର ସମ୍ଭାବନା ରହିଥାଏ । ଏଥିସହିତ କେଉଁ ସ୍ଥାନରୁ ଓ କେତେ ମାତ୍ରାରେ ଲୋକମାନେ ଗୋଟେ ଭିଡିଓକୁ ଦେଖୁଛନ୍ତି ତାହା ମଧ୍ୟ ମହତ୍ତ୍ୱପୂର୍ଣ୍ଣ । ଚାନେଲ୍ ମନିଟାଇଜ୍ ହେଲା ପରେ ମଧ୍ୟ ସେଥିରୁ କିଛି ମାତ୍ରାରେ ଟଙ୍କା ଆସିବା ଆରମ୍ଭ ହୋଇଯାଏ । ଯଦି ଆମେ ଇନଷ୍ଟାଗ୍ରାମ ଓ ଫେସବୁକ୍ କଥା କହିବା ତେବେ ଭିଉଜ୍ ସହିତ ବ୍ରାଣ୍ଡକୋଲାବରେସନରୁ ଅଧିକ ରୋଜଗାର ଆସିଥାଏ’ ବୋଲି କହିଥିଲେ ଶ୍ରୀ ସାହୁ ।

ଆହୁରି ପଢନ୍ତୁ- Vigilance raid : ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍​​​​​​​

AC ଚାଲୁଛି, ବିଲ୍ ଆସୁନି! ଦେଶର No.1 Solar Village କାହାଣୀ​​​​​​​