ନୂଆଦିଲ୍ଲୀ, ୨୨/୧୨ : ଆରାବଳୀ ପର୍ବତମାଳାର ଅସ୍ତିତ୍ୱକୁ ନେଇ ସଙ୍କଟ । ସୋସିଆଲ ମିଡିଆରେ ଛାଇଗଲା ଆରାବଳୀ ସଂରକ୍ଷଣ ଅଭିଯାନ । ଅନ୍ଲାଇନରେ ଆରମ୍ଭ ହୋଇଯାଇଛି ‘ସେଭ୍ ଆରାବଳୀ’ ବା ଆରାବଳୀ ବଞ୍ଚାଅ ନାରା । ଆରାବଳୀ ପର୍ବତଶ୍ରେଣୀରେ ଖନନ ଅନୁମତିକୁ ଜୋରଦାର ବିରୋଧ। ପରିବେଶବିତ୍, ବିଶେଷଜ୍ଞ ଓ ବିରୋଧୀ ଆରାବଳୀକୁ ନେଇ ସମସ୍ତଙ୍କ ଚିନ୍ତା । ନିକଟରେ ସୁପ୍ରିମକୋର୍ଟ ଶୁଣାଇଥିବା ଏକ ଫଇସଲାରୁ ସାରା ଦେଶରେ ସୃଷ୍ଟି ହୋଇଛି ହଇଚଇ। ଏପରିକି ସୁପ୍ରିମକୋର୍ଟଙ୍କୁ ମଧ୍ୟ ଖୋଲାଖୋଲି ଭାବେ ବିରୋଧ କରାଯାଇଛି । ଏହାକୁ ନେଇ ରାଜନୀତି ବି ତେଜିଛି । ପରିବେଶ ସଂରକ୍ଷଣ ନେଇ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ସରକାରଙ୍କ ପକ୍ଷରୁ ମଧ୍ୟ ଏହା ଉପରେ ସଫେଇ ଦିଆଯାଇଛି ।
ସୁପ୍ରିମକୋର୍ଟଙ୍କ ରାୟକୁ ପରିବେଶବିତ୍ଙ୍କ ବିରୋଧ
ଦୁନିଆର ସବୁଠୁ ପ୍ରାଚୀନ ପର୍ବତ ଶୃଙ୍ଖଳା ମଧ୍ୟରୁ ଅନ୍ୟତମ ଆରାବଳୀ ପର୍ବତମାଳା । ଦିଲ୍ଲୀରୁ ହରିୟାଣା, ରାଜସ୍ଥାନ ଦେଇ ଏହା ଗୁଜରାଟ ପର୍ଯ୍ୟନ୍ତ ଲମ୍ବିଛି । ଏହି ପର୍ବତମାଳା ନିକଟରେ ଖଣି ଖନନ ଲାଗି ସୁପ୍ରିମକୋର୍ଟରେ ଏକ ପିଟିସନ ହୋଇଥିଲା । ଏହା ଉପରେ କେନ୍ଦ୍ର ସରକାର ସର୍ବୋଚ୍ଚ ଅଦାଲତରେ ଏକ ଜବାବ ଦାଖଲ କରିଥିଲେ । ସୁପ୍ରିମକୋର୍ଟ ଏହା ଉପରେ ଫଇସଲା ଦେଇଥିଲେ ଯେ, ୧୦୦ ମିଟରରୁ ଅଧିକ ଉଚ୍ଚତାର ପାହାଡ଼ିଆ କ୍ଷେତ୍ର ହିଁ ଆରାବଳୀର ଅଂଶ । ୧୦୦ ମିଟରରୁ କମ୍ ଉଚ୍ଚତାର ପାହାଡ଼କୁ ଆରାବଳୀର ଅଂଶ ବିବେଚନା କରାଯିବ ନାହିଁ । ଏହାର ଅର୍ଥ ସେଠାରେ ଖଣି ଖନନ କାମ କରାଯାଇପାରିବ । ଏହାପରଠାରୁ ସାରା ଦେଶରେ ଆରାବଳୀ ପର୍ବତ ଶୃଙ୍ଖଳା ଚର୍ଚ୍ଚାର କେନ୍ଦ୍ରକୁ ଆସିଯାଇଛି । କେବଳ ଏତିକି ନୁହେଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ‘ସେଭ୍ ଆରାବଳୀ’ ବା ଆରାବଳୀ ବଞ୍ଚାଅ ଅଭିଯାନ ଆରମ୍ଭ ହୋଇଯାଇଛି । ଦିଲ୍ଲୀରୁ ରାଜସ୍ଥାନ ପର୍ଯ୍ୟନ୍ତ ଏହି ଫଇସଲା ବିରୋଧରେ ସ୍ୱର ଉତ୍ତୋଳନ ହୋଇଛି । ଆରାବଳୀ ପର୍ବତରେ ଜଙ୍ଗଲ ସଫା କରାଯାଇ ଖନନ କାମ ହେଲେ ତାହା ପରିବେଶରେ ଅସନ୍ତୁଳନ ବଢ଼ାଇବ ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ଡାକି ଆଣିବ ବୋଲି ପରିବେଶବିତ୍ମାନେ ଚିନ୍ତା ବ୍ୟକ୍ତ କରିଛନ୍ତି ।
ପ୍ରାକୃତିକ ସମ୍ପଦର ଗନ୍ତାଘର ଆରାବଳୀ
ଆରାବଳୀ ପ୍ରାୟ ୨ ଅରବ ବର୍ଷ ପୁରୁଣା ଏବଂ ଭାରତର ସବୁଠୁ ପୁରୁଣା ପର୍ବତ ଶୃଙ୍ଖଳା ମଧ୍ୟରୁ ଅନ୍ୟତମ । ଏହା ହିନ୍ଦ୍-ଗାଙ୍ଗେୟ ସମତଳ ଭୂମିକୁ ସୁରକ୍ଷା ଦେବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ପରିବେଶଗତ କବଚ ଭାବେ କାମ କରେ । ବୈଜ୍ଞାନିକଙ୍କ ଅନୁସାରେ ଏହି ପର୍ବତମାଳା ନ ଥିଲେ ଭାରତର ଉତ୍ତର ଭାଗ ମରୁଭୂମି ପାଲଟିଥାନ୍ତା । ଆରାବଳୀ ଥାର୍ ମରୁଭୂମି ଏବଂ ଆଖପାଖ ଅଞ୍ଚଳର ଜଳବାୟୁକୁ ସନ୍ତୁଳିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ । ଏହି କ୍ଷେତ୍ରରେ ଆରାବଳୀ ଜୈବ ବିବିଧତା ଏବଂ ଭୂତଳ ଜଳ ସଂରକ୍ଷଣ ମଧ୍ୟ କରିଥାଏ । ଦିଲ୍ଲୀରୁ ଗୁଜରାଟ ପ୍ରାୟ ୬୫୦ କିମି କ୍ଷେତ୍ରରେ ପ୍ରାକୃତିକ ଭାବେ ବିବିଧତା ବଜାୟ ରଖିବାରେ ବେଶ୍ ଆରାବଳୀର ବଡ଼ ଅବଦାନ ରହିଛି । ଏହାର ରେଞ୍ଜ୍ ଚମ୍ବଲ, ସାବରମତି, ଲନି ଭଳି ନଦୀର ସ୍ରୋତ ମଧ୍ୟ । ଏଥିରେ ବାଲିପଥର, ଚୂନପଥର, ମାର୍ବଲ, ଗ୍ରାନାଇଟ୍ ଆଦି ବିପୁଳ ମାତ୍ରାରେ ଗଚ୍ଛିତ ଅଛି । ଏହି ପର୍ବତମାଳାରେ ସୀସା, ଦସ୍ତା, ତମ୍ବା, ସୁନା ଏବଂ ଟଙ୍ଗ୍ଷ୍ଟନ ଭଳି ପଦାର୍ଥ ମଧ୍ୟ ରହିଛି । ଏବେ ସାରା ବିଶ୍ୱ ଜଳବାୟୁ ପରିବର୍ତ୍ତନ ଜନିତ ସଙ୍କଟ, ବାୟୁ ପ୍ରଦୂଷଣ ଭଳି ମାରାତ୍ମକ ସମସ୍ୟା ସହ ଯୁଝି ହେଉଥିବାବେଳେ ଏପରି ପ୍ରାକୃତିକ ସମ୍ପଦ ନଷ୍ଟ କରାଗଲେ ଭାରତର ବାୟୁ ଗୁଣବତ୍ତା ଆହୁରି ପ୍ରଭାବିତ ହେବାର ଆଶଙ୍କା ରହିଛି । ଏଥିଯୋଗୁ ଆଖପାଖ ରାଜ୍ୟଗୁଡ଼ିକରେ ଏକ୍ୟୁଆଇ ଖରାପ ହୋଇପାରେ । ଏହା ଭୂତଳ ଜଳକୁ ମଧ୍ୟ ପ୍ରଭାବିତ କରିପାରେ । ଏହାକୁ ଦୃଷ୍ଟିରେ ରଖି ଆରାବଳୀ ଏବଂ ଆଖପାଖ ଅଞ୍ଚଳରେ ଖଣି ଖନନ ବେଆଇନ ଘୋଷଣା କରାଯାଇଥିଲା ।
କେବଳ ୦.୧୯% କ୍ଷେତ୍ରରେ ଖନନକୁ ଅନୁମତି
ନିକଟରେ ସୁପ୍ରିମକୋର୍ଟ ମାନିଥିଲେ ଯେ, ଆରାବଳୀ ପର୍ବତର ପରିଚୟ ପାଇଁ ଅଲଗା ଅଲଗା ରାଜ୍ୟ ଭିନ୍ନ ମାନକ ରଖିଛନ୍ତି । ଏପରିକି ବିଶେଷଜ୍ଞ ସମୂହ ମଧ୍ୟ ଅଲଗା ମାନକରେ ଆରାବଳୀ ପର୍ବତକୁ ପରିଭାଷିତ କରୁଛନ୍ତି । ଏଥିରେ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ମଧ୍ୟ ରହିଛି । ୨୦୧୦ରେ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ କହିଥିଲା ଯେ, ଆରାବଳୀ ପର୍ବତମାଳା ଭିତରେ ତାହାକୁ ହିଁ ପର୍ବତ ବିବେଚନା କରାଯିବ ଯାହାର ଉଚ୍ଚତା ୧୦୦ ମିଟରରୁ ଅଧିକ ଥିବ ଏବଂ ଦୁଇ ପାହାଡ଼ ଭିତରେ ଦୂରତା ଅନ୍ୟୁନ ୫୦୦ ମିଟର ରହିଥିବ । ହେଲେ ଦେଖିବାକୁ ଗଲେ ଅନେକ ଉଚ୍ଚ ପାହାଡ଼ ଏହି ମାନକକୁ ପାଳନ କରୁନାହାନ୍ତି । ଏହା ପରେ ସୁପ୍ରିମକୋର୍ଟ ପରିବେଶ ମନ୍ତ୍ରଣାଳୟ, ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ, ରାଜ୍ୟଗୁଡ଼ିକର ବନ ବିଭାଗ, ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ ଏବଂ ନିଜ କମିଟିର ପ୍ରତିନିଧିଙ୍କୁ ନେଇ ଏକ କମିଟି ଗଠନ କରିଥିଲେ । ପରେ କମିଟି ସୁପ୍ରିମକୋର୍ଟଙ୍କୁ ଏକ ରିପୋର୍ଟ ଦେଇଥିଲେ । ଗତ ନଭେମ୍ବର ୨୦ରେ ସୁପ୍ରିମକୋର୍ଟ ଏହି ରିପୋର୍ଟକୁ ସ୍ୱୀକାର କରିଥିଲେ । ଏଥିରେ ଦର୍ଶାଯାଇଥିଲା ଯେ, କେବଳ ୧୦୦ ମିଟର ଉଚ୍ଚତାର ପର୍ବତକୁ ହିଁ ଆରାବଳୀ ପର୍ବତ ଶୃଙ୍ଖଳାର ଅଂଶ ବିବେଚନା କରାଯିବ । ଆରାବଳୀର ମୋଟ ୮୦୦ କିଲୋମିଟରରୁ ଅଧିକ ପରିଧି ଭିତରେ ୫୫୦ରୁ ଅଧିକ କିମି କ୍ଷେତ୍ର ରାଜସ୍ଥାନରେ ରହିଛି । ବିଶେଷଜ୍ଞଙ୍କ ମତରେ ଆରାବଳୀ କେବଳ ଉଚ୍ଚତାର କଥା ନୁହେଁ ବରଂ ସମ୍ପୂର୍ଣ୍ଣ ପରିବେଶଗତ ବ୍ୟବସ୍ଥା । ସରକାରୀ ଆକଳନ ଅନୁସାରେ ରାଜସ୍ଥାନରେ ଥିବା ଆରାବଳୀର ପ୍ରାୟ ୯୦% ପର୍ବତ ୧୦୦ ମିଟରୁ ଅଧିକ ଉଚ୍ଚତା ସର୍ତ୍ତ ପାଳନ କରୁନାହାନ୍ତି । ଏହାର ଅର୍ଥ ଏହି ରାଜ୍ୟରେ କେବଳ ୮ରୁ ୧୦% ପାହାଡ଼ ହିଁ ଆଇନଗତ ଭାବେ ଆରାବଳୀର ଅଂଶ ବୋଲି ବିବେଚନା କରାଯିବ ଏବଂ ବାକି ୯୦% ପାହାଡ଼ ସଂରକ୍ଷଣ ଆଇନରୁ ବାହାରିଯିବ । ଏହାକୁ ନେଇ ପୂରା ରାଜସ୍ଥାନରେ ଆରାବଳୀ ସଂରକ୍ଷଣ ଆରମ୍ଭ ହୋଇଯାଇଛି ।