ନୂଆଦିଲ୍ଲୀ,୦୯/୧୦: ଜମ୍ମୁ-କଶ୍ମୀରରେ ୨ ଯବାନଙ୍କୁ ଅପହରଣ କଲେ ଆତଙ୍କବାଦୀ। ଅନନ୍ତନାଗ ଜିଲ୍ଲାର କୋକରନାଗ ଶଙ୍ଗସ୍ ଅଞ୍ଚଳରୁ ଅପହରଣ କରି ନେଇଥିବା ସୂଚନା ମିଳିଛି। ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଦୁଇ ଯବାନଙ୍କୁ ଉଠାଇ ନେଇଛନ୍ତି ଆତଙ୍କବାଦୀ। ଅନନ୍ତନାଗର ଜଙ୍ଗଲରୁ ଦୁଇ ସେନା ଯବାନଙ୍କୁ ଆତଙ୍କବାଦୀମାନେ ଅପରହଣ କରି ନେଇଥିବା ସୂଚନା ମିଳିଛି। ତେବେ ଆତଙ୍କୀଙ୍କ କବଳରୁ ଜଣେ ଯବାନ ଖସି ପଳାଇ ଆସିଥିବା ବେଳେ ଅନ୍ୟଜଣେ ଏବେ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି।
ସୂଚନା ମୁତାବକ, ଅନନ୍ତନାଗର କୋକର୍ଣ୍ଣାଗ ଅଞ୍ଚଳର ଶଙ୍ଗାସରୁ ଆତଙ୍କବାଦୀମାନେ ଟେରିଟୋରିଆଲ୍ ଆର୍ମି ସୈନିକଙ୍କୁ ଅପହରଣ କରି ନେଇଛନ୍ତି। ତେବେ ଜଣେ ଯବାନ ଆତଙ୍କବାଦୀଙ୍କୁ ଚକ୍ମା ଦେଇ ଘଟଣାସ୍ଥଳରୁ ଖସି ପଳାଇ ଆସିବାରେ ସଫଳ ହୋଇଥିବା ସୂଚନା ମିଳିଛି। ସେଠାରୁ ଖସି ଆସିବା ପରେ ସେ ସେନାକୁ ଏନେଇ ସୂଚନା ଦେଇଛନ୍ତି। ନିଖୋଜ ସୈନିକଙ୍କୁ ଖୋଜିବା ପାଇଁ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ୍ ଜାରି ରଖିଛି।ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ଅକ୍ଟୋବର ୮ରେ ଜମ୍ମୁ କଶ୍ମୀରରେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିଲା । ବର୍ତ୍ତମାନ ଏଠାରେ ନ୍ୟାସନାଲ କନ୍ଫରେନ୍ସ-କଂଗ୍ରେସ ମେଣ୍ଟର ନୂତନ ସରକାର ଗଠନ ହେବାକୁ ଯାଉଛି।
ପ୍ରକାଶ ଥାଉକି, ସେହିପରି ୨୦୨୦ ମସିହା ଅଗଷ୍ଟ ୨ରେ ଆତଙ୍କବାଦୀମାନେ କାଶ୍ମୀରରେ ଟେରିଟେରାଲ୍ ଆର୍ମିର ଯବାନ ଶାକିର ମଞ୍ଜୁର ବାଗେଙ୍କୁ ଅପହରଣ କରି ନେଇଥିଲେ। ଦକ୍ଷିଣ କାଶ୍ମୀରର ବାଲାପୁରରେ 162-TA ରେ ଶାକିରଙ୍କୁ ପୋଷ୍ଟ କରାଯାଇଥିଲା। ଶାକିର ବକ୍ରିଡରେ ଥିବା ତାଙ୍କ ଘରକୁ ଯାଇଥିଲେ। ଏହି ସମୟରେ ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରିବା ସହ ଗାଡ଼ି ପୋଡିଦେଇଥିଲେ।ଏହି ଘଟଣାର ପାଞ୍ଚ ଦିନ ପରେ ପରିବାର ଲୋକ ଘର ନିକଟରେ ଶାକିରଙ୍କ ପୋଷାକ ପାଇଥିଲେ।ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର ସନ୍ଧାନ ମିଳିପାରିଲା ନାହିଁ । ଗୋଟିଏ ବର୍ଷ ପରେ ସେପ୍ଟେମ୍ବରରେ କୁଲଗାମ ଜିଲ୍ଲାରେ ଶାକିରଙ୍କ ମୃତଦେହ ମିଳିଥିଲା। ଅନୁସନ୍ଧାନ ପରେ ପୋଲିସ ଶାକିରଙ୍କ ପରିବାର ସହ ଯୋଗାଯୋଗ କରାଯାଇଥିଲା। ଶାକିରଙ୍କ ବାପା ମଞ୍ଜୁର ଅହମ୍ମଦ ବେତନ ତାଙ୍କ ମୃତଦେହ ଚିହ୍ନଟ କରିଥିଲେ।