୨୦୨୬ର ପ୍ରାରମ୍ଭରେ ସୋମନାଥ ମନ୍ଦିର ଉପରେ ପ୍ରଥମ ଆକ୍ରମଣର ଏକହଜାର ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେବା ଲାଗି ମୁଁ ସୋମନାଥ ଯାଇଥିଲି । ଭାରତର ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ସୋମନାଥ ମନ୍ଦିର ପୁନରୁଦ୍ଧାର କାର୍ଯ୍ୟ ଉଦ୍ଘାଟନ ହେବାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ମେ ୧୧ ତାରିଖରେ ମୁଁ ପୁଣି ଥରେ ସୋମନାଥ ଯିବି । ଛଅ ମାସରୁ କମ୍ ସମୟ ମଧ୍ୟରେ, ଭଗ୍ନାବଶେଷରୁ ପୁନରୁଦ୍ଧାର ତଥା ବିଧ୍ୱଂସରୁ ସୃଜନ ପର୍ଯ୍ୟନ୍ତ ସୋମନାଥ ମନ୍ଦିରର ଯାତ୍ରା ସହ ଜଡ଼ିତ ଦୁଇଟି ଐତିହାସିକ ଭାବେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବା ମୋ ପାଇଁ ସୌଭାଗ୍ୟର ବିଷୟ । ସୋମନାଥ ଆମକୁ ଏକ ସଭ୍ୟତାଗତ ବାର୍ତ୍ତା ଦେଇଥାଏ । ଏହା ନିକଟରେ ଥିବା ବିଶାଳ ସାଗର କାଳଜୟୀ ଭାବନା ଜାଗ୍ରତ କରିଥାଏ । ଯେତେ ବଡ଼ ଝଡ଼ଝଞ୍ଜା ଆସୁ କିମ୍ବା ଜୁଆର ଓ ଭଟ୍ଟାର ପ୍ରକୋପ, ଯେ କେହି ଦୃଢ଼ ଇଚ୍ଛାଶକ୍ତି ଏବଂ ସମ୍ମାନର ସହ ପୁଣିଥରେ ମୁଣ୍ଡ ଟେକିପାରିବ, ଅଥଳ ସାଗରର ଲହଡ଼ି ଆମକୁ ଏହି ବାର୍ତ୍ତା ଦେଇଥାଏ । ଲହଡ଼ି କୂଳକୁ ଲେଉଟି ଆସେ, ଯେମିତି ଏହା ସ୍ମରଣ କରାଇ ଦିଏ ଯେ ଲୋକମାନଙ୍କର ଭାବନାକୁ ବେଶି ଦିନ ପର୍ଯ୍ୟନ୍ତ ଚାପି ରଖିହେବ ନାହିଁ ।
ଆମର ପ୍ରାଚୀନ ଶାସ୍ତ୍ରରେ କୁହାଯାଇଛି: ‘ପ୍ରଭାସଂ ଚ ପରିକ୍ରମ୍ୟ ପୃଥିବୀକ୍ରମସମ୍ଭବମ୍’ । ଅର୍ଥାତ୍, ଦିବ୍ୟ ପ୍ରଭାସ (ସୋମନାଥ)କୁ ଥରେ ପ୍ରଦକ୍ଷିଣ କରିବା, ସାରା ପୃଥିବୀର ପ୍ରଦକ୍ଷିଣ ସହ ସମାନ । ଯେଉଁ ଲୋକମାନେ ଏଠାକୁ ଦର୍ଶନ ଲାଗି ଆସିଥାନ୍ତି ସେମାନେ ଏପରି ଏକ ଅସାଧାରଣ ସଭ୍ୟତାର ନିରନ୍ତରତାକୁ ଅନୁଭବ କରିଥାନ୍ତି, ଯାହାର ଜ୍ୟୋତି କେବେ ଲିଭିବ ନାହିଁ । ଅନେକ ସାମ୍ରାଜ୍ୟ ଗଢ଼ିଉଠିଛି ଏବଂ ନଷ୍ଟ ହୋଇଯାଇଛି, ସମୟର ଚକ୍ର ବଦଳିଛି, ଇତିହାସ ବିଜୟ ଓ ଅସ୍ଥିରତାର ପର୍ଯ୍ୟାୟ ଦେଇ ଗତି କରିଛି, ତଥାପି ସୋମନାଥ ଆମ ଚେତନାରେ ନିରନ୍ତର ଉଜ୍ଜୀବିତ ରହିଛି । ଏବେ ସେହି ଅଗଣିତ ମହାପୁରୁଷମାନଙ୍କୁ ସ୍ମରଣ କରିବାର ସମୟ ଆସିଛି, ଯେଉଁମାନେ ଦୃଢ଼ତାର ସହ ଅତ୍ୟାଚାରର ମୁକାବିଲା କରିଛନ୍ତି । ଏମାନଙ୍କ ମଧ୍ୟରେ ଲକୁଲିଶ ଏବଂ ସାମ ଶର୍ମନ୍ ସାମିଲ ଅଛନ୍ତି, ଯେଉଁମାନେ ପ୍ରଭାସକୁ ଦର୍ଶନ ଶାସ୍ତ୍ରର ମହାନ କେନ୍ଦ୍ରରେ ପରିଣତ କରିଥିଲେ । ଶହ ଶହ ବର୍ଷ ପୂର୍ବେ ବଲ୍ଲଭୀର ଚକ୍ରବର୍ତ୍ତୀ ମହାରାଜା ଧରସେନ ଚତୁର୍ଥ ସେଠାରେ ଦ୍ୱିତୀୟ ମନ୍ଦିର ନିର୍ମାଣ କରିଥିଲେ । ଆକ୍ରମଣକାରୀଙ୍କ ବିରୋଧରେ ସଭ୍ୟତାଗତ ସମ୍ମାନକୁ ସୁରକ୍ଷା ଦେଇଥିବା ଭୀମ ଦେବ, ଜୟ ପାଳ ଏବଂ ଆନନ୍ଦ ପାଳ ସବୁବେଳେ ସ୍ମରଣୀୟ ହୋଇ ରହିବେ । ରାଜା ଭୋଜ ମଧ୍ୟ ପୁନଃନିର୍ମାଣରେ ସହଯୋଗ କରିଥିବା କୁହାଯାଏ । ଗୁଜରାଟର ରାଜନୈତିକ ଏବଂ ସାଂସ୍କୃତିକ ସାମର୍ଥ୍ୟକୁ ପୁନରୁଦ୍ଧାର କରିବାରେ କର୍ଣ୍ଣ ଦେବ ଏବଂ ସିଦ୍ଧରାଜ ଜୟସିଂହ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଭବ ବୃହସ୍ପତି, କୁମାରପାଳ ସୋଲାଙ୍କି ଏବଂ ପଶୁପତ ଆଚାର୍ଯ୍ୟ ଏହି ପୀଠକୁ ପୂଜା ଓ ଅଧ୍ୟୟନର ଏକ ମହାନ କେନ୍ଦ୍ର ରୂପେ ପୁନଃନିର୍ମାଣ ଏବଂ ସଂରକ୍ଷଣ କରିଥିଲେ । ବିଶାଳଦେବ ୱାଘେଲା ଏବଂ ତ୍ରିପୁରାନ୍ତକ ଏହାର ବୌଦ୍ଧିକ ଓ ଆଧ୍ୟାତ୍ମିକ ପରମ୍ପରାକୁ ସୁରକ୍ଷା ଦେଇଥିଲେ । ବିଧ୍ୱଂସ ପରେ ଏଠାରେ ପୂଜାକାର୍ଯ୍ୟର ପୁନରୁଦ୍ଧାର କରିବାରେ ମହିପାଳଦେବ ଏବଂ ରା' ଖାଙ୍ଗାର ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।
ବର୍ତ୍ତମାନ ପୁଣ୍ୟଶ୍ଳୋକ ଅହିଲ୍ୟାବାଇ ହୋଲକରଙ୍କ ୩୦୦ତମ ଜନ୍ମବାର୍ଷିକୀ ପାଳନ କରାଯାଉଛି । ସେମାନେ ସବୁଠୁ କଠିନ ପରିସ୍ଥିତିରେ ଏଠାରେ ନିରନ୍ତର ପୂଜାର୍ଚ୍ଚନା ସୁନିଶ୍ଚିତ କରିଥିଲେ । ବରୋଦାର ଗାଏକୱାଡମାନେ ତୀର୍ଥଯାତ୍ରୀଙ୍କ ଅଧିକାରକୁ ସୁରକ୍ଷା ଦେଇଥିଲେ । ଆହୁରି ନିଃସନ୍ଦେହରେ, ଆମ ମାଟି ବୀର ହମିରଜୀ ଗୋହିଲ ଏବଂ ବୀର ବେଗଡ଼ାଜୀ ଭୀଲଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ପାଇ ଧନ୍ୟ ହୋଇଛି । ଏମାନଙ୍କର ବଳିଦାନ ଓ ସାହସ ସୋମନାଥର ଜୀବନ୍ତ ସ୍ମୃତିରେ ଏକ ଅଭିନ୍ନ ଅଙ୍ଗ ଭାବେ ଉଜ୍ଜୀବିତ ହୋଇ ରହିଛି । ୧୯୪୦ ଦଶକରେ, ସମଗ୍ର ଭାରତରେ ସ୍ୱାଧୀନତାର ଉତ୍ସାହ ବ୍ୟାପିଥିବା ବେଳେ ସର୍ଦ୍ଦାର ପଟେଲଙ୍କ ଭଳି ମହାପୁରୁଷଙ୍କ ନେତୃତ୍ୱରେ ଏକ ନୂତନ ଗଣରାଜ୍ୟର ମୂଳଦୁଆ ପ୍ରତିଷ୍ଠା ହେଉଥିଲା । ତେବେ ଗାଟିଏ କଥା ସର୍ଦ୍ଦାର ପଟେଲଙ୍କୁ ଗଭୀର ଭାବରେ ବିଚଳିତ କରିଚାଲିଥିଲା... ସୋମନାଥର ଅବସ୍ଥା । ୧୩ ନଭେମ୍ବର ୧୯୪୭, ଦୀପାବଳି ସମୟରେ, ସେ ଆଞ୍ଜୁଳିରେ ସମୁଦ୍ର ଜଳ ଧରି ମନ୍ଦିରର ଜରାଜୀର୍ଣ୍ଣ ଧ୍ୱଂସାବଶେଷ ପାଖରେ ଠିଆ ହୋଇ କହିଥିଲେ, "(ଗୁଜରାଟୀ) ନୂତନ ବର୍ଷର ଏହି ପବିତ୍ର ଦିନରେ, ଆମେ ନିଷ୍ପତ୍ତି ନେଇଛୁ ଯେ ସୋମନାଥର ପୁନଃନିର୍ମାଣ କରାଯିବା ଉଚିତ । ଆପଣମାନେ, ସୌରାଷ୍ଟ୍ରର ସବୁ ଲୋକ ଏଥିପାଇଁ ଆପଣଙ୍କର ସର୍ବୋତ୍ତମ ପ୍ରୟାସ କରିବା ଉଚିତ । ଏହା ଏକ ପବିତ୍ର କାର୍ଯ୍ୟ ଯେଉଁଥିରେ ସମସ୍ତେ ଅଂଶଗ୍ରହଣ କରିବା ଉଚିତ' । ସର୍ଦ୍ଦାର ପଟେଲଙ୍କ ଏହି ସ୍ପଷ୍ଟ ଆହ୍ୱାନର କେବଳ ଗୁଜରାଟ ଲୋକମାନେ ନୁହନ୍ତି, ବରଂ ସମଗ୍ର ଭାରତର ଲୋକମାନେ ଉତ୍ସାହର ସହିତ ପ୍ରତିକ୍ରିୟା ଦେଇଥିଲେ । ଦୁଃଖର ବିଷୟ, ସର୍ଦ୍ଦାର ପଟେଲ ଯେଉଁ ସ୍ୱପ୍ନକୁ ପୂରଣ କରିବା ଲାଗି ଏତେ ଉତ୍ସାହର ସହିତ ପ୍ରୟାସ କରିଥିଲେ ଭାଗ୍ୟ ତାଙ୍କୁ ସେହି ସ୍ୱପ୍ନକୁ ସାକାର ହେବାର ଦେଖିବାକୁ ଦେଇନଥିଲା । ପୁନରୁଦ୍ଧାର ହୋଇଥିବା ସୋମନାଥ ମନ୍ଦିରର ଦ୍ୱାର ଭକ୍ତମାନଙ୍କ ପାଇଁ ଖୋଲିବା ପୂର୍ବରୁ ସେ ଏହି ଦୁନିଆ ଛାଡି ଚାଲିଯାଇଥିଲେ । ତଥାପି, ପ୍ରଭାସ ପାଟନର ପବିତ୍ର ତଟରେ ତାଙ୍କର ପ୍ରଭାବ ଅନୁଭୂତ ହୋଇଥିଲା । ତାଙ୍କର ଦୃଷ୍ଟିକୋଣକୁ ଶ୍ରୀ କେ.ଏମ୍. ମୁନସି ଆଗକୁ ବଢ଼ାଇଥିଲେ ଏବଂ ନଓ୍ବାନଗରର ଜାମସାହେବ ସମର୍ଥନ କରିଥିଲେ ।
୧୯୫୧ ମସିହାରେ, ଯେତେବେଳେ ମନ୍ଦିର ନିର୍ମାଣ ସମାପ୍ତ ହେଲା, ସେତେବେଳେ ଭାରତର ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କୁ ଉଦ୍ଘାଟନୀ ସମାରୋହ ପାଇଁ ଡକାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁଙ୍କ କଡ଼ା ବିରୋଧ ସତ୍ତେ୍ୱ ଡକ୍ଟର ପ୍ରସାଦ ଏହି ସମାରୋହରେ ଯୋଗ ଦେଇଥିଲେ, ଯାହା ଏହାକୁ ଆହୁରି ସ୍ୱତନ୍ତ୍ର ଏବଂ ଐତିହାସିକ କରିଥିଲା । ୨୦୦୧ ଅକ୍ଟୋବର କଥା ମୋର ମନେ ପଡ଼ୁଛି । ମୁଁ ନୂଆ କରି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥାଏ । ୩୧ ଅକ୍ଟୋବର ୨୦୦୧ରେ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଉପଲକ୍ଷେ ଗୁଜରାଟ ସରକାର ସୋମନାଥ ମନ୍ଦିର ଖୋଲିବାର ୫୦ବର୍ଷ ପୂର୍ତ୍ତି ପାଳନ ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରିବାର ଗୌରବ ହାସଲ କରିଥିଲେ । ଏହା ମଧ୍ୟ ସର୍ଦ୍ଦାର ପଟେଲଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ ସହିତ ଏକକାଳୀନ ଭାବେ ଆୟୋଜନ କରାଯାଇଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ତତ୍କାଳୀନ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଲାଲକୃଷ୍ଣ ଆଡଭାନୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅତୁଟ ଆସ୍ଥା ଏବଂ ପ୍ରେମ ଥିବା କୌଣସି ଜିନିଷକୁ କେବେ ଧ୍ୱଂସ କରାଯାଇପାରିବ ନାହିଁ ବୋଲି ଡକ୍ଟର ରାଜେନ୍ଦ୍ର ପ୍ରସାଦ ୧୧ ମେ’ ୧୯୫୧ରେ ଦେଇଥିବା ତାଙ୍କ ଭାଷଣରେ କହିଥିଲେ । ଏହି ମନ୍ଦିର ଲୋକଙ୍କ ହୃଦୟରେ ବଞ୍ଚି ରହିବା ନେଇ ସେ ବିଶ୍ୱାସ ପ୍ରକଟ କରିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ମନ୍ଦିରର ପୁନରୁଦ୍ଧାର ସର୍ଦ୍ଦାର ପଟେଲଙ୍କ ସ୍ୱପ୍ନ ପୂରଣ କଲା, କିନ୍ତୁ ସେହି ଭାବନାକୁ ଆଗକୁ ନେଇ, ଆମେ ଲୋକଙ୍କ ଜୀବନରେ ସମୃଦ୍ଧି ଫେରାଇ ଆଣିବା ଗୁରୁତ୍ୱପୂର୍ଣ୍ଣ । ସେ ଏହିସବୁ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରେରଣାଦାୟକ ବାର୍ତ୍ତା ଦେଇଥିଲେ । ଆମେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଏହି ମାର୍ଗରେ ଚାଲୁଛୁ । "ବିକାଶ ଭି, ବୀରାସତ୍ ଭି' (ବିକାଶ ସହ ଐତିହ୍ୟର ସଂରକ୍ଷଣ) ନୀତି ଦ୍ୱାରା ଅନୁପ୍ରାଣିତ ହୋଇ ସୋମନାଥରୁ କାଶୀ, କାମାକ୍ଷାରୁ କେଦାରନାଥ, ଅଯୋଧ୍ୟାରୁ ଉଜ୍ଜୟିନୀ, ତ୍ରୟମ୍ବକେଶ୍ୱରରୁ ଶ୍ରୀଶୈଳମ ପର୍ଯ୍ୟନ୍ତ, ଆମର ଦଳ ଆମ ଆଧ୍ୟାତ୍ମିକ କେନ୍ଦ୍ରଗୁଡ଼ିକୁ ସବୁଠୁ ନୂଆ ସୁବିଧାରେ ସଜ୍ଜିତ କରିବାର ସୁଯୋଗ ପାଇଛି । ଏଥିସହିତ ସେଗୁଡ଼ିକର ପାରମ୍ପରିକ ଚରିତ୍ରକୁ ସଂରକ୍ଷଣ କରିପାରିଛି । ମୁଁ ଏହାକୁ ମୋର ସୌଭାଗ୍ୟ ବୋଲି ମନେ କରୁଛି । ଯୋଗାଯୋଗ ବ୍ୟବସ୍ଥାର ଉନ୍ନତିକରଣ ସହିତ, ଅଧିକରୁ ଅଧିକ ଲୋକ ଯେପରି ଏସବୁ ସ୍ଥାନ ପରିଦର୍ଶନ କରିପାରିବେ ତାହା ସୁନିଶ୍ଚିତ କରାଯାଉଛି । ଏହା ସ୍ଥାନୀୟ ଅର୍ଥବ୍ୟବସ୍ଥାରେ ଅଭିବୃଦ୍ଧି ଆଣିବା ସହିତ ଜୀବିକା ସୁରକ୍ଷା ଦେଉଛି ଏବଂ "ଏକ ଭାରତ, ଶ୍ରେଷ୍ଠ ଭାରତ'ର ଭାବନାକୁ ଗଭୀର କରୁଛି ।
ସୋମନାଥକୁ ସୁରକ୍ଷା ଦେବା ପାଇଁ ନିଜର ଜୀବନ ବଳି ଦେଇଥିବା ଏବଂ ଏହାକୁ ବାରମ୍ବାର ପୁନଃନିର୍ମାଣ କରିଥିବା ଲୋକଙ୍କ ସଂଘର୍ଷ ଏବଂ ଅବଦାନ କେବେ ଭୁଲିହେବ ନାହିଁ । ଭାରତର ବିଭିନ୍ନ କୋଣରୁ ଅଗଣିତ ବ୍ୟକ୍ତି ଏହାର ଗୌରବ ପୁନଃପ୍ରତିଷ୍ଠା କରିବାରେ ଅବଦାନ ଦେଇଥିଲେ । ସେମାନେ ଭାରତର ପ୍ରତ୍ୟେକ ଅଂଶକୁ ପବିତ୍ର ମନେ କରିଥିଲେ । ଭୌଗୋଳିକ ସୀମା ଅତିକ୍ରମ କରି ଏକତାର ଭାବନାରେ ସମ୍ମିଳିତ ହୋଇଥିଲେ । ପ୍ରାୟତଃ ବିଭାଜନ ଦ୍ୱାରା ଚିହ୍ନିତ ବିଶ୍ୱରେ, ଏକତାର ଏହି ଭାବନା ପୂର୍ବାପେକ୍ଷା ଅଧିକ ପ୍ରାସଙ୍ଗିକ ହୋଇଛି । ସୋମନାଥ ଏହାର ସମସ୍ତ ଗୌରବକୁ ଅକ୍ଷୁଣ୍ଣ ରଖିବ, କାରଣ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଏକତା ଏବଂ ସହଭାଗୀ ସଭ୍ୟତାଗତ ଚେତନା ଜୀବିତ ରହିଛି । ଏଥିପ୍ରତି ସମ୍ମାନ ଜଣାଇ ତଥା ହଜାର ବର୍ଷର ଅସାଧାରଣ ସାହସକୁ ସ୍ମରଣ କରି ଆଗାମୀ ୧ ହଜାର ଦିନ ପାଇଁ ସୋମନାଥରେ ସ୍ୱତନ୍ତ୍ର ପୂଜା ହେବ । ଏହି ପୂଜା ପାଇଁ ଅନେକ ଲୋକ ଦାନ କରୁଥିବା ଦେଖି ଖୁସି ଲାଗୁଛି । ଏହି ବିଶେଷ ସମୟରେ ସୋମନାଥ ଯାତ୍ରା କରିବାକୁ ମୁଁ ମୋର ପ୍ରିୟ ସବୁ ଭାରତୀୟଙ୍କୁ ଅନୁରୋଧ କରୁଛି । ଯେତେବେଳେ ଆପଣ ସୋମନାଥ କୂଳରେ ଠିଆ ହେଉଛନ୍ତି, ଏହାର ପ୍ରାଚୀନ ପ୍ରତିଧ୍ୱନିକୁ ଶୁଣନ୍ତୁ । ଆପଣ କେବଳ ଭକ୍ତିରେ ଅଭିଭୂତ ହେବେନାହିଁ ବରଂ ଏକ ସଭ୍ୟତାଗତ ଭାବନାର ଦୃଢ଼ ସ୍ପନ୍ଦନ ମଧ୍ୟ ଅନୁଭବ କରିବେ ଯାହା କେବେ ମଳିନ ହୋଇନାହିଁ, ଯାହା ଅଖଣ୍ଡ ଏବଂ ଅଟଳ । ଆପଣ ଭାରତର ଅଦମ୍ୟ ଇଚ୍ଛାଶକ୍ତିକୁ ଅନୁଭବ କରିପାରିବେ ଏବଂ ବୁଝିପାରିବେ ଯେ, ଶତ ଚେଷ୍ଟା ସତ୍ତେ୍ୱ ଆମର ସଂସ୍କୃତି କାହିଁକି ଅପରାଜିତ ରହିଛି । ଆପଣ ଅନନ୍ତ ବିଜୟକୁ ଅନୁଭବ କରିବାର ମଧ୍ୟ ସୁଯୋଗ ପାଇବେ । ଏହା ନିଶ୍ଚିତ ଭାବରେ ଆପଣଙ୍କ ପାଇଁ ଅବିସ୍ମରଣୀୟ ହେବ ।
ଜୟ ସୋମନାଥ ।