ଚଣ୍ଡିଗଡ଼, ୧୮।୧: ପ୍ରେମକୁ ପାଇବାକୁ ଲୋକେ କିଛି ବି କରିବସନ୍ତି । ସେଥିପାଇଁ କୁହନ୍ତି ପ୍ରେମ ଅନ୍ଧ । କେହେତେ ହେ ପ୍ୟାର୍ ଅର୍ ଜଙ୍ଗ ମେ ସବକୁଛ ଯାଏସ ହେ । ଯଦି ଜଣେ ପୁଅ ପ୍ରେମକୁ ପାଇବାକୁ ହେଲେ ନିଜ ମା’ର ଗଳା କାଟିବାକୁ ପଡ଼େ । ସେଠି ବି କ’ଣ କହିହେବ ପ୍ୟାର୍ ମେ କୁଛ ବି ଯାଏସ ହେ । ଯଉଠି ଜଣେ ପୁଅ ପ୍ରେମ ପାଇଁ ନିଜ ଜନ୍ମ କଲା ମାର ହତ୍ୟା କରୁଛି ତାକୁ କ’ଣ ପ୍ରେମର ଆଖ୍ୟା ଦିଆଯାଇପାରେ ? ଆଖି ଥାଇ ବି ସେ ଅନ୍ଧ । ୧୦ ମାସ ୧୦ ଦିନ ଧରି ଗର୍ଭରେ ଧରି ଯେଉଁ ମା’ ତାକୁ ଆଜି ମଣିଷ କରିଛି, ଆଜି ସେ ପୁଅ ତା’ ପ୍ରେମିକା ପାଇଁ ମା’ର ଭଲପାଇବାକୁ ଭୁଲିଛି । ପ୍ରେମ ପାଇଁ ନିଜ ପ୍ରଥମ ପ୍ରେମକୁ ହତ୍ୟା କରିଛି ପୁଅ । ହରିୟାଣାର ଯମୁନାନଗରରୁ ଏଭଳି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଯାହା ସମ୍ପର୍କର ପବିତ୍ରତା ଏବଂ ମାଆର ଭଲପାଇବା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ଘଟଣା କୌଣସି ଥ୍ରୀଲର ଫିଲ୍ମଠାରୁ କମ୍ ନୁହେଁ ।
ଡିସେମ୍ବର ୨୪ ତାରିଖ । ଜାଡ଼ ରାତିରେ ସରପଞ୍ଚଙ୍କ ସ୍ତ୍ରୀଙ୍କ ମୃତ୍ୟୁର ଖବର ଗାଁ ଲୋକଙ୍କ ପାଖରେ ପହଞ୍ଚେ । ଯମୁନାନଗରର ଶ୍ୟାମପୁର ଗାଁର ସରପଞ୍ଚଙ୍କ ଘରୁ ତାଙ୍କ ସ୍ତ୍ରୀ ବଲଜିନ୍ଦର କୌରଙ୍କ ମୃତଦେହ ମିଳେ । ପ୍ରାରମ୍ଭିକ ଭାବେ ଏହାକୁ ଏକ ସନ୍ଦେହଜନକ ମୃତ୍ୟୁ ବୋଲି ବିବେଚନା କରାଯାଉଥିଲା । କିଏ ମାରିଲା, କାହା ସାଙ୍ଗେ ସରପଞ୍ଚଙ୍କ ଶତ୍ରୁତା ଥିଲା ? ପୁଲିସ ଏସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ଲାଗିପଡ଼ିଲା । କିନ୍ତୁ, ପରେ କାହାଣୀ ୟୁଟର୍ଣ୍ଣ ନେଲା । ଘଟଣା ତଦନ୍ତ ସମୟରେ ଧିରେ ଧିରେ ପୁଲିସର ସନ୍ଦେହ ଉପୁଜିଲା । ପରେ କ୍ରାଇମବ୍ରାଞ୍ଚକୁ ହାତକୁ ଗଲା ତଦନ୍ତ ମାମଲା । ତଦନ୍ତ ଆରମ୍ଭ କରିବା ପରେ ବଲଜିନ୍ଦର କୌରଙ୍କ ପୁଅ ଗୋମିତ ରାଠିର ନାଁ ପ୍ରଥମେ ପୁଲିସର ସନ୍ଦେହ ଘେରକୁ ଆସିଲା । ଗାଁରେ ଗୋମିତଙ୍କ ବିଷୟରେ କେବଳ ଏତିକି ଜଣା ଥିଲା ଯେ, ସେ ଷ୍ଟଡି ଭିସାରେ ଇଂଲଣ୍ଡରେ ପାଠ ପଢ଼ୁଥିଲେ । ସେ ସେଠାରେ ଏକ ଦୋକାନରେ ପାର୍ଟ ଟାଇମ୍ କାମ ବି କରୁଥିଲେ । ଗୋମିତଙ୍କ ହାବଭାବ କିଛି ଅଲଗା ଥିଲା । ମା’ ଏବଂ ପୁଅ ଉଭୟଙ୍କ ସମ୍ପର୍କରେ ତିକ୍ତତା ଥିବା ପୁଲିସ ଜାଣିବାକୁ ପାଇଲା । ପରେ ପୁଲିସ ଘଟଣାର ଆହୁରି ଖୋଳତାଡ଼ କଲା । ଆଉ ଜଣେ ମହିଳାଙ୍କ ନାଁ ଆସିଲା । ଯିଏ ଥିଲେ ଗୋମିତର ପ୍ରେମିକା । ଅନ୍ୟ ଜାତିର ମହିଳାଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଯାହାର ବିରୋଧ କରୁଥିଲେ ବଲଜିନ୍ଦର କୌର । ଜଣେ ମା’ ଭାବେ ନିଜ ପୁଅକୁ ଠିକ୍ ରାସ୍ତାରେ ନେବାକୁ ଚାହୁଁଥିଲେ । ଏଥିପାଇଁ ଅନେକ ସମୟରେ ମା-ପୁଅ ଭିତରେ ଝଗଡ଼ା ବି ଲାଗେ । ଘରେ ପ୍ରତିଦିନର ଯୁକ୍ତିତର୍କରେ ମା’ ଥକିଯାଇଥିଲେ । ତେଣୁ ପୁଅକୁ ଇଂଲଣ୍ଡ ପଠାଇ ଦେଇଥିଲେ, ଭାବିଲେ ଦୂରରେ ରହିଲେ ପୁଅର ମନ ବଦଳିଯିବ । ସେ ସୁଧୁରିଯିବ । କିନ୍ତୁ, ସେପଟେ ମା’କୁ ମାରିବାକୁ ଗୋମିତ ମାଷ୍ଟର ପ୍ଲାନ୍ କରିସାରିଥିଲା । ପ୍ଲାନ ଅନୁସାରେ, ଡିସେମ୍ବର ୧୮ ତାରିଖରେ ଗୋମିତ ଇଂଲଣ୍ଡରୁ ଭାରତ ଫେରି ଆସିଥିଲା । କିନ୍ତୁ, ଏକଥା ବାପା-ମାଆଙ୍କୁ ଜଣାଇନଥିଲା । ତାର ଘନିଷ୍ଠ ବନ୍ଧୁ ପଙ୍କଜ ତାକୁ ଏହି ଷଡ଼ଯନ୍ତ୍ରରେ ସହଯୋଗ କରିଥିଲା ।
ଡିସେମ୍ବର ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ଗାଁର ଏକ ଗୁହାଳରେ ଗୋମିତ ଲୁଚି ରହିଥିଲା । ଡିସେମ୍ବର ୨୪ ତାରିଖ ରାତିରେ, ଯେତେବେଳେ ତାକୁ ସୁଯୋଗ ମିଳିଲା, ସେ ଘରେ ପଶିଥିଲା । ସେଦିନ ମା ବଲଜିନ୍ଦର କୌର ଘରେ ଏକା ଥିଲେ । ମା’ର ଗଳା କାଟି ନିର୍ମମ ଭାବେ ହତ୍ୟା କଲା । ହତ୍ୟାକୁ ଦୁର୍ଘଟଣାର ରୂପ ଦେବା ଲାଗି ଆଉ ଏକ ପ୍ଲାନ କଲା । ମା’ର ମୃତଦେହକୁ ଘରର ଘର ପାଣି ଟାଙ୍କିରେ ଫିଙ୍ଗି ଦେଲା । ଭାବିଲା, ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଆସିବ ଆଉ ଏହା ହତ୍ୟା ବୋଲି ପୁଲିସର ସନ୍ଦେହ ହେବନି । କିନ୍ତୁ, ପୁଲିସ ଓ ଅନୁସନ୍ଧାନକାରୀ ଦଳ ହାତରୁ ହତ୍ୟାକାରୀ କେମିତି ବା ବର୍ତ୍ତିବ ? ଗୋମିତଙ୍କ ମୋବାଇଲ ଟ୍ରାକ କରିଥିଲା SIT । ଯେଉଁଥିରୁ ଜଣାପଡ଼ିଥିଲା ଯେ, ୬ ଦିନ ହେବ ତାଙ୍କ ଫୋନ ଇଂଲଣ୍ଡରେ ନୁହେଁ, ଯମୁନାନଗରରେ ଆକ୍ଟିଭ୍ ଥିଲା । କଲ୍ ଡିଟେଲ୍ସରେ ଗୋମିତ ପଙ୍କଜଙ୍କ ସହ ବାରମ୍ବାର କଥାବାର୍ତ୍ତା ହେଉଥିବା ଜଣାପଡ଼ିଥିଲା । ପୁଲିସର ପଚରାଉଚରା ପରେ ଗୋମିତ ଶେଷରେ ନିଜ ଅପରାଧ ସ୍ୱୀକାର କଲା । ତା’ ପ୍ରେମକୁ ମାଆଙ୍କ ବିରୋଧ ପରେ ମା’କୁ ଜୀବନରୁ ମାରିଦେବା ଏକମାତ୍ର ଉପାୟ ବୋଲି ସେ ଭାବିଲା । ପୁଲିସ ଗୋମିତ ରାଠି ଏବଂ ତାଙ୍କ ସହଯୋଗୀ ପଙ୍କଜଙ୍କୁ ଗିରଫ କରିଛି । କୋର୍ଟ ଉଭୟଙ୍କୁ ୪ ଦିନ ପାଇଁ ପୋଲିସ ହେପାଜତକୁ ପଠାଇଛି । ନିଜ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମାଆ କେତେ କ’ଣ କରିଥିଲା । ପୁଅକୁ ପାଳିପୋଷି ବଡ଼ କଲା । ପାଠ ପଢ଼ିବା ଲାଗି ସୁଦୂର ଇଂଲଣ୍ଡ ପଠେଇଲା । କିନ୍ତୁ, ପୁଅ ମା’ର ଆକଟକୁ ସହିନପାରି ପ୍ରତିଶୋଧ ନିଆଁରେ ଜଳି ଶେଷରେ ରାକ୍ଷସ ପାଲଟିଲା ।