ମହିଳାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ କ୍ଷମା ମାଗିଲେ ସୋନାଲି କୁଲକର୍ଣ୍ଣି, ପୋଷ୍ଟ କରି ଲେଖିଲେ ଏମିତି କିଛି

mid-day
ମୁମ୍ବାଇ ୨୦/୦୩ : ମହିଳାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଟ୍ରୋଲର ଶିକାର ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ସୋନାଲି କୁଲକର୍ଣ୍ଣି । ଚାରିଆଡ଼ୁ ସମାଲୋଚନାର ଶିକାର ହେବା ପରେ ତାଙ୍କୁ କ୍ଷମା ମାଗିବାକୁ ପଡ଼ିଛି । ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସୋନାଲି ଆଧୁନିକ ମହିଳାଙ୍କୁ ଅଳସୁଆ ବୋଲି କହିଥିଲେ । ତେବେ କାହାର ଭାବନାକୁ ଆଘାତ ପହଞ୍ଚାଇବା ତାଙ୍କର ଉଦ୍ଦେଶ୍ୟ ନ ଥିଲା ବୋଲି ସେ କହିଛନ୍ତି ।

ସୋସିଆଲ ମିଡିଆରେ ଶେୟାର କରିଥିବା ତାଙ୍କ ବୟାନରେ କହିଛନ୍ତି, ‘ମୁଁ ବି ଜଣେ ମହିଳା । ଅନ୍ୟ ମହିଳାଙ୍କୁ ଦୁଃଖ ପହଞ୍ଚାଇବା ମୋର ଉଦ୍ଦେଶ୍ୟ ନ ଥିଲା । ମହିଳାଙ୍କ ଉପରେ ମୁଁ ଖୋଲାଖୋଲି କଥା ହୋଇଛି । ମହିଳାଙ୍କୁ କେଉଁସବୁ ଅସୁବିଧା, ସମସ୍ୟାର ସାମ୍ନା କରିବାକୁ ପଡ଼େ ତାହା ମଧ୍ୟ କହିଛି । ଏଥିସହ ଆମ ସମସ୍ତଙ୍କୁ ସମାନ ଅଧିକାର ମିଳିବା କଥା ମଧ୍ୟ ଉଠାଇଛି । ମୁଁ ଖୁସି ଯେ ଲୋକେ ତାଙ୍କ ସହ କଥା ହେଲେ ଏବଂ ତାଙ୍କ କଥାକୁ ସମାଲୋଚନା କଲେ । ମୁଁ ସମସ୍ତଙ୍କୁ ସପୋର୍ଟ କରିବା ସହ ନମ୍ର ବ୍ୟବହାର କରିବାକୁ ଉଦ୍ୟମ କରୁଛି । ସମସ୍ତ ମହିଳା ସେମାନଙ୍କ କୋମଳପଣ ଏବଂ ବୁଦ୍ଧି ବ୍ୟବାହାର କରି ନିଜ ଗୋଡ଼ରେ ନିଜେ ଛିଡ଼ା ହୁଅନ୍ତୁ । ଯଦି ମୋ କଥା କାହାରିକୁ ଖରାପ ଲାଗିଛି ତେବେ ଏଥିପାଇଁ କ୍ଷମା ମାଗୁଛି’ ବୋଲି ସେ ଲେଖିଛନ୍ତି ।
ପ୍ରକାଶଥାଉ କି, ସୋନାଲି ଏକ ସାକ୍ଷାତକାରରେ କହିଥିଲେ, ଭାରତରେ ବହୁତ ମହିଳା ଅଳସୁଆ । ସେମାନେ ଏପରି ବଏଫ୍ରେଣ୍ଡ୍ କିମ୍ବା ସ୍ୱାମୀ ଚାହାଁନ୍ତି ଯେଉଁମାନେ ଅଧିକ ଅର୍ଥ ରୋଜଗାର କରୁଥିବେ । ଯାହାଙ୍କ ପାଖରେ ଭଲ ଘର ଥିବ, ଚାକିରିରେ ଭଲ ଦରମା ବଢ଼ୁଥିବ । କିନ୍ତୁ ଲୋକେ ଏପରି ମହିଳାଙ୍କୁ ଘରକୁ ଆଣିବା କଥା ଯିଏ କି ନିଜ ପାଇଁ ରୋଜଗାର କରିପାରୁଥିବେ । ଯିଏ ଏହା କହିପାରୁଥିବେ ଯେ ଘରେ ଫ୍ରିଜ୍ ଦରକାର । ଏବଂ ଏହାର ଅଧା ଟଙ୍କା ସ୍ୱାମୀ ଏବଂ ଅଧା ମହିଳା ଜଣକ ଦେବାକୁ ରାଜି ହେଉଥିବେ । ଏହାକୁ ନେଇ ଟ୍ୱିଟର୍ରେ ହଙ୍ଗାମା ହୋଇଥିଲା । ଅନେକ ୟୁଜର୍ସ ଏଥିପାଇଁ ସୋନାଲିଙ୍କୁ ସମାଲୋଚନା କରିଥିଲେ ।