ଭୁବନେଶ୍ୱର,୦୪/୦୬: ବହୁଚର୍ଚ୍ଚିତ କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ହତ୍ୟା ମାମଲାରେ ଜାତୀୟ ମାନବିକ ଅଧିକାର ଆୟୋଗ(ଏନ୍ଏଚ୍ଆର୍ସି)ଙ୍କ ତନାଘନା ।ଚତୁର୍ଥ ଦିନରେ ମାରାଥନ ଜେରା ଚଳାଇଛି । ଆଜି ଏନ୍ଏଚ୍ଆର୍ କ୍ୟାମ୍ପ କୋର୍ଟରେ ହାଜର ହୋଇଛନ୍ତି ସୌମ୍ୟଙ୍କ ବାନ୍ଧବୀ । ସେ ହାଜର ହୋଇଥିବା ବେଳେ ତାଙ୍କୁ ଅଧିକାରୀମାନେ ପଚରାଉଚରା କରିଥିବା ଜଣାପଡ଼ିଛି । 

ସେହିଭଳି ବାଲିଅନ୍ତା ଥାନାର ମହିଳା ASI ମଧ୍ୟ ହାଜର ହୋଇଛନ୍ତି । ୨ ଅଭିଯୋଗକାରୀ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲେ ।। ସେହିପରି NHRC କ୍ୟାମ୍ପ କୋର୍ଟରେ ହାଜର ହୋଇଛନ୍ତି କ୍ରାଇମବ୍ରାଞ୍ଚ DSP ରତ୍ନପ୍ରଭା ଶତପଥୀ । ସୌମ୍ୟ ହତ୍ୟା ମାମଲାର ତଦନ୍ତ କରୁଛନ୍ତି ରତ୍ନପ୍ରଭା ଶତପଥୀ। ଏଥିସହିତ ଜୋନ୍-୪ ଏସିପି ଅଭିମନ୍ୟୁ ନାୟକ ହାଜର ହୋଇଥିବା ବେଳେ ତାଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । ସେହିପରି ସୌମ୍ୟଙ୍କ ମୃତଦେହ ପୋଷ୍ଟମର୍ଟମ ସମୟରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ମଧ୍ୟପଚରାଉଚରା ହୋଇଛି ।

ତେବେ ଆଜି ଏନ୍ଏଚ୍ଆର୍ କ୍ୟାମ୍ପ କୋର୍ଟରେ ହାଜର ହୋଇପାରନ୍ତି ADG ଦୟାଲ ଗଙ୍ଗୱାର । ସେ ସୌମ୍ୟଙ୍କୁ ବ୍ୟକ୍ତିଗତ କାମରେ ନିୟୋଜିତ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ADGଙ୍କ କ୍ୱାର୍ଟର୍ସରେ କାର୍ଯ୍ୟରତ ସମସ୍ତ ପୁଲିସ କର୍ମଚାରୀଙ୍କୁ ଏନ୍ଏଚ୍ଆର୍ ଟିମ୍ ପଚରାଉଚରା କରି ସାରିଛନ୍ତି। ଏଥିସହିତ ADGଙ୍କ ଡ୍ରାଇଭର ଓ ପିଏସଓଙ୍କୁ ପଚରାଉଚରା କରିସାରିଛି ଏନ୍ଏଚ୍ଆର୍ ଟିମ୍। ଆଜି ମଧ୍ୟ ପୁଲିସ କମିଶନର ଦେବଦତ୍ତ ସିଂହ ଓ ଭୁବନେଶ୍ବର ଡିସିପି ଜଗମୋହନ ମୀନା NHRCରେ ହାଜର ହେବାର ସୂଚନା ମିଳିଛି ।

ଗତକାଲି ସୌମ୍ୟଙ୍କ ସାଙ୍ଗ ଓମପ୍ରକାଶ ରାଉତ, ୨ ଅଭିଯୋଗକାରୀ ଯୁବତୀ, କ୍ୟାପିଟାଲ ହସ୍ପିଟାଲ ଡାକ୍ତର ଏଲ.ଡି ବିହେରାଙ୍କ ସହ ୩ ଡାକ୍ତର, ମିନି ଟ୍ରକ ଚାଳକ ସଫିଉଲ୍ଲା ଖାଁ, ଅଡ଼ଶପୁର CHCର ଆମ୍ବୁଲାନ୍ସ ଡ୍ରାଇଭର ସୁଜ୍ଞାନ ମଲ୍ଲିକ, ପୂର୍ବତନ ବାଲିଅନ୍ତା ଥାନା ଅଧିକାରୀ ଅନୀଲ ପରିଡା ଏବଂ ଜଣେ କନେଷ୍ଟବଲ ହାଜର ହୋଇଥିଲେ । ସେହିପରି NHRCରେ ଅଭିଯୋଗ କରିଥିବା ଭଜମନ ବିଶ୍ବାଳ ମଧ୍ୟ ଏନ୍ଏଚ୍ଆର୍ ଟିମ୍ ପାଖରେ ତାଙ୍କର ତଥ୍ୟ ରଖିଥିଲେ । ଘଟଣାର ତଦନ୍ତ କରିଥିବା ସାଇଣ୍ଟିଫିକ୍ ଟିମ୍ ଅଧିକାରୀ ୪ ଜଣ ହାଜର ହୋଇଥିଲେ। ସୌମ୍ୟ ହତ୍ୟାକାଣ୍ଡ ପଛରେ ଷଡଯନ୍ତ୍ର ଥିଲା କି ? ଘଟଣାଦିନ ବାଲିଅନ୍ତାର ଅପରାଧସ୍ଥଳରେ ପ୍ରକୃତରେ କ'ଣ ଘଟିଥିଲା? ଘଟଣାଦିନ କିଭଳି ଝଗଡ଼ାର ସୂତ୍ରପାତ ହୋଇଥିଲା ? ପ୍ରକୃତରେ ଭୁଲ କାହାର ଥିଲା? ଏନେଇ ତଦନ୍ତକାରୀ ୨ ଅଫିସର ପଚରାଉଚରା କରୁଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ :-  Balianta Murder Case: NHRCଙ୍କ ଜେରାରେ ସତ ଉଗାରିଲେ ଟ୍ରକ୍ ଚାଳକ, ଡାଲାରେ ନ ଚଢ଼ି ସିଟ୍ରେ ବସିଥିଲେ ପୁଲିସ