ମୁମ୍ବାଇ ୨୬/୦୨: ବଲିଉଡରେ ଅନେକ କ୍ରୀଡାବିତ୍‌ଙ୍କ ଉପରେ ଫିଲ୍ମ ନିର୍ମାଣ କରାଯାଇଛି। ଏବେ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍‌ ତିଆରି କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ପୂର୍ବରୁ ସୌରଭଙ୍କ ଭୂମିକାରେ ରଣବୀର କପୁର ନଜର ଆସିବେ ବୋଲି କୁହାଯାଉଥିଲା। କିନ୍ତୁ ଏବେ ରାଜକୁମାର ରାଓଙ୍କୁ ଫାଇନାଲ କରାଯାଇଥିବା ଜଣାପଡିଛି। ନିଜେ ସୌରଭ ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଏହା କହିଛନ୍ତି। ଏହି ଫିଲ୍ମଟିକୁ ପରଦା ଉପରକୁ ଆସିବାକୁ ବର୍ଷେରୁ ଆହୁରି  ଅଧିକ ସମୟ ଲାଗିବ ବୋଲି ସେ କହିଛନ୍ତି।

ଲଭ୍‌ ରଞ୍ଜନ ଓ ଅଙ୍କୁର ଗର୍ଗ ଏହି ଫିଲ୍ମଟି ନିର୍ମାଣ କରୁଛନ୍ତି। ବିକ୍ରମାଦିତ୍ୟ ମୋଟୱାନେ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିବେ। ଏଥିରେ ସୌରଭଙ୍କ କ୍ରିକେଟ କ୍ୟାରିୟର ଆରମ୍ଭରୁ ବିସିସିଆଇ ଅଧ୍ୟକ୍ଷ ହେବା ଯାତ୍ରାକୁ ଦେଖାଯିବ। ଏହା ଏକ ହାଇ ବଜେଟ୍‌ର ଫିଲ୍ମ ହେବ। ଖୁବ୍‌ ଶୀଘ୍ର ଏହାକୁ ନେଇ ଫିଲ୍ମ ନିର୍ମାତା ବିଧିବଦ୍ଧ ଭାବେ କିଛି ଘୋଷଣା କରିପାରନ୍ତି।

ସେହିଭଳି ରାଜକୁମାରଙ୍କ କାମ କଥା କହିବାକୁ ଗଲେ ସେ ତାଙ୍କର ଅପକମିଙ୍ଗ୍‌ ଫିଲ୍ମ ‘ଭୁଲ୍‌ ଚୁକ୍‌ ମାଫ୍‌’ ରେ ନଜର ଆସିବେ। ଏଥିରେ ତାଙ୍କ ସହ ବାମିକା ଗବ୍ବି ଦେଖାଯିବେ। କିଛିଦିନ ପୂର୍ବରୁ ଏହାର ଟିଜର୍‌ ଜାରି କରାଯାଇଥିଲା। ଦର୍ଶକ ଏହାକୁ ଖୁବ୍‌ ପସନ୍ଦ କରିଛନ୍ତି।