ସାଉଥ ଅଭିନେତା ଶରତ ବାବୁଙ୍କ ପରଲୋକ, ୭୧ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ

ନୂଆଦିଲ୍ଲୀ,୨୩/୦୫: ତେଲୁଗୁ ଏବଂ ତାମିଲ ସିନେମାର ଲୋକପ୍ରିୟ ଅଭିନେତା ଶରତ ବାବୁଙ୍କର ସୋମବାର ପରଲୋକ ହୋଇଛି । ତାଙ୍କୁ ୭୧ ବର୍ଷ ହୋଇଥିଲା । ମଲ୍ଟି ଅର୍ଗାନ ଫେଲିୟର ବା ଏକାଧିକ ଅଙ୍ଗ ଅଚଳ ହେବା ଯୋଗୁ ତାଙ୍କୁ ଗତ ମାସରେ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ସେଠାରେ ଭେଣ୍ଟିଲେଟରରେ ରଖାଯାଇଥିଲା ।
ଶରତ ବାବୁ ତାଙ୍କ କ୍ୟାରିଅରରେ ୨୨୦ରୁ ଅଧିକ ଫିଲ୍ମ କରିଛନ୍ତି । ୧୯୫୧ ଜୁଲାଇ ୩୧ରେ ଆନ୍ଧ୍ରପ୍ରଦେଶରେ ତାଙ୍କ ଜନ୍ମ । ତାଙ୍କ ପ୍ରକୃତ ନାଁ ସତ୍ୟମ ବାବୁ ଦୀକ୍ଷିତ ଥିଲା । ୧୯୭୩ରେ ସେ ତେଲୁଗୁ ଫିଲ୍ମ ‘ରାଜ୍ୟମ’ରେ ଡେବ୍ୟୁ କରିଥିଲେ । ସେ ତାଙ୍କ କ୍ୟାରିୟରରେ ତେଲୁଗୁ ସମେତ ତାମିଲ, କନ୍ନଡ ଫିଲ୍ମରେ କାମ କରିଛନ୍ତି । ନିକଟରେ ପବନ କଲ୍ୟାଣଙ୍କ ଫିଲ୍ମ ‘ବକିଲ ସାବ୍’ରେ ତାଙ୍କୁ ଦେଖିବାକୁ ମିଳିଥିଲା ।