ମୁମ୍ବାଇ,୪/୩ : ୨୦୨୬ ଟି-୨୦ବିଶ୍ୱକପର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବିଜୟୀ ହୋଇଛି। ଫିନ୍ ଏଲେନ୍ ଐତିହାସିକ ଶତକ ହାସଲ କରି ନ୍ୟୁଜିଲ୍ୟାଣ୍ଡକୁ ରେକର୍ଡ ବିଜୟ ଦେଇଛନ୍ତି । ଏହି ପରାଜୟ ସହ ସାଉଥ ଆଫ୍ରିକାର ଟି-୨୦ବିଶ୍ୱକପ ଜିତିବାର ସ୍ୱପ୍ନ ପୁଣି ଥରେ ଭାଙ୍ଗିଯାଇଛି । ୨୦୨୬ ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ସାଉଥ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୧୬୯ରନ କରିଥିଲା। ଜବାବରେ ନ୍ୟୁଜିଲ୍ୟାଣ୍ଡ ମାତ୍ର ୧୨.୫ ଓଭରରେ ୧୭୩ ରନ କରି ମ୍ୟାଚ୍ ଜିତି ନେଇଛି । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଫିଲ୍ ଏଲେନ୍ ୩୩ବଲରେ ଅପରାଜିତ ୧୦୦ରନର ଓ୍ବିନିଂ ଇନିଂସ ଖେଳିଥିଲେ। ସେ ୧୦ ଚୌକା ଏବଂ ୮ ଛକା ମାରିଥିଲେ। ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିଛି।
କିଓ୍ବି ଟିମ୍ ଲାଗି ଏଲେନଙ୍କ ବ୍ୟତୀତ ତାଙ୍କ ସହ ଓପନିଂ କରିଥିବା ଟିମ୍ ସିଫର୍ଟ ମଧ୍ୟ ଏକ ଚମତ୍କାର ଇନିଂସ ଖେଳିଥିଲେ। ସିଫର୍ଟ ୩୩ବଲରେ ୭ ଚୌକା ଏବଂ ୨ ଛକ୍କା ସାହାଯ୍ୟରେ ୫୮ରନର ସ୍କୋର କରିଥିଲେ। ଉଭୟେ ପ୍ରଥମ ଓ୍ବିକେଟ୍ ଲାଗି ୫୫ବଲରେ ୧୧୭ରନରେ ଭାଗିଦାରୀ କରିଥିଲେ । ଏହାପରେ ରଚିନ ରବିନ୍ଦ୍ର ଏବଂ ଫିନ ଏଲନ ଦ୍ବିତୀୟ ଓ୍ବିକେଟ ଲାଗି ୨୨ବଲରେ ୫୬ରନର ପାର୍ଟନରଶିପ କରି ଟିମକୁ ୪୩ବଲ୍ ପୂର୍ବରୁ ବିଜୟୀ ଦେଇଛନ୍ତି ।
ପ୍ରକାଶ ଯେ, ଫିନ୍ ଏଲେନ୍ ଟି-୨୦ ବିଶ୍ୱକପ୍ ଇତିହାସର ଦ୍ରୁତତମ ଶତକ ହାସଲ କରିଛନ୍ତି । ଏହାପୂର୍ବରୁ ଟି-୨୦ ବିଶ୍ୱକପ୍ରେ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲ୍ ଦ୍ରୁତତମ ଶତକ ହାସଲ କରିଥିଲେ। ଗେଲ୍ ୨୦୧୬ ଟି-୨୦ ଟୁର୍ଣ୍ଣାମେଣ୍ଟରେ ୪୭ବଲରେ ଶତକ ହାସଲ କରିଥିଲେ।