ନୂଆଦିଲ୍ଲୀ: ସାଉଥ କୋରିଆରେ ମାର୍ଶଲ ଲ ଲଗାଇବାକୁ ବିରୋଧ କରି ନ୍ୟାସନାଲ ଆସେମ୍ଲିରେ ରାଷ୍ଟ୍ରପତି ୟୁନ ସୁକ ୟୋଲଙ୍କୁ ନେଇ ଅନାସ୍ଥା ଭୋଟ କରାଯାଇଥିଲା। ଏହି ଭୋଟରେ ୟୁନ ହାରିଯିବା ସହ ତାଙ୍କୁ ରାଷ୍ଟ୍ରପତି ଅଫିସରୁ ବହିଷ୍କାର କରାଯାଇଛି। ଏହି ପରିପ୍ରେକ୍ଷିରେ ବିରୋଧି ଡେମୋକ୍ରେଟିକ ଦଳର ନେତା ପାର୍କ ଚାନ-ଦାଇ ଗଣତନ୍ତ୍ର ଉପରେ ଏହା ଲୋକଙ୍କର ବିଜୟ ବୋଲି ଘୋଷଣା କରିଛନ୍ତି। 

ଦକ୍ଷିଣ କୋରିଆର ନେସନାଲ ଆସେମ୍ଲିରେ ଏହି ଅନାସ୍ଥା ଭୋଟରେ ୟୁନଙ୍କ ବିପକ୍ଷରେ ମୋଟ ୨୦୪ଟି ଭୋଟ ପଡିଥିଲା। ଭୋଟିଂ ସମୟରେ ସିଓଲରେ ପାର୍ଲାମେଣ୍ଟ ବିଲ୍ଡିଂ ବାହାରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ସମସ୍ତେ ହାତରେ ବ୍ୟାନର ଧରି ୟୁନଙ୍କ ବିପକ୍ଷରେ ସ୍ଲୋଗାନ ଦେଇ ବିରୋଧ ପ୍ରଦର୍ଶନ କରୁଥିଲେ। 

ମିଳିଥିବା ସୂଚନା ଅନୁଯାୟୀ, ୬୩ ବର୍ଷିୟ ୟୁନଙ୍କୁ ରାଷ୍ଟ୍ରପତି ଅଫିସରୁ ବହିଷ୍କାର କରାଯାଇଛି। ସାଉଥ କୋରିଆର ପ୍ରଧାନ ମନ୍ତ୍ରୀ ହାନ ଡକ-ସୋ ବର୍ତ୍ତମାନ କାମଚଳା ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ବର୍ତ୍ତମାନ ଦେଶର ସାମ୍ବିଧାନିକ ଅଦାଲତରେ ୟୁନଙ୍କ ମାମଲାର ବିଚାର କରିବା ସହ ୬ ମାସ ମଧ୍ୟରେ ରାୟ ଘୋଷଣା ହେବ ବୋଲି ଜଣା ପଡିଛି। ସୂଚନା ଥାଉକି ସାଉଥ କୋରିଆରେ ରାଷ୍ଟ୍ରପତିଙ୍କ ବହିଷ୍କାର ପରେ ୬୦ ଦିନ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ଆୟୋଜିତ କରାଯାଇଥାଏ। 

ୟୁନଙ୍କୁ ବହିଷ୍କାର କରାଯାଇଥିବା ଖବର ମିଳିବା ପରେ ନେସନାଲ ଆସେମ୍ଲି ବାହାରେ ବିକ୍ଷୋଭ କରୁଥିବା ଲୋକମାନେ ଖୁସିରେ ନାଚି ଉଠିଥିଲେ। 

ସୂଚନା ଥାଉକି ଡିସେମ୍ବର ୩ ତାରିଖ ରାତିରେ ରାଷ୍ଟ୍ରପତି ୟୁନ ସାଉଥ କୋରିଆରେ ମାର୍ସଲ ଲ ଲାଗୁ କରିଥିଲେ। ବିରେଧୀ ଦଳ ଦେଶର ଶତ୍ରୁମାନଙ୍କ ସହ ସମ୍ପର୍କ ରହିବା ଓ ଦେଶରେ ସାମ୍ବିଧାନିକ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଠିକ୍ କରିବା ପାଇଁ ଦେଶରେ ମାର୍ଶଲ ଲ ଲାଗୁ ହେଉଛି ବୋଲି ୟୁନ ଘୋଷଣା କରିଥିଲେ। ୟୁନ ଦେଶର ସାମରିକ ବାହିନିଙ୍କୁ ନେସନାଲ ଆସେମ୍ଲିକୁ ଦଖଲ କରିବାକୁ ଆଦେଶ ଦେଇଥିଲେ। 

ଲୋକଙ୍କର ପ୍ରବଳ ବିରୋଧ ଓ ରାଜନୈତିକ ଚାପ ଯୋଗୁଁ ମାତ୍ର ୬ ଘଣ୍ଟା ମଧ୍ୟରେ ଦେଶରୁ ମାର୍ଶଲ ଲ ହଟାଯାଇଥିଲା। ଏଥିପାଇଁ ପୂର୍ବରୁ ପୋଲିସ ତାଙ୍କୁ ଇନଭେଷ୍ଟିଗେଟ କରିବା ସହ ଏହି କାମରେ ତାଙ୍କୁ ସହଯୋଗ କରିବା ପାଇଁ ଅର୍ଥ ମନ୍ତ୍ରୀଙ୍କୁ ଗିରଫ କରାଯାଇଥିଲା।