ନୂଆଦିଲ୍ଲୀ,୦୯/୦୯:  ଆମେରିକା, ରୁଷ୍‌ ଏବଂ ଇସ୍ରାଏଲ୍‌ ଭଳି ଭାରତ ବି ଗଢ଼ିବ ସ୍ୱତନ୍ତ୍ର ବାହିନୀ । ଏହି ବାହିନୀ ଅତ୍ୟନ୍ତ ଶକ୍ତିଶାଳୀ ହେବ ଏବଂ  ଶତ୍ରୁ ଘରେ ପଶି ଆକ୍ରମଣ କରିବ । ଏଥିଲାଗି ଜଏଣ୍ଟ ୱାର୍‌ ଥିଓରିର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ରିପୋର୍ଟ ମୁତାବକ, ସୈନ୍ୟ ବଳଗୁଡ଼ିକର ଏଲିଟ୍‌ କମାଣ୍ଡୋ ବାହିନୀର ସଂଯୁକ୍ତ ଯୁଦ୍ଧ ସିଦ୍ଧାନ୍ତ ପ୍ରସ୍ତୁତ କରାଯାଇଛି । ଏ ସଂକ୍ରାନ୍ତ ଦସ୍ତାବିଜକୁ ସେନାର ସ୍ୱତନ୍ତ୍ର ବଳ,ବାୟୁସେନାର ଗରୁଡ଼ କମାଣ୍ଡୋ  ବାହିନୀ ଓ ନୌସେନାର ମାର୍କୋସ କମାଣ୍ଡୋ ଲାଗି ପ୍ରସ୍ତୁତ ହୋଇଛି । ପାକିସ୍ତାନ ବିରୋଧରେ ‘ଅପରେସନ୍‌ ସିନ୍ଦୂର’ ପରେ ଏହି ସ୍ୱତନ୍ତ୍ର ବାହିନୀ ଗଠନ ନେଇ ଚିନ୍ତା କରାଯାଇଛି ।

କୌଣସି ଦେଶ ଅଥବା ତାହାର ଆତଙ୍କବାଦୀ ଭାରତ ବିରୋଧରେ ପଦକ୍ଷେପ ନେଲେ, ତାହା ବିରୋଧରେ  କି କାର୍ଯ୍ୟାନୁଷ୍ଠାନ ହେବ ? ଯୁଦ୍ଧ ହେଲେ ଏହି ସ୍ୱତନ୍ତ୍ର କମାଣ୍ଡୋଗୁଡ଼ିକ କ’ଣ କରିବେ ଏବଂ ଶାନ୍ତିକାଳରେ କିଭଳି ଭୂମିକା ରହିବ, ତାହା ନେଇ ସ୍ଥିତି ସ୍ପଷ୍ଟ କରାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ଶତ୍ରୁପକ୍ଷର ସାମରିକ ଟାର୍ଗେଟ୍‌ଗୁଡ଼ିକର ଭିତରେ ପଶି ଆକ୍ରମଣ ପାଇଁ କ୍ଷମତା ବଢ଼ାଇବା । ଏଥିସହ ଶତ୍ରୁପକ୍ଷର କେଉଁ ଠିକଣା ଉପରେ ଆକ୍ରମଣ କଲେ ତାହାର ମେରୁଦଣ୍ଡ ଭାଙ୍ଗିଯିବ ଏବଂ ତାହା ଉପରେ ସାଙ୍ଘାତିକ ଆର୍ଥିକ ପ୍ରଭାବ ପଡ଼ିବ, ତାହା ନେଇ ମଧ୍ୟ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଭାରତର ଏହି ପ୍ରସ୍ତାବିତ ଏଲିଟ୍‌ ଫୋର୍ସର ୪ଟି ସମ୍ଭାବ୍ୟ ଭୂମିକା ସ୍ଥିର କରାଯାଇଛି । ତାହା ହେଉଛି ବିଧ୍ୱଂସ, ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ, ଚଢ଼ଉ ଏବଂ ଏୟାର ଆମ୍ବୁଶ । ସ୍ଥଳ, ଜଳ ଏବଂ  ଆକାଶରେ ଏମାନେ ସଶକ୍ତ ରହିବେ ।

ଆମେରିକାର ଡେଲ୍‌ଟା ଫୋର୍ସ  ଏବଂ ନେଭି ସିଲ୍‌ସ, ରୁଷ୍‌ର  ସ୍ପେତ୍‌ସନାଜ ଏବଂ ଇସ୍ରାଏଲ୍‌ର ସାୟରେଟ୍‌ ମତକାଲ୍‌ ବିଶ୍ୱର ସବୁଠୁ  ଭୟଙ୍କର ସ୍ୱତନ୍ତ୍ର ବାହିନୀ । ଏମାନେ ଶତ୍ରୁପକ୍ଷଙ୍କ ଘରେ ପଶି ସଠିକ୍‌ ଆକ୍ରମଣ  କରିବାରେ ପାରଙ୍ଗମ। ଡେଲ୍‌ଟା  ଫୋର୍ସକୁ ଆମେରିକା ୧୯୭୭ରେ  ବନାଇଥିଲା । ସେହିଭଳି ଦ୍ୱିତୀୟ  ବିଶ୍ୱଯୁଦ୍ଧ ପରେ ୧୯୬୨ରେ ଆମେରିକା  ନୌସେନା ନେଭି ସିଲ୍‌ସ ଗଢ଼ିଥିଲା।  ରୁଷ୍‌ର ସ୍ୱତନ୍ତ୍ର ବାହିନୀ ସ୍ପେତ୍‌ସନାଜ  ସୋଭିଏତ ସଂଘ ସମୟରୁ ଅସ୍ତିତ୍ୱରେ  ରହିଛି । ଏବେ ସେନା, ଗୁଇନ୍ଦା ଏଜେନ୍ସି  ଏବଂ ଆଭ୍ୟନ୍ତରୀଣ ବାହିନୀରେ ପୃଥକ୍‌ ସ୍ପେତ୍‌ସନାଜ ୟୁନିଟ୍‌ କାର୍ଯ୍ୟ କରୁଛି ।