PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି ସହରରେ ଆତଙ୍କ ଖେଳାଉଛି କୁଳଡିହା ଦନ୍ତା
  • ||
  • ହକି ବିଶ୍ୱକପ୍‌ ଫାଇନାଲରେ ଜର୍ମାନୀ , ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇଲା ଜର୍ମାନୀ
  • ||
  • ଦିନ ଦ୍ୱିପ୍ରହରରେ ଘରେ କଳାକନା ବୁଲାଇଲା ଚୋର : ଲୁଟି ନେଲା ୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ୧ଲକ୍ଷ ୧୦ ହଜାର ଟଙ୍କା
  • ||
  • ଗୋଟିଏ ରିପୋର୍ଟରେ ଦୋହଲି ଗଲା ଆଦାନୀଙ୍କ ସାମ୍ରାଜ୍ୟ , କୋଟିପତିଙ୍କ ତାଲିକାରୁ ଖସି ରହିଲେ ୭ମ ନମ୍ୱରରେ
  • ||

ଏକାମ୍ର ହାଟରେ ‘ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୨’ଉଦ୍‌ଘାଟିତ; ଡିସେମ୍ବର ୧୪ପର୍ଯ୍ୟନ୍ତ ଚାଲିବ ମେଳା

ଭୁବନେଶ୍ୱର, ୨୭/୧୧ : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଆଜି ସନ୍ଧ୍ୟାରେ ସମ୍ବଲପୁରୀ ବସ୍ତ୍ରାଳୟ ପକ୍ଷରୁ ଆୟୋଜିତ ‘ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୨’କୁ ଉଦ୍‌ଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କ ପୋହି(POHI) ୨୦୨୨-୨୩ ଯୋଜନାରେ ଭୁବନେଶ୍ୱରସ୍ଥିତ ଏକାମ୍ର ହାଟଠାରେ ଅନୁଷ୍ଠିତ ଏହି ମେଳା ଜନସାଧାରଣଙ୍କ ନିମନ୍ତେ ଡିସେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ।

ରାଜ୍ୟରେ ଥିବା ବିଭିନ୍ନ ହସ୍ତତନ୍ତ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକରେ ଜଡ଼ିତ ଥିବା ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଲୁଗାର ବିକ୍ରୟ ବୃଦ୍ଧି ସହ ବୁଣାକାରମାନଙ୍କୁ ନିୟମିତ କାମ ଯୋଗାଇଦେବା ଲାଗି ବିଭାଗ ଦ୍ୱାରା ଅନୁମୋଦିତ ବାର୍ଷିକ ତାଲିକା ହିସାବରେ ଏହି ମେଳା ଆୟୋଜିତ ହୋଇଛି । ଏହି ମେଳାରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ରାଜ୍ୟର ବରଗଡ଼, କଟକ, ସୋନପୁର, ଆଠଗଡ଼, ଢେଙ୍କାନାଳ, ବାରିପଦା, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, ବଲାଙ୍ଗୀର ଓ ବୌଦ୍ଧ ବୟନ ମଣ୍ଡଳମାନଙ୍କରୁ ଆସିଥିବା ୩୫ଟି ସମବାୟ ସମିତି ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କ ଉତ୍ପାଦିତ ଲୁଗାର ପ୍ରଦର୍ଶନୀ ଏବଂ ବିକ୍ରୟ କରିବେ ।

ଏଥିଲାଗି ସେମାନଙ୍କୁ ୩୪ଟି ଦେୟମୁକ୍ତ ଷ୍ଟଲ ପ୍ରଦାନ କରାଯାଇଛି । ରାଜ୍ୟର ବିଭିନ୍ନ ପ୍ରାନ୍ତର ଉତ୍ପାଦିତ ହସ୍ତତନ୍ତ ଲୁଗା ଉପରେ ଗ୍ରାହକମାନଙ୍କୁ ୧୦%+୨୦% ସରକାରୀ ରିହାତି ପ୍ରଦାନ କରାଯାଉଛି । ଆଜିର ଉଦ୍‌ଘାଟନୀ ଉତ୍ସବରେ ବୟନଶିଳ୍ପ ନିର୍ଦ୍ଦେଶକ ଶୋଭନ କ୍ରିଷ୍ଣା ସାହୁ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ସରୋଜ ପଟେଲ, ସମ୍ବଲପୁରୀ ବସ୍ତ୍ରାଳୟର ପରିଚାଳନା ନିର୍ଦ୍ଦେଶକ ଶିଶିର ନାଗ, ସଭାପତି ସମ୍ବିତ କୁମାର ଆଚାର୍ଯ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସମିତିର ବାଣିଜ୍ୟ ଅଧିକାରୀ ହେମନ୍ତ ମିଶ୍ର ସଂଯୋଜନା କରିଥିଲେ ।

ପ୍ରକାଶ ଯୋଗ୍ୟ ଯେ, ଏକାମ୍ର ହାଟରେ ଅକ୍ଟୋବର ୨ରୁ ନଭେମ୍ବର ୨୫ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫୭୧ଜଣ ହସ୍ତତନ୍ତ ବୁଣାକାର/ସଂସ୍ଥା ଓ ୮୭୬ ଜଣ ହସ୍ତଶିଳ୍ପ କାରିଗର ଯଥାକ୍ରମେ ୭୯୩.୫୬ ଲକ୍ଷ ଟଙ୍କା ଏବଂ ୬୩୩.୩୨ ଲକ୍ଷ ଟଙ୍କାର ବିକ୍ରିବଟା କରିଛନ୍ତି । ଏଠାରେ ଥିବା ଫୁଡ୍‌ ଷ୍ଟଲମାନଙ୍କରେ ମଧ୍ୟ ୨୭୫.୪୩ ଲକ୍ଷ ଟଙ୍କାର କାରବାର ହୋଇଛି । ଏହି ଅବଧି ମଧ୍ୟରେ ହାଟକୁ ୨.୧୭ ଲକ୍ଷ ଲୋକ ଆସିଛନ୍ତି ।