ପାକିସ୍ତାନରୁ କନ୍ୟା ହୋଇ ଯୋଧପୁର ଆସିଲେ ଫାତିମା , ଅନଲାଇନରେ ହେଲା ବିବାହ

ଜୟପୁର – କୁହାଯାଏ ଦୁଇ ଯୋଡ଼ିଙ୍କର ବିବାହ ସ୍ୱର୍ଗରେ ସ୍ଥିର ହୋଇଥାଏ , ସେମାନେ ଯେଉଁଠି ବି ଥାଆନ୍ତୁ ନା କାହିଁକି , ଯେଉଁ ବର୍ଗର ହୋଇଥାଆନ୍ତୁ ନା କାହିଁକି, ଯିଏ ଯାହା ପାଇଁ ସେ ନିଶ୍ଚୟ ତାର ହିଁ ହୁଏ । ଏହା ସତ୍ୟ । ସଦ୍ୟ ଏମିତି ଏକ ଉଦାହରଣ ରାଜସ୍ଥାନର ଯୋଧପୁରରେ ଦେଖିବାକୁ ମିଳିଛି। ସୀମା ସରହଦ ପାରିର ଏହି ବିବାହକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି , ଯେଉଁଥିରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବିବାହ ସଂପନ୍ନ ହୋଇଛି ଏବଂ କନ୍ୟା ୱାଘା ବର୍ଡର ମଧ୍ୟଦେଇ ପାକିସ୍ତାନରୁ ଯୋଧପୁରରେ ପହଞ୍ଚିଛନ୍ତି।
ଯେତେବେଳେ ଗୋଟେପଟେ ଭାରତ-ପାକିସ୍ତାନର ସରହଦରେ ଉତ୍ତେଜନା ଜାରି ରହିଛି ,ସେତେବେଳେ ଅନ୍ୟପଟେ ସେତେବେଳେ ଭାରତ-ପାକିସ୍ତାନର ନାଗରକିଙ୍କ ହୃଦୟରେ ସଂପର୍କ ଯୋଡ଼ିବାର ଉତ୍ସାହ କିନ୍ତୁ କମିନାହିଁ । ଏହି ସଂପର୍କ ଏତେ ଗଭୀର ଯେ , ଭିଡ଼ିଓ ମାଧ୍ୟମରେ ଝିଅଙ୍କର ବିବାହ ହେଉଛି ।

ଯୋଧପୁର ସହରର ମୁଜମ୍ମିଲ ଖାନଙ୍କ ସହ ୨ ଜାନୁୟାରୀ ୨୦୨୩ରେ ଅନଲାଇନ୍ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ନିକାହ ପଢିଥିଲେ ପାକିସ୍ତାନର ମିରପୁରଖାସର ଉରୁଜ ଫାତିମା । ଏବେ ୧୩୮ଦିନ ପରେ ନିଜର ଶ୍ୱଶୂର ଘରେ ପହଞ୍ଚିଛନ୍ତି ସେ । ଏଠାରେ ଶ୍ୱଶୂର ଘରେ ଖୁସିର ମାହୋଲ ଲାଗି ରହିଛି । ପାକିସ୍ତାନୀ କନ୍ୟାକୁ ଦେଖିବାକୁ ଅତିଥିଙ୍କ ଆଗମନ ଜାରି ରହିଛି ଏବଂ ଅନେକ ଲୋକ ଏହି କନ୍ୟାକୁ ଦେଖିବାକୁ ଆସୁଛନ୍ତି ।
କନ୍ୟାର ଜେଜେ ବାପା ଭାଲହେ ଖାନ ମେହର କହିଛନ୍ତି , ଭିସା ନମିଳିବା ଯୋଗୁଁ ପାକିସ୍ତାନରୁ କନ୍ୟାକୁ ଭାରତ ଆଣିବାରେ ବିଳମ୍ୱ ହୋଇଥିଲା। ପାକିସ୍ତାନ ଝିଅ ଏବେ ଭାରତ ପୁଅର ବୋହୂ (ବେଗମ) ହୋଇଛି । କନ୍ୟା ଭାରତ ପହଞ୍ଚି ବହୁତ ଖୁସି ଅନୁଭବ କରୁଛି । ଭାଲେ ଖାନ ମେହର କହିଛନ୍ତି କି ମୁଁ ପାକିସ୍ତାନ ଯାଇଥିଲି , ସେତେବେଳେ କନ୍ୟା ସାଜି ଏଠାକୁ ଆସିଥିବା ଫାତିମା ମୋର ବହୁତ ସେବା କରିଥିଲା । ସେତେବେଳେ ମୁଁ ତାକୁ ମୋର ନାତି ପାଇଁ ପସନ୍ଦ କଲି ଏବଂ ସଂପର୍କ ପକ୍କା କରି ଦେଲି। ଏହାପରେ ଭାରତ ପାକିସ୍ତାନ ମଧ୍ୟରେ ଚାଲୁଥିବା ଟ୍ରେନ ବନ୍ଦ ହୋଇଯାଇ ଥିଲା। ଆମେ ଗରିବ ପରିବାରର ହୋଇଥିବାରୁ ଆମେ ପାଖରେ ଏତେ ଅର୍ଥ ନଥିଲା କି ବରଯାତ୍ରୀଙ୍କୁ ଫ୍ଲାଇଟ୍ରେ ନେଇ ଯିବାକୁ। ଏହାପରେ ଆମେ ଅନଲାଇନ୍ ଭିଡ଼ିଓ କନଫରେନ୍ସିଂରେ ବିବାହ (ନିକାହ) କରିଲୁ। ବିବାହ ପରେ କନ୍ୟାକୁ ଭାରତ ଆଣିବାକୁ ଭିସା ମିଳିବାରେ ବିଳମ୍ୱ ଯୋଗୁଁ ପାକିସ୍ତାନରୁ କନ୍ୟା ବିଦାଇରେ ବିଳମ୍ୱ ହୋଇଗଲା। ପାକିସ୍ତାନର ଏହି କନ୍ୟାର ସ୍ୱାମୀ ଏକ ପ୍ରାଇଭେଟ୍ କମ୍ପାନୀରେ ଡ୍ରାଇଭର ଭାବେ କାମ କରନ୍ତି ।