ନୂଆଦିଲ୍ଲୀ ୧୧/୦୭: ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେବ ଅନୁପମ ଖେରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ତନ୍‌ଭି ଦ ଗ୍ରେଟ୍‌’ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ହେବ । ଏହା ଫିଲ୍ମ ଟିମ୍‌, ଖାସ୍‌କରି ଅନୁପମ ଖେରଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଟିଜମ୍‌ ଓ ଭାରତୀୟ ଆର୍ମି ଉପରେ ପର୍ଯ୍ୟବସିତ ‘ତନ୍‌ଭି ଦ ଗ୍ରେଟ୍‌’ କାନ୍‌, ନ୍ୟୁୟର୍କ, ହଷ୍ଟନ୍‌ ଓ ଲଣ୍ଡନ ଫେଷ୍ଟିଭାଲ୍‌ରେ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି । 

ନ୍ୟାସ୍‌ନାଲ ଡିଫେନ୍ସ ଏକାଡେମୀ ଓ ସଦର୍ନ କମାଣ୍ଡ୍‌, ପୁନେରେ ଆୟୋଜିତ ସ୍ପେଶାଲ ପ୍ରିଭ୍ୟୁରେ ଫିଲ୍ମକୁ ଷ୍ଟାଣ୍ଡିଂ ଓଭେସନ୍‌ ମିଳିଥିଲା । ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଫିଲ୍ମକୁ ଉପସ୍ଥାପନ କରି ଅତ୍ୟନ୍ତ ସମ୍ମାନିତ ଅନୁଭବ କରୁଥିବା ଅନୁପମ ଖେର କହିଛନ୍ତି । ଏହା ଅଟିଜମ୍‌ ଓ ଭାରତୀୟ ଆର୍ମି ଉପରେ କେନ୍ଦ୍ରିତ ହୋଇଥିବାରୁ ସଶସ୍ତ୍ର ବାହିନୀର ସର୍ବୋଚ୍ଚ ମୁଖ୍ୟଙ୍କୁ ଫିଲ୍ମ ଦେଖାଇବାଠୁ ଭଲ ଆଉ କ’ଣ ହୋଇପାରେ ବୋଲି ସେ କହିଛନ୍ତି । 

‘ତନ୍‌ଭି ଦ ଗ୍ରେଟ୍‌’ ତନ୍‌ଭି ରୈନାଙ୍କ କାହାଣୀ ଉପରେ ପର୍ଯ୍ୟବସିତ, ଯିଏ ନିଜ ମା’ ବିଦ୍ୟା (ପଲ୍ଲବୀ ଯୋଶୀ) ଓ ଜେଜେବାପା କର୍ଣ୍ଣେଲ ପ୍ରତାପ ରୈନାଙ୍କ ସହ ରହୁଛନ୍ତି । ପ୍ରତିରକ୍ଷା ବାହିନୀରେ ଥିବା ତାଙ୍କର ଦିବଂଗତ ବାପା ସମର ରୈନାଙ୍କ ସେବା ଦ୍ୱାରା ପ୍ରେରିତ ହୋଇ ତନ୍‌ଭି ତାଙ୍କ ପଦାଙ୍କ ଅନୁସରଣ କରିବାକୁ ସ୍ଥିର କରିଛନ୍ତି । ଫିଲ୍ମରେ ଜ୍ୟାକି ଶ୍ରଫ୍‌, ଅରବିନ୍ଦ ସ୍ୱାମୀ, କରନ ଟକର ଅଭିନୟ କରିଛନ୍ତି । ଆସନ୍ତା ୧୮ ତାରିଖରେ ଏହା ବିଶ୍ୱସ୍ତରରେ ମୁକ୍ତିଲାଭ କରିବ ।