ନୂଆଦିଲ୍ଲୀ, ୨୭।୧୦: ଏଭଳି ଏକ ଗାଁ ଯେଉଁଠାରେ ଅଧିକାଂଶ ଯାଆଁଳା ପିଲା ଜନ୍ମ ନିଅନ୍ତି । ଏକ ଏଭଳି ଗାଁ ଯେଉଁଠାରେ କାହାରି ଘରେ କବାଟ ନାହିଁ । ଆପଣ ଏଭଳି ଗାଁ ବିଷୟରେ ସୋସିଆଲ ମିଡିଆରେ ଦେଖିଥିବା କିମ୍ୱା ପଢ଼ିଥିବେ । ଏ ସବୁ ଗାଁର ବିଶେଷତ୍ୱ ପଛରେ କାରଣ କ’ଣ ? ଏଠି କ’ଣ ରହିଛି ଖାସ୍ । ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ଭାରତର ପ୍ରସିଦ୍ଧ ଗାଁ ବିଷୟରେ । ଆସନ୍ତୁ ଜାଣିବା । ଗୁଜୁରାଟର ଏକ ଛୋଟ ଗାଁ ଜମ୍ୱୁର, ଯାହା ଭାରତର ମିନି ଆଫ୍ରିକା ଭାବେର ପରିଚିତ । ଏଠି ପ୍ରଶ୍ନ ଉଠୁଛି ଏହି ଆଫ୍ରିକାନ୍ ଲୋକ ଗୁଜୁରାଟକୁ ଆସିଲେ କେମିତି ? ଜୁନାଗଡ଼ର ନୱାବ ମହମ୍ମଦ ମହବତ୍ ଖାନ୍ ତୃତୀୟ ହଜାର ବର୍ଷ ପୂର୍ବେ ଆଫ୍ରିକାର ୟୁଗାଣ୍ଡାରୁ ଗୁଜୁରାଟରେ କାମ କରିବାକୁ ଜାହାଜରେ ଆଫ୍ରିକାନବାସୀଙ୍କୁ ଆଣିଥିଲେ । କାମ ଶେଷ ହେବା ପରେ ଜୁନାଗଡ଼ ନୱାବ ସେଠାରେ ରହିବାକୁ ସେମାନଙ୍କୁ ଜମି ଦେଇଥିଲେ । ତାଙ୍କ ପରିବାର ସହ ଗୁଜୁରାଟରେ ବସବାସ କରିବାକୁ ସେ କହିଥିଲେ । ଧିରେ ଧିରେ ଗୁଜୁରାଟର ଜମ୍ୱୁର ଗାଁରେ ଆଫ୍ରିକାନ ବାସିନ୍ଦା ରହିବାକୁ ଆରମ୍ଭ କଲେ । ୟୁଗାଣ୍ଡାରୁ ଆସିଥିବା ଏହି ଲୋକମାନଙ୍କ ମଧ୍ୟରେ ସାହିଲି ଭାଷା ପ୍ରଚଳନ ଥିଲା । ଏହି ଭାଷା ବିଶେଷ କରି ତାଞ୍ଜାନିଆ ଓ କେନିଆରେ ପ୍ରଚଳିତ । ଯାହା ପରେ ସେମାନେ ଗୁଜୁରାତି ଭାଷା ଶିଖିଲେ । ଏହି ଗାଁର ଆଉ ଏକ ବିଶେଷତ୍ୱ ହେଉଛି ଏଠାରେ ଥିବା ମନ୍ଦିର । ଆଶ୍ଚର୍ଯ୍ୟର କଥା ହେଉଛି ମାତା ଜୀଙ୍କ ମନ୍ଦିର ଭିତରେ ରହିଛି ଦରଘା । ଏହି ମନ୍ଦିରରେ ହିନ୍ଦୁ ପ୍ରାର୍ଥନା କରନ୍ତି ଓ ଦରଘାରେ ମୁସଲିମ୍ ନମାଜ ପାଠ କରନ୍ତି ।
ଠିକ୍ ସେହିଭଳି ଆଉ ଏକ ସ୍ୱତନ୍ତ୍ର ଗାଁ ହେଉଛି ମହାରାଷ୍ଟ୍ରର ଏହେମଦ୍ଦନଗରରେ ଥିବା ଶନି ଶିଗନାପୁର । ଏହି ଗାଁର ସବୁଠୁ ଖାସ୍ କଥା ହେଉଛି ଏହି ଗାଁର କୌଣସି ଲୋକଙ୍କ ଘରେ ପ୍ରମୁଖ ଦ୍ୱାରରେ କବାଟ ନାହିଁ । ଶୁଣିବାକୁ ଅଜବ ଲାଗୁଥିବ । କିନ୍ତୁ, କାହିଁ କେଉଁ ଏହି ଗାଁର ଲୋକମାନେ ନିଜ ଘରେ କବାଟ ଲଗାନ୍ତି ନାହିଁ । ଏହି ଗାଁରେ ବଡ଼ ବଡ଼ ଘର ରହିଥିବା ବେଳେ ଘରେ ଆସବାପତ୍ର, ସୁନାଗହଣା, ଟଙ୍କା ମଧ୍ୟ ରହିଛି । କିନ୍ତୁ, ଘରର ସବୁଠୁ ପ୍ରମୁଖ ଜିନିଷ କବାଟ ନାହିଁ । କିଛି ଘରେ କବାଟ ରହିଛି କିନ୍ତୁ, କୌଣସି କବାଟରେ ତାଲା ପଡ଼େନି । ଏହାର କାରଣ କ’ଣ ନା ଏଠାରେ ଆଦୌ ଚୋରି ହୁଏନାହିଁ । ଗାଁ ଲୋକଙ୍କ କହିବାନୁସାରେ, ଗାଁରେ ଯେତେ ଥର ବି କେହି ଚୋରି କରିବାକୁ ଚେଷ୍ଟା କରେ, ସେ କେବେ ବି ସଫଳ ହୋଇନାହିଁ । କେବଳ ଏତିକି ନୁହେଁ, ଚୋରି କରିଥିବା ଲୋକ ପରବର୍ତ୍ତୀ ସମୟରେ ଅନ୍ଧ ଆଉ ପାଗଳ ହୋଇଯାନ୍ତି ବୋଲି ଲୋକମାନେ କୁହନ୍ତି ।
ଏହା ପଛର କାରଣ ହେଉଛି ଏହି ଗାଁର ଲୋକଙ୍କ ଇଷ୍ଟ ଦେବ ଶନି ମହାରାଜଙ୍କ ଉପରେ ଦୃଢ଼ ବିଶ୍ୱାସ । ଯାହାଙ୍କ ଭୟରେ ଏହି ଗାଁରେ ଚୋରି ହୁଏନାହିଁ । ଗାଁ ଲୋକଙ୍କ କହିବାନୁସାରେ, ଏହି ଗାଁରେ ଅନେକ ବର୍ଷ ପୂର୍ବେ ବନ୍ୟା ଆସିଥିଲା । ଏହି ବନ୍ୟାରେ ଏକ ବଡ଼ ପଥର ଗାଁକୁ ଭାସିଆସିଥିଲା । ଗାଁ ଲୋକ ଏହି ପଥରକୁ ହଟାଇବାକୁ ଚେଷ୍ଟା କରିବାରୁ ସେଥିରୁ ରକ୍ତ ବାହାରିଥିଲା । ସେହି ଦିନ ରାତିରେ ଗାଁ ଲୋକଙ୍କ ସ୍ୱପ୍ନରେ ଶନି ଦେବତା ଆସିଥିଲେ । ସେ ଗାଁ ଓ ଗାଁ ଲୋକଙ୍କୁ ସବୁଦିନ ପାଇଁ ସୁରକ୍ଷା ଦେବେ, ତେଣୁ ଗାଁର କୌଣସି ଘରେ କବାଟ ନ ଲଗାଇବାକୁ କହିଥିଲେ । ସେହଦିନଠାରୁ ହିଁ ଗାଁ ଲୋକ ନିଜ ନିଜ ଘରେ ନା କବାଟ ଲଗାନ୍ତି, ନା ତାଲା ପକାନ୍ତି । ଯଦି ଆଜି କୌଣସି ଲୋକଙ୍କ ଘରେ କବାଟ ରହିଛି, ତାହେଲେ ସେହି କବାଟରେ ତାଲା ପଡ଼େନାହିଁ ।
କେରଳର ଏକ ଛୋଟ ଗାଁ କୋଡ଼ିନି । ଏହି ଗାଁର ବିଶେଷତ୍ୱ ହେଉଛି, ଏହା ବିଶ୍ୱର ସବୁଠୁ ଅଧିକ ଯାଆଁଳା ଥିବା ଗାଁ । ବିଶ୍ୱର କୌଣସି ଗାଁରେ ଯଦି ଅଧିକ ଯାଆଁଳା ଅଛନ୍ତି, ତାହା ହେଉଛି କେରଳର କୋଡ଼ିନି ଗାଁ । ଗାଁ ଲୋକଙ୍କ ବିଶ୍ୱାସରେ ଏହା ମମ୍ୱ୍ରମ୍ ସାଏଦ୍ ଅଲଭି ପାଇଁ ହେଉଛି, ଯିଏ ଏହି ଗାଁର ସବୁଠୁ ପୁରୁଣା ମସଜିଦ୍ର ଇସଲାମିକ ସ୍କଲାର ଥିଲେ । ତେବେ ଏହି ଗାଁରେ ବୈଜ୍ଞାନିକମାନେ ମଧ୍ୟ ଗବେଷଣା ଜାରି ରଖିଛନ୍ତି । କିନ୍ତୁ, କୌଣସି ନିଷ୍କର୍ଷରେ ପହଞ୍ଚିପାରିନାହାନ୍ତି । କିଛି ବୈଜ୍ଞାନିକଙ୍କ ମତରେ ଏହା ବଂଶାନୁକ୍ରମିକ, କିଛି ଲୋକଙ୍କ ମତରେ ଏହା ପରିବେଶଗତ । କିନ୍ତୁ, ଏ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ଏ ରହସ୍ୟ ଉପରୁ ପରଦା ହଟାଇବାରେ ସଫଳ ହୋଇପାରିନାହାନ୍ତି ।