ନୂଆଦିଲ୍ଲୀ,୨/୯: ଯାତ୍ରୀଙ୍କୁ ଖାଇବା ପାଇଁ କେବଳ ବର୍ଗର-ଫ୍ରାଇଜ ଦେବା ପଡ଼ିଲା ମହଙ୍ଗା । ୫୫ ହଜାର ଟଙ୍କାର ଜରିମାନା ଦେବ ସ୍ପାଇସଜେଟ୍। ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନେ ଆଶା କରନ୍ତି ଯେ, ସେମାନେ ସମୟସୀମା ମଧ୍ୟରେ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିବ। କିନ୍ତୁ କେତେକ ସମୟରେ ପାଗ କିମ୍ବା ଅନ୍ୟାନ୍ୟ ପରିସ୍ଥିତି ଯୋଗୁଁ ବିଳମ୍ବ ହୋଇଥାଏ।ଏନେଇ ଯାତ୍ରୀମାନଙ୍କ ସୁବିଧା ପ୍ରତି ସମ୍ପୂର୍ଣ୍ଣ ଯତ୍ନ ନେବା ବିମାନ କମ୍ପାନୀର ଦାୟିତ୍ୱ। ସେମାନଙ୍କ ରହିବାଠାରୁ ଆରମ୍ଭ କରି ଖାଦ୍ୟ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କମ୍ପାନି ପକ୍ଷରୁ କରାଯିବା ଉଚିତ, କିନ୍ତୁ ବିମାନ କମ୍ପାନୀ ଏହି ଦାୟିତ୍ୱକୁ ଅଣଦେଖା କରୁଥିବା ନଜର ଆସିଛି। ଯାହାକୁ ନେଇ  ଉପଭୋକ୍ତା କମିଶନ ନେଇଛି ଏଭଳି ନିଷ୍ପତ୍ତି ।

ମୁମ୍ବାଇର ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ କମିଶନ ଜଣେ ଯାତ୍ରୀଙ୍କ ସପକ୍ଷରେ ଏହି ରାୟ ଦେଇଛନ୍ତି। ଏହି ମାମଲାରେ, ସ୍ପାଇସଜେଟକୁ ୫୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରୀ ଜଣକ କମିଶନଙ୍କ ସମ୍ମୁଖରେ ନିବେଦନ କରିଥିଲେ ଯେ ବିମାନର ୧୪ ଘଣ୍ଟା ବିଳମ୍ବ ସମୟରେ ତାଙ୍କୁ କେବଳ ବର୍ଗର ଏବଂ ଫ୍ରାଇଜ ଦିଆଯାଇଥିଲା।କମିଶନ କହିଛନ୍ତି ଯେ,କୌଣସି ଯାନ୍ତ୍ରିକ ତ୍ରୁଟି  ଯୋଗୁଁ ବିମାନ ଗନ୍ତବ୍ୟସ୍ଥଳରେ ବିଳମ୍ବରେ ପହଞ୍ଚିବା ସ୍ବଭାବିକ । କିନ୍ତୁ ସେ ପର୍ଯ୍ୟନ୍ତ  କମ୍ପାନୀଗୁଡ଼ିକ ସେମାନଙ୍କର କର୍ତ୍ତବ୍ୟରୁ ଓହରିପାରିବେ ନାହିଁ। ସେମାନେ ଯେ କୌଣସି ପରିସ୍ଥିତିରେ ସେମାନଙ୍କର ଯାତ୍ରୀମାନଙ୍କର ଯତ୍ନ ନେବା ଉଚିତ। କମିଶନ ଆହୁରି କହିଛନ୍ତି ଯେ, ଏପରି ପରିସ୍ଥିତିରେ ଗ୍ରାହକଙ୍କ ପାଇଁ ଖାଦ୍ୟ, ପାଣି ଏବଂ ରହିବାର ଉପଯୁକ୍ତ ବ୍ୟବସ୍ଥା କରିବା ଜରୁରୀ। ଯାତ୍ରୀମାନଙ୍କୁ ଏ ବିଷୟରେ ସମସ୍ତ ସୂଚନା ଦେବା ଆବଶ୍ୟକ।