ନୂଆଦିଲ୍ଲୀ, ୨୮/୨ : ସୁପର-୮ର ଅନ୍ତିମ ମୁକାବିଲା ଜିତିଛି ପାକିସ୍ତାନ । ଶ୍ରୀଲଙ୍କାକୁ ୫ ରନରେ ପରାସ୍ତ କରିଛି । ତେବେ ଏହି ମ୍ୟାଚଟି ପାକିସ୍ତାନ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ରହିଥିଲା । ବଡ଼ ରନ୍ ବ୍ୟବଧାନରେ ଜିତିଥିଲେ ପାକିସ୍ତାନ ସେମିରେ ପହଞ୍ଚିଥାନ୍ତା । କିନ୍ତୁ ପାକିସ୍ତାନର ସେମି ଆଶାରେ ପାଣିଚିଆ କରିଛି ଶ୍ରୀଲଙ୍କା । ପାକିସ୍ତାନ ପାଖାପାଖି ୭୦ ରନରେ ଜିତିଥିଲେ ସେମିରେ ପହଞ୍ଚିଥାନ୍ତା । କିନ୍ତୁ ଶ୍ରୀଲଙ୍କା ଏହାକୁ ଦେଇନାହିଁ । ଯେଉଁ କାରଣରୁ ନେଟ ରନରେଟ୍ ହିସାବରେ ସେମିରେ ପହଞ୍ଚିଛି ନ୍ୟୁଜିଲାଣ୍ଡ । ଶୁକ୍ରବାର ଇଂଲଣ୍ଡଠାରୁ ହାରିବା ପରେ ମଧ୍ୟ ଏବେ ୩ ପଏଣ୍ଟ ସହ ସେମିରେ ପହଞ୍ଚିଛି ।

ଆଜିର ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୮ ଓ୍ବିକେଟ୍ ବିନିମୟରେ ୨୧୨ ରନ୍ କରିଥିଲା । ଦଳ ପକ୍ଷରୁ ଦୁଇ ଓପନର ବ୍ୟାଟ୍ସମ୍ୟାନ ବଡ଼ ପାଳି ଖେଳିଛନ୍ତି । ଫରହାନ ୬୦ ବଲରୁ ୧୦୦ ରନ କରିଛନ୍ତି । ଏହି ଶତକୀୟ ପାଳିରେ ୯ ଚୌକା ଏବଂ ୫ ଛକା ରହିଛି । ଏହାସହ ସାଥୀ ଓପନର ଫକର ଜମାନ ୮୪ ରନ୍ କରିଛନ୍ତି । ସେ ୯ ଚୌକା ଏବଂ ୪ ଛକା ମାରି ଶ୍ରୀଲଙ୍କାର ବୋଲରଙ୍କୁ ଧରାଶାୟୀ କରିଛନ୍ତି । ଦଳର ଦୁଇ ଓପନର ବ୍ୟାଟ୍ସମ୍ୟାନ ବଡ଼ ପାଳି ଖେଳିଥିବାବେଳେ ଶେଷ ଓଭର ଗୁଡ଼ିକରେ ଓ୍ବିକେଟ୍ ହରାଇଥିଲା ପାକିସ୍ତାନ ।

ଶ୍ରୀଲଙ୍କା ଏହି ସ୍କୋରକୁ ପିଛା କରିବାକୁ ଯାଇ ୬ ଓ୍ବିକେଟ ବିନିମୟରେ ୨୦୭ କରିବାରେ ସକ୍ଷମ ହୋଇଥିଲା । ସନାକା ୭୬ ରନର ବିସ୍ଫୋରକ ପାଳି ଖେଳିଥିଲେ । ଶେଷ ଦୁଇ ବଲରେ ୬ ରନ୍ ଆବଶ୍ୟକ ହୋଇଥିବାବେଳେ ସାହିନ୍ ଆଫ୍ରିଦ ଭଲ ବୋଲିଂ କରିଥିଲେ । ଯଦିଓ ଅନ୍ତିମ ଓଭରରେ ଅଧିକ ସ୍କୋର ବ୍ୟୟ କରିଥିଲେ ତଥାପି ସେ ଶେଷ ୨ ବଲ ଦମଦାର ପକାଇଥିଲେ ।

ଏହାସହ ପଢ଼ନ୍ତୁ : ବିବାହ ପୂର୍ବରୁ ପ୍ରେମିକା ସହ ଯାଇଥିଲେ ଲଜ୍, ମୃତ୍ୟୁର କାରଣ ପାଲଟିଲା ଶକ୍ତିବର୍ଦ୍ଧକ ବଟିକା