ଶ୍ରୀମନ୍ଦିର ନୀତି ସବ୍କମିଟି ବୈଠକ; ନୀଳାଚଳ ଅବଢ଼ା ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହେଲାନି

ପୁରୀ,୪ା୬(ବ୍ୟୁରୋ): ଜୁଲାଇ ୧୫ରେ ମହାପ୍ରଭୁଙ୍କ ନୀଳାଦ୍ରିବିଜେ । ଗୁଣ୍ଡିଚା ଘରୁ ଠାକୁର ଫେରି ବଡ଼ଦାଣ୍ଡରେ ରହି ଯେଉଁଦିନ ଭିତରକୁ ଯାଆନ୍ତି ତାହାକୁ ନୀଳାଦ୍ରିବିଜେ କୁହାଯାଏ । ନୀଳାଦ୍ରିବିଜେ ପରଦିନ ବଡ଼ଦେଉଳରେ ଯେଉଁ ଅବଢ଼ା ମିଳେ ତାକୁ କହନ୍ତି ନୀଳାଚଳ ଅବଢ଼ା । ଏବର୍ଷ ଜୁଲାଇ ୧୬ରେ ପଡୁଛି ନୀଳାଚଳ ଅବଢ଼ା ଓ ଚନ୍ଦ୍ରଗ୍ରହଣ । ନୀଳାଦ୍ରିବିଜେ ପର ଦିନ ମହାପ୍ରଭୁଙ୍କ ଏହି ଅବଢ଼ାକୁ ଭକ୍ତ ଚାହିଁ ବସିଥାଏ । ଏନେଇ ଶ୍ରୀମନ୍ଦିର ନୀତି ସବ୍କମିଟି ବୈଠକରେ ନୀତି ନିର୍ଘଣ୍ଟ ଆଲୋଚନା ହେବାର ଥିଲା । ଆଜି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ । ୯ରେ ଛତିଶା ନିଯୋଗ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।
ଗ୍ରହଣ ନୀତି ପରିପ୍ରେକ୍ଷୀରେ ଠିକଣା ସମୟରେ ନୀଳାଚଳ ଅବଢ଼ା ବାହାର କରିବାକୁ ହେଲେ ମହାପ୍ରଭୁଙ୍କ ଜୁଲାଇ ୧୫ରେ ନୀଳାଦ୍ରିବିଜେ ନୀତିକୁ ସଜାଡ଼ିବାକୁ ପଡ଼ିବ । ବିଶେଷକରି ନୀଳାଦ୍ରିବିଜେ ପହଣ୍ଡି ଓ ପହୁଡ଼କୁ ସଅଳ କରିବାକୁ ପଡ଼ିବ । ଜୁଲାଇ ୧୫ ନୀଳାଦ୍ରିବିଜେ ପହଣ୍ଡିକୁ ଦିନ ୨ଟାରୁ ୩ଟା ମଧ୍ୟରେ ଆରମ୍ଭ କରାନଗଲେ ରାତି ପହୁଡ଼ ହୋଇପାରିବ ନାହିଁ ବୋଲି ଆଲୋଚନା ହୋଇଥିଲା । ଏହା ଏକ ସ୍ପର୍ଶକାତର ପ୍ରସଙ୍ଗ ହୋଇଥିବାରୁ ଗ୍ରହଣ ପୂର୍ବ ଦିନର ନୀଳାଦ୍ରିବିଜେ ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗରେ ଆଲୋଚନା କରିବାକୁ ନୀତି ସବ୍କମିଟି ନିଷ୍ପତ୍ତି ନେଇଛି । ଏହି କାରଣରୁ ରଥଯାତ୍ରା ସହ ଜଡ଼ିତ ସମସ୍ତ ଯାନିଯାତ୍ରାର ନୀତି ନିର୍ଘଣ୍ଟ ଉପରେ ସବ୍କମିଟି ବୈଠକରେ କୌଣସି ନିଷ୍ପତ୍ତି ହୋଇନାହିଁ । ଛତିଶା ନିଯୋଗ ବୈଠକ ପରେ ରଥଯାତ୍ରା ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହେବ ବୋଲି ସବ୍କମିଟି ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି ।
ବୈଠକରେ ରଥଯାତ୍ରା ସମେତ ଅନ୍ୟ ଯାନିଯାତ୍ରାର ନୀତି ନିର୍ଘଣ୍ଟଗୁଡ଼ିକ ଉପରେ ଅଧିକ ଆଲୋଚନା କରିବାକୁ ସବ୍କମିଟି ମତ ଦେଇଥିଲା । ଛତିଶା ନିଯୋଗ ବୈଠକରେ ରଥଯାତ୍ରା ସମେତ ସମସ୍ତ ଯାନିଯାତ୍ରାର ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହେବା ପରେ ଜୁନ ୧୧ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଅନୁମୋଦନ ପାଇଁ ପେସ୍ କରାଯିବ । ମୋଟାମୋଟି ଭାବେ ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଯାନିଯାତ୍ରାର ତାରିଖଗୁଡ଼ିକୁ କେବଳ ନୀତି ସବ୍କମିଟି ବୈଠକରେ ସହମତି ମିଳିଛି ।
ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, ଜିଲ୍ଲାପାଳ ବଲୱନ୍ତ ସିଂ, ଏସ୍ପି ଉମାଶଙ୍କର ଦାଶ, ପରିଚାଳନା କମିଟିର ରାମଚନ୍ଦ୍ର ଦାସମହାପାତ୍ର, ତଳୁଛ ନୀଳକଣ୍ଠ ମହାପାତ୍ର, ମାଧବଚନ୍ଦ୍ର ପୂଜାପଣ୍ଡା ସାମନ୍ତ, ମାଧବ ମହାପାତ୍ର, ଅନନ୍ତ ତିଆଡି ପ୍ରମୁଖ ସଦସ୍ୟ, ନୀତି ଉପପ୍ରଶାସକ ବିଶ୍ୱଜିତ ବିଶ୍ୱାଳ ଆଲୋଚନାରେ ଭାଗ ନେଇଥିଲେ ।