ପୁରୀ,୧୭/୦୧: ଶ୍ରୀମନ୍ଦିର କାର୍ଯ୍ୟାଳୟ ଅଧୀନରେ କାମ କରୁଥିବା  ସମସ୍ତ ଅଧିକାରୀ ତଥା କର୍ମଚାରୀମାନେ  ଆସନ୍ତା ଜାନୁଆରୀ ୩୧ ତାରିଖ ସୁଦ୍ଧା  ୨୦୨୪ ବର୍ଷ ପାଇଁ ବାଧ୍ୟତାମୂଳକ ଭାବେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ । ଏହା  ଦାଖଲ ନକଲେ ବେତନ ବୃଦ୍ଧି, ପଦୋନ୍ନତି,  ପୁରସ୍କାର କିମ୍ବା କୌଣସି ଆର୍ଥିକ ପ୍ରାତ୍ସୋହନ  ରାଶି ପ୍ରଦାନ କରାଯିବ ନାହିଁ । ଶ୍ରୀମନ୍ଦିର  ପ୍ରଶାସନର କାର୍ଯ୍ୟ ସମୀକ୍ଷା କରିବା ପରେ  ଗୁରୁବାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି  ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢ଼ୀ ।  

ବୈଠକରେ ସମସ୍ତ ଅଧିକାରୀ  ଏବଂ କର୍ମଚାରୀଙ୍କ ପାଇଁ ୫ ସୂତ୍ରୀ  କାର୍ଯ୍ୟାବଳୀ ଅନୁପାଳନ ନିମନ୍ତେ ସେ  ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଶ୍ରୀମନ୍ଦିର  ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।  ୫ ସୂତ୍ରୀ କାର୍ଯ୍ୟାବଳୀଗୁଡିକ ହେଲା  ଡ୍ୟୁଟି ସମୟରେ ଶ୍ରୀମନ୍ଦିର ପ୍ରଶାସନରେ  କୌଣସି ଅଧିକାରୀ ତଥା କର୍ମଚାରୀ ପାନ,  ଗୁଟଖା କିମ୍ବା କୌଣସି ମାଦକ ଦ୍ରବ୍ୟ  ସେବନ କରିବେ ନାହିଁ । ପ୍ରତ୍ୟେକ ମାସ  ତୃତୀୟ ଶୁକ୍ରବାରରେ ବରିଷ୍ଠ ଅଧିକାରୀଙ୍କ  ସ୍ତରରେ କାର୍ଯ୍ୟ ସମୀକ୍ଷା କରାଯିବ । 

ସେହିପରି ପ୍ରତ୍ୟେକ ଶୁକ୍ରବାର  ସମସ୍ତ ଅଧିକାରୀ ତଥା କର୍ମଚାରୀ  ହସ୍ତତନ୍ତ ପୋଷାକ ପିନ୍ଧି କାର୍ଯ୍ୟାଳୟ  ଆସିବେ । ୟୁନିଫର୍ମ ପୋଷାକଧାରୀଙ୍କ  ସକାଶେ ଏହା ଲାଗୁ ହେବନାହିଁ । ଶ୍ରୀମନ୍ଦିର  ମଧ୍ୟରେ ଅଧିକାରୀ ତଥା କର୍ମଚାରୀଙ୍କ  ମୋବାଇଲ୍‌ ବ୍ୟବହାର ଉପରେ ମଧ୍ୟ  କଟକଣା ଜାରି କରାଯାଇଛି । ଶ୍ରୀମନ୍ଦିର  ପ୍ରଶାସନକୁ ଅଧିକ କ୍ରିୟାଶୀଳ ତଥା  ଉତ୍ତରଦାୟୀ କରିବାକୁ ଏହି ପରାମର୍ଶ ତଥା  ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀମନ୍ଦିର  ମୁଖ୍ୟ ପ୍ରଶାସକ ଡ. ପାଢୀ କହିଛନ୍ତି । 

ସୂଚନା ଥାଉକି, ଶ୍ରୀମନ୍ଦିର  କାର୍ଯ୍ୟାଳୟରେ କାମ କରିବା ବେଳେ ପାନ,  ଗୁଟୁଖା ଖାଇବା ବାବଦରେ ପୂର୍ବ ମୁଖ୍ୟ  ପ୍ରଶାସକ ରଞ୍ଜନ ପାଢ଼ି ନିଷିଦ୍ଧ ଆଦେଶ  ଲଗାଇଥିଲେ । ମାତ୍ର ଏହାକୁ ପରେ ପାଳନ  କରାଯାଉନଥିଲା । ସେହିପରି ଶ୍ରୀମନ୍ଦିରକୁ  ଯାଉଥିବା ପ୍ରଶାସନିକ କର୍ମଚାରୀମାନେ  ସାଙ୍ଗରେ ସ୍ମାର୍ଟ ଫୋନ୍‌ ନେଇ ଯାଉଥିବାରୁ  ଏହାକୁ ନେଇ ସାଧାରଣ ଲୋକଙ୍କ  ଭିତରେ ଅସନ୍ତୋଷ ଦେଖାଦେଉଥିଲା ।  ସମସ୍ତଙ୍କ ନିମନ୍ତେ ଗୋଟିଏ ପ୍ରକାର  ନିୟମ କରିବାକୁ ଦାବି ହୋଇ ଆସୁଥିଲା ।