ଭାରତ କେବଳ ସ୍ୱପ୍ନ ଦେଖିନି, ତାକୁ ବାସ୍ତବତାରେ ରୂପାନ୍ତର କରିଛି । ଶ୍ରୀହରିକୋଟା ଲଞ୍ଚ୍ ପ୍ୟାଡ୍ରୁ ଇଣ୍ଟରନ୍ୟାସ୍ନାଲ ସ୍ପେସ୍ ଷ୍ଟେସନ୍... ସବୁଠି ଉଡ଼ାଇଛି ବିଜୟ ତିରଙ୍ଗା । ଅବର୍ଣ୍ଣନୀୟ ଖ୍ୟାତି । ଅବିଶ୍ୱସନୀୟ ଉପଲବ୍ଧି । ୨୦୨୫ ମହାକାଶ ବିଜ୍ଞାନରେ ଭାରତ ପାଇଁ ଥିଲା ଐତିହାସିକ ବର୍ଷ । ସ୍ପେସ୍ ଟେକ୍ନୋଲୋଜିରେ ବିଶାଳ ଲମ୍ଫ ଭାରତକୁ ବିଶ୍ୱ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଦେଇଛି । ଭବିଷ୍ୟତର ମାନବ ମହାକାଶ ମିଶନ ଓ ସ୍ପେସ୍ ଷ୍ଟେସନ୍ ସ୍ୱପ୍ନରେ ଡେଣା ଯୋଡ଼ିଛି ।(ଲାଲିମା ପ୍ରିୟଦର୍ଶିନୀ କର)
ସ୍ପେସ୍ ଡକିଙ୍ଗ
ସମ୍ଭ୍ରାନ୍ତ ବର୍ଗରେ ଭାରତର ଦମ୍ଦାର ଏଣ୍ଟ୍ରି । ବଡ଼ ଧମାକା ସହିତ ବର୍ଷର ଶୁଭାରମ୍ଭ କରିଥିଲା ଭାରତ । ମହାକାଶରେ ଭାରତ ସେହି ଉପଲବ୍ଧି ହାସଲ କଲା, ଯାହା ଅଦ୍ୟାବଧି କେବଳ ଆମେରିକା, ରୁଷ୍ ଓ ଚୀନ୍ କରିଥିଲେ । ‘ସ୍ପେସ୍ ଡକିଙ୍ଗ୍’ । ଏହା ଭାରତ ପାଇଁ ବର୍ଷର ସବୁଠୁ ବଡ଼ ସଫଳତା ଥିଲା । ଏହି ଟେକ୍ନୋଲୋଜି ଭବିଷ୍ୟତରେ ମାନବ ମହାକାଶ ଯାତ୍ରାର ମାର୍ଗ ପରିଷ୍କାର କରିଛି । ଭବିଷ୍ୟତର ସ୍ପେସ୍ ଷ୍ଟେସନ୍ ଓ ଚନ୍ଦ୍ର ମିଶନ୍ର ଏହା ପ୍ରାଣକେନ୍ଦ୍ର । ୨୦୨୪ରେ ଲଞ୍ଚ୍ ହୋଇଥିବା ‘ସ୍ପେଡେକ୍ସ ମଶନ’ ବିଦାୟୀ ବର୍ଷ ଜାନୁଆରୀ ୧୬ରେ ଇତିହାସ ରଚିଲା । ଏହି ମିଶନ୍ରେ ଦୁଇ ଉପଗ୍ରହ ଏସ୍ଡିଏକ୍ସ-୧ ଓ ଏସ୍ଡି ଏକ୍ସ-୨କୁ ମହାକାଶରେ ହଜାର ହଜାର କିମି ବେଗରେ ଉଡ଼ିବା ସମୟରେ ପରସ୍ପର ସହ ଯୋଡ଼ାଗଲା । ଏହା ପରେ ଦୁଇ ଉପଗ୍ରହ ଗୋଟିଏ ୟୁନିଟ୍ ଭଳି କାମ କଲେ । ଏହା ଇସ୍ରୋର ପ୍ରଥମ ସଫଳ ପ୍ରୟାସ ଥିଲା ।
ସ୍ପେସ୍ ଷ୍ଟେସନ୍ ଗଲେ ଶୁଭାଂଶୁ ଶୁକ୍ଲା
ଦୀର୍ଘ ଶତାବ୍ଦୀ ପରେ ଜଣେ ଭାରତୀୟ ମହାକାଶରେ ପହଞ୍ଚିବା ୨୦୨୫ର ଐତିହାସିକ ମୁହୂର୍ତ୍ତ ଥିଲା । ଜୁନ୍ରେ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଆକ୍ସିଓମ୍-୪ ମିଶନ୍ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାତ୍ରା କରିଥିଲେ । ସ୍ପେସ୍ ଷ୍ଟେସନ୍ରେ ୧୮ ଦିନ ରହି ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟୟନ କଲେ । ରାକେଶ ଶର୍ମାଙ୍କ ପରେ ଏହି ମୁହୂର୍ତ୍ତ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ଥିଲା । ବ୍ୟାକ୍ଅପ୍ ଭାବେ କ୍ୟାପ୍ଟେନ୍ ପ୍ରଶାନ୍ତ ବାଲକୃଷ୍ଣନ୍ ନାୟର ମଧ୍ୟ ପ୍ରସ୍ତୁତ ଥିଲେ । ଏହି ମିଶନ ଭାରତର ମାନବ ମହାକାଶ ମିଶନ ‘ଗଗନଯାନ’ ପାଇଁ ନେଟ୍ ପ୍ରାକ୍ଟିସ୍ ଭଳି ଥିଲା । ସେଠାରେ ଯେଉଁ ଅନୁଭବ ମିଳିଲା, ତାକୁ ଭାରତ ଏବେ ନିଜ ମହାକାଶଯାତ୍ରୀଙ୍କୁ ମହାକାଶ ପଠାଇବାରେ ପ୍ରୟୋଗ କରିବ ।
ଇସ୍ରୋର ବାହୁବଳୀ
ଇସ୍ରୋର ‘ବାହୁବଳୀ’ ରକେଟ୍ ୨୦୨୫ରେ ବଡ଼ ସଫଳତା ହାସଲ କରିଛି । ନଭେମ୍ବର ୨ରେ ଭାରତର ସବୁଠୁ ଭାରୀ କମ୍ୟୁନିକେସନ୍ ସାଟେଲାଇଟ୍ ସିଏମ୍ଏସ୍-୦୩ର ଉତ୍କ୍ଷେପଣ ଏହାର ଐତିହାସିକ ସଫଳତା ଥିଲା । ୪,୪୧୦ କିଲୋ ଓଜନର ଏହି ସାଟେଲାଇଟ୍କୁ ବାହୁବଳୀ ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର ଅର୍ବିଟ୍ (ଜିଟିଓ)କୁ ନେଇଥିଲା । ଏହି ମଲ୍ଟି-ବ୍ୟାଣ୍ଡ୍ ସାଟେଲାଇଟ୍କୁ ଇସ୍ରୋ ନିର୍ମାଣ କରିଥିଲା । ନୌସେନା ଯୋଗାଯୋଗକୁ ସୁରକ୍ଷିତ ରଖିବା ସହିତ ସମଗ୍ର ଭାରତ ମହାସାଗର କ୍ଷେତ୍ରରେ ବ୍ରଡ୍ବ୍ୟାଣ୍ଡ୍ କଭରେଜ୍ ବୃଦ୍ଧି ଏହାର କାମ । ରଣନୀତିକ ଯୋଗାଯୋଗ କ୍ଷେତ୍ରରେ ଆତ୍ମନିର୍ଭରତାର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପାହାଚ ଥିଲା । ଗତ ଡିସେମ୍ବରରେ ବାହୁବଳୀ ଆଉ ଏକ ଐତିହାସିକ ଉପଲବ୍ଧି ହାସଲ କଲା । ଆମେରିକାର ଏଏସ୍ଟି ସ୍ପେସ୍ ମୋବାଇଲ ପାଇଁ ୬,୧୦୦ କିଲୋର ବ୍ଲୁବାର୍ଡ ବ୍ଲକ୍-୨ ସାଟେଲାଇଟ୍କୁ ସଫଳତାପୂର୍ବକ ଲୋ ଆର୍ଥ ଅର୍ବିଟ୍ ଉତ୍କ୍ଷେପଣ କଲା । ଏହା ଅଦ୍ୟାବଧି ଭାରତୀୟ ରକେଟ୍ ଦ୍ୱାରା ଲଞ୍ଚ୍ ହୋଇଥିବା ଏପର୍ଯ୍ୟନ୍ତର ସବୁଠୁ ଓଜନଦାର ବ୍ୟବସାୟିକ ସାଟେଲାଇଟ୍ ଥିଲା । ବିଶ୍ୱ ବ୍ୟବସାୟିକ ମହାକାଶ ବଜାରରେ ଭାରତର ସାମର୍ଥ୍ୟର ଏହା ଜ୍ୱଳନ୍ତ ଉଦାହରଣ । ବିଶ୍ୱସ୍ତରରେ ସାଧାରଣ ମୋବାଇଲ୍ ଫୋନ୍କୁ ସିଧାସଳଖ ୫ଜି ସେଲ୍ୟୁଲାର ବ୍ରଡ୍ବ୍ୟାଣ୍ଡ୍ ଯୋଗାଇବା ଏହି ସାଟେଲାଇଟ୍ ଉତ୍କ୍ଷେପଣର ଲକ୍ଷ୍ୟ । ଏହି ମିଶନ୍ ଏଲ୍ଭି ଏମ୍-୩ର କମ୍ ମୂଲ୍ୟ ଓ ବିଶ୍ୱସନୀୟତା ଉପରେ ଆଲୋକପାତ କରିଛି । ଅନ୍ତର୍ଜାତୀୟ ଗ୍ରାହକଙ୍କୁ ଆକୃଷ୍ଟ କରିବା ସହିତ ମହାକାଶକୁ ଭାରୀଯାନ ଉତ୍କ୍ଷେପଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଦାବିଦାର ଭାବେ ଭାରତର ସ୍ଥିତିକୁ ମଜଭୁତ କରିଛି ।
୧୦୦ତମ ମିଶନ ଲଞ୍ଚ
ଜାନୁଆରୀ ୨୯ରେ ଇସ୍ରୋ ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ ନିଜର ୧୦୦ତମ ମିଶନ ଲଞ୍ଚ୍ କଲା । ଇସ୍ରୋ ତଥା ଭାରତ ପାଇଁ ଏହା ଥିଲା ଐତିହାସିକ ମୁହୂର୍ତ୍ତ । ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ୍ ଭେଇକଲ୍ ବା ଜିଏସ୍ଏଲ୍ଭି ଏଫ୍୧୫ ରକେଟ୍ ସଫଳତାପୂର୍ବକ ୨,୨୫୦ କିଲୋ ଓଜନର ଏନ୍ଭି ଏସ୍-୦୨ ସାଟେଲାଇଟ୍କୁ ପୃଥିବୀ କକ୍ଷକୁ ଉତ୍କ୍ଷେପଣ କଲା । ସାଟେଲାଇଟ୍ର ସୋଲାର ପ୍ୟାନେଲ୍ ସଫଳତାପୂର୍ବକ ମୁତୟନ ହୋଇ ଯୋଗାଯୋଗ ପ୍ରତିଷ୍ଠା ହେଲା । ଏହି ଉତ୍କ୍ଷେଣ କେବଳ ପ୍ରଯୁକ୍ତି ଉପଲବ୍ଧିକୁ ପ୍ରତିନିଧିତ୍ୱ କରୁଛି ତାହା ନୁହେଁ, ମହାକାଶ ଅନ୍ୱେଷଣ ଓ ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଭାରତର ସାମର୍ଥ୍ୟ ବୃଦ୍ଧିକୁ ମଧ୍ୟ ଦର୍ଶାଉଛି । ଭାରତ ଓ ଆଖପାଖ ଅଞ୍ଚଳରେ ସବିଶେଷ ନାଭିଗେସନ୍ ସେବା ପ୍ରଦାନ ଲାଗି ଏହି ସାଟେଲାଇଟ୍କୁ ଡିଜାଇନ୍ କରାଯାଇଛି । ଏ କ୍ଷେତ୍ରର ଏହା ୨ୟ ଉପଗ୍ରହ । ଜିଏସ୍ଏଲ୍ଭି -ଏଫ୍ ୧୫ ଭାରତର ଜିଏସ୍ଏଲ୍ଭି ସିରିଜର୍ ୧୭ତମ ଏବଂ ସ୍ୱଦେଶୀ କ୍ରାୟୋଜେନିକ୍ ଷ୍ଟେଜଯୁକ୍ତ ୧୧ତମ ରକେଟ୍ । ଜିଓସିଙ୍କ୍ରୋନସ୍ ଅର୍ବିଟ୍କୁ ଭାରୀ ଯାନ ଉତ୍କ୍ଷେପଣ ନିମନ୍ତେ ଏହି ସ୍ୱଦେଶୀ ଟେକ୍ନୋଲୋଜି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଛି । ମହାକାଶରେ ଏହା ଭାରତର ବୈଷୟିକ ଶକ୍ତି ପ୍ରଦର୍ଶନ କରିଛି । ଭାରତର ସ୍ୱଦେଶୀ ନାଭିଗେସନ୍ ସାଟେଲାଇଟ୍ ସାମର୍ଥ୍ୟକୁ ଏହି ମିଶନ୍ ମଜଭୁତ କରିଛି ।
ଇସ୍ରୋ-ନାସାର ‘ନିସାର୍’
ଆମେରିକୀୟ ମହାକାଶ ଏଜେନ୍ସି ନାସା ଓ ଇସ୍ରୋର ସଂଯୁକ୍ତ ମିଶନ୍ ନିସାର (ନାସା-ଇସ୍ରୋ ସିନ୍ଥେଟିକ୍ ଅପର୍ଚର ରାଡାର) ଭାରତ ପାଇଁ ବର୍ଷର ସବୁଠୁ ବଡ଼ ସଫଳତା ଥିଲା । ଜୁଲାଇ ୩୦ରେ ଶ୍ରୀହରିକୋଟାରୁ ଇସ୍ରୋର ଜିଏସ୍ଏଲ୍ଭି -ଏଫ୍୧୬ ରକେଟ୍ ଦ୍ୱାରା ସଫଳତାପୂର୍ବକ ନିସାର ଲଞ୍ଚ୍ ହୋଇଥିଲା । ନାସାର ୧୨ ମିଟର ରାଡାର ଆଣ୍ଟିନା ଅଗଷ୍ଟ ମଧ୍ୟ ଭାଗରେ ମହାକାଶରେ ସଫଳତାପୂର୍ବକ ଖୋଲିଥିଲା । ଇସ୍ରୋ ଓ ନାସାର ପରିଚାଳନାରେ ଏହି ସାଟେଲାଇଟ୍ କାମ ଆରମ୍ଭ କରିଥିଲା । ନଭେମ୍ବର ଶେଷ ସୁଦ୍ଧା ଏହି ମିଶନ ନିଜର ବିଜ୍ଞାନ ପର୍ଯ୍ୟାୟରେ ଔପଚାରିକ ଭାବେ ପ୍ରବେଶ କରି ବିସ୍ତୃତ ପୃଥିବୀ ଅବଲୋକନ ଆରମ୍ଭ କଲା । ନାସାର ଏଲ୍-ବ୍ୟାଣ୍ଡ୍ ଓ ଇସ୍ରୋର ଏସ୍-ବ୍ୟାଣ୍ଡ୍ ରାଡାର ପୃଥିବୀ ପୃଷ୍ଠକୁ ମାପୁଛି । ଏହା ଟେକ୍ଟୋନିକ୍ ପ୍ଲେଟ୍ରେ ପରିବର୍ତ୍ତନ, ଗ୍ଲେସିୟର୍ରେ ବଡ଼ ପରିବର୍ତ୍ତନ, ମୃତ୍ତିକା ଆର୍ଦ୍ରତା ଓ ପ୍ରାକୃତିକ ବିପତ୍ତି ଉପରେ ନଜର ରଖିଛି । ପ୍ରତି ୧୨ ଦିନରେ ଏହା ସମଗ୍ର ପୃଥିବୀକୁ ସ୍କାନ୍ କରୁଛି ଏବଂ ବିପର୍ଯ୍ୟୟ ମୁକାବିଲା ଓ ଜଳବାୟୁ ଅଧ୍ୟୟନ ନିମନ୍ତେ ସମସ୍ତ ଜଳବାୟୁ ଓ ଦିନ- ରାତିର ତଥ୍ୟ ପ୍ରଦାନ କରୁଛି । ପୃଥିବୀର ବହୁମୁଖୀ ପ୍ରକ୍ରିୟା ବିଷୟରେ ବିଶ୍ୱର ଜ୍ଞାନ ବଢ଼ାଇବା ପାଇଁ ଭାରତ ଓ ଆମେରିକା ମଧ୍ୟରେ ଏହା ଏକ ଯୁଗାନ୍ତକାରୀ ସମନ୍ୱୟ । ବିଶ୍ୱସ୍ତରରେ ବୈଜ୍ଞାନିକ, ନୀତି-ନିର୍ମାତା ଓ ବିପତ୍ତି ପ୍ରବନ୍ଧନ ଟିମ୍ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରୁଛି ।
୧୦୦% ସଫଳତା
ଇସ୍ରୋ ଲଞ୍ଚ୍ ଭେଇକଲ୍ ମାର୍କ-୩ ବା ଏଲ୍ଭିଏମ୍-୩ ରକେଟ୍କୁ ମୋଟ୍ ୯ ମିଶନ୍ରେ ଉପଯୋଗ କରାଯାଇଛି, ଯାହା ସମସ୍ତ ମିଶନ୍ରେ ଶତ ପ୍ରତିଶତ ସଫଳତା ହାର ବଜାୟ ରଖିଛି । ଏହି ରେକର୍ଡରେ ଚନ୍ଦ୍ରଯାନ-୨, ଚନ୍ଦ୍ରଯାନ-୩ ଏବଂ ଆମେରିକାର ଏଏସ୍ଟି ସ୍ପେସ୍ ମୋବାଇଲ ଓ ବ୍ରିଟେନର ୱାନ୍ଓ୍ବେ ଭଳି ଗ୍ରାହକଙ୍କ ପାଇଁ ବ୍ୟବସାୟିକ ମିଶନ୍ ଲଞ୍ଚ୍ ସାମିଲ । ଏହାର ଶତ ପ୍ରତିଶତ ସଫଳତା ହାର ଭାରତର ପ୍ରଥମ ମାନବ ମହାକାଶ ମିଶନ୍ ଗଗନଯାନ ପାଇଁ ଆତ୍ମବିଶ୍ୱାସ ବର୍ଦ୍ଧକ ବୋଲି ଇସ୍ରୋ ଅଧ୍ୟକ୍ଷ କହିଛନ୍ତି । ଏଲ୍ଭିଏମ୍-୩ ଉପରେ ନିର୍ଭରଶୀଳତା ବିଶ୍ୱ ବ୍ୟବସାୟିକ ବଜାରରେ ଏହାର ସ୍ଥିତିକୁ ଦୃଢ଼ କରିଛି।
ଗଗନଯାନ ବର୍ଷ
ଇସ୍ରୋ ଦ୍ୱାରା ପ୍ରସ୍ତୁତ ଭାରତର ମହତ୍ୱାକାଂକ୍ଷୀ ମାନବ ମହାକାଶ ମିଶନ ଗଗନଯାନ । ମାନବରହିତ ମିଶନ ଉପରେ ଫୋକସ୍ ଓ ମାନବ ରୋବୋ ବ୍ୟୋମମିତ୍ରର ପରୀକ୍ଷଣ ସହିତ ଇସ୍ରୋ ୨୦୨୫କୁ ‘ଗଗନଯାନ ବର୍ଷ’ ଭାବେ ଘୋଷଣା କରିଥିଲା । ଏହି କାର୍ଯ୍ୟକ୍ରମ ଅନ୍ତିମ ଚରଣରେ ପହଞ୍ଚିଥିବା ଗତ ମେ’ରେ ରିପୋର୍ଟ ଆସିଥିଲା । ସଫଳ ମାନବରହିତ କକ୍ଷୀୟ ଯାତ୍ରା ପରେ ୨୦୨୭ରେ ପ୍ରଥମ ମାନବ ମହାକାଶ ଯାତ୍ରା ପାଇଁ ଇସ୍ରୋ ପ୍ରସ୍ତୁତ । ବର୍ତ୍ତମାନ ମିଶନ ଚୂଡ଼ାନ୍ତ ପରୀକ୍ଷଣ ଓ ଇଣ୍ଟିଗ୍ରେସନ୍ ପର୍ଯ୍ୟାୟରେ ଅଛି । ଏହି ମିଶନରେ ମହାକାଶଚାରୀଙ୍କ ସୁରକ୍ଷା ଓ ଉନ୍ନତ ମହାକାଶ ଟେକ୍ନୋଲୋଜି ଉପରେ ଇସ୍ରୋର ନିରନ୍ତର ଫୋକସ୍ ରହିଛି ।
ଇଞ୍ଜିନ୍ ଟେକ୍ନୋଲୋଜିରେ ସଫଳତା
ଆଗାମି ପିଢ଼ି ରକେଟ୍କୁ ଶକ୍ତି ଯୋଗାଇବା ଲାଗି ସ୍ପେସ୍ ଇଞ୍ଜିନ୍ କ୍ଷେତ୍ରରେ ଭାରତ ବଡ଼ ପ୍ରଗତି ହାସଲ କରିଛି । ଏନ୍ଜିଏଲ୍ଭି ଭଳି ଭାରୀ ଯାନ ବହନକାରୀ ଭବିଷ୍ୟତର ରକେଟ୍ ଗୁଡ଼ିକର ପ୍ରଦର୍ଶନ ବୃଦ୍ଧି ଲାଗି ଇସ୍ରୋ ଲିକୁଇଡ୍ ଅକ୍ସିଜେନ୍ ଓ କିରୋସିନ ଉପଯୋଗ କରି ସେମି-କ୍ରାୟୋଜେନିକ୍ ଇଞ୍ଜିନ୍ (ଏସ୍ସିଇ)ରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି କରୁଛି । ଗତ ମାର୍ଚ୍ଚରେ ଇସ୍ରୋ ଏସ୍ଇ୨୦୦୦ ସେମି କ୍ରାୟୋଜେନିକ୍ ଇଞ୍ଜିନ୍ର ସଫଳ ହଟ୍ ଟେଷ୍ଟ୍ କରିଥିଲା । ପୁରୁଣା ଇଞ୍ଜିନ୍ ଗୁଡ଼ିକୁ ଅଧିକ ଶକ୍ତିଶାଳୀ, ସ୍ୱଚ୍ଛ ଓ ଶସ୍ତା ତଥା ଫଳପ୍ରଦ ସିଷ୍ଟମ୍ରେ ରୂପାନ୍ତର କରିବା ଦିଗରେ ଏହା ଏକ ବଡ଼ ପ୍ରୟାସ ।
୩୦ ଦିନରେ ମଙ୍ଗଳରେ ପହଞ୍ଚାଇବ ରୁଷ୍ର ପ୍ଲାଜ୍ମା ଇଞ୍ଜିନ
ଫେବ୍ରୁଆରୀରେ ରୁଷ୍ ବୈଜ୍ଞାନିକମାନେ ଏକ ପ୍ଲାଜ୍ମା ଇଲେକ୍ଟ୍ରିକ୍ ରକେଟ୍ ଇଞ୍ଜିନ୍ର ଲ୍ୟାବ୍ ପ୍ରୋଟୋଟାଇପ୍ ଉନ୍ମୋଚନ କଲେ, ଯାହା ମୂଳତଃ ଆନ୍ତଃଗ୍ରହୀୟ ଲଜିଷ୍ଟିକ୍ସକୁ ବଦଳାଇପାରେ । ଗୋଟିଏ ବିସ୍ଫୋରଣରେ ଇନ୍ଧନ ଜାଳି ଦେଉଥିବା ରସାୟନିକ ରକେଟ୍ ତୁଳନାରେ ଏହି ଇଞ୍ଜିନ୍ ନିରନ୍ତର ଥ୍ରଷ୍ଟ୍ ପ୍ରଦାନ ଲାଗି ମ୍ୟାଗ୍ନେଟିକ୍ ପ୍ଲାଜ୍ମା ଆକ୍ସେଲେରେଟର୍ ଉପଯୋଗ କରେ । ଏହାର ଲକ୍ଷ୍ୟ ମଙ୍ଗଳ ଗ୍ରହକୁ ଦୀର୍ଘ ୯ ମାସର ଯାତ୍ରାକୁ ୩୦-୬୦ ଦିନକୁ ହ୍ରାସ କରିବା । କମ୍ ଅବଧିର ଯାତ୍ରା ମହାକାଶଚାରୀଙ୍କୁ କ୍ଷତିକାରକ ବ୍ରହ୍ମାଣ୍ଡୀୟ ବିକିରଣରୁ ରକ୍ଷା କରିବ ।
୨୪୦୦ ଲୋକଙ୍କୁ ନେବ ୩୬ ମାଇଲର ଷ୍ଟାର୍ଶିପ
ଚର୍ଚ୍ଚିତ ବୈଜ୍ଞାନିକ ପ୍ରୋଜେକ୍ଟ ହାଇପରିଅନ୍ ଡିଜାଇନ୍ କମ୍ପିଟିସନ୍କୁ ସାମ୍ନାକୁ ଆସିଥିଲା । ନାଁ କ୍ରାଇସାଲିସ୍ । ଏହା ଏକ ୩୬ ମାଇଲ ଲମ୍ବା ଆନ୍ତଃନକ୍ଷତ୍ର ଷ୍ଟାର୍ସିପ୍ । ଆମର ସବୁଠୁ ନିକଟତର ପଡ଼ୋଶୀ ଆଲ୍ଫା ସେଣ୍ଟରିକୁ ୨,୪୦୦ ଜଣକୁ ନେବା ପାଇଁ ଏହାକୁ ଡିଜାଇନ୍ କରାଯାଇଛି । କାରଣ ପ୍ରକ୍ସିମା ସେଣ୍ଟରିକୁ ଯାତ୍ରା ୪୦୦ ଦିନ ଲାଗିବ । ଏହା ଏକ ପିଢ଼ିଗତ ଜାହାଜ, ଯେଉଁଥିରେ ପୂରା ଜୀବନ ବିତିଯିବ । ଏଥିରେ କୃତ୍ରିମ ମାଧ୍ୟାକର୍ଷଣ, ଜଙ୍ଗଲ ଓ ସ୍କୁଲ ସହିତ ଏକ ‘ନେଷ୍ଟିଂ ଡଲ୍’ ଭଳି ଢାଞ୍ଚା ରହିଛି, ଯାହା ନ୍ୟୁକ୍ଲିୟର ଫ୍ୟୁଜନ୍ ଦ୍ୱାରା ପରିଚାଳିତ ହେବ । ନୂଆ ସୌରମଣ୍ଡଳରେ ନ ପହଞ୍ଚିବା ପର୍ଯ୍ୟନ୍ତ ଏହା ଲୋକଙ୍କୁ ପିଢ଼ି ପରେ ପିଢ଼ି ସୁରକ୍ଷିତ ରଖିବାରେ ସକ୍ଷମ ।
ବିଶ୍ୱକୁ ଇସ୍ରୋ ଦେଲା ଆଦିତ୍ୟ-ଏଲ୍ଓ୍ବାନ୍ ତଥ୍ୟ
ସୂର୍ଯ୍ୟ ଉପରେ ନଜର ରଖୁଥିବା ଭାରତର ପ୍ରଥମ ମିଶନ ‘ଆଦିତ୍ୟ-ଏଲ୍ୱାନ୍’ ୨୦୨୫ରେ ଅନେକ ରହସ୍ୟ ଉନ୍ମୋଚନ କରିଛି । ଇସ୍ରୋ ଜାନୁଆରୀ-ଫେବ୍ରୁଆରୀରେ ଆଦିତ୍ୟ-ଏଲ୍ଓ୍ବାନ୍ପ୍ରଥମ ବ୍ୟାଚ୍ ତଥ୍ୟ ଜାରି କଲା । ସୂର୍ଯ୍ୟର ଫଟୋସ୍ଫିୟର, କ୍ରୋମୋସ୍ଫିୟର ଓ କୋରୋନା ସମ୍ପର୍କିତ ଅବଲୋକନର ମୂଳ ୧୫ ଟେରାବାଇଟ୍ର ତଥ୍ୟକୁ ଏହା ବିଶ୍ୱକୁ ବାଣ୍ଟିଲା । ଆଦିତ୍ୟ-ଏଲ୍ୱାନ୍ର ସୋଲାର ଅଲ୍ଟ୍ରାଭାଓଲେଟ୍ ଇମେଜିଂ ଟେଲିସ୍କୋପ୍ ସୂର୍ଯ୍ୟରେ ଏକ ଭୀଷଣ ଜ୍ୱଳନ ସମୟରେ ନିମ୍ନ ବାୟୁମଣ୍ଡଳରେ ଏକ ସୌର ପ୍ରଜ୍ୱଳନର ପ୍ରଥମ କେର୍ନେଲ ଚିତ୍ର ଉତ୍ତୋଳନ କରିଥିଲା । ଏହି ତଥ୍ୟ ଚୁମ୍ବକୀୟ କ୍ଷେତ୍ର ପରିବର୍ତ୍ତନ ଓ ସୌର ଘଟଣା ସମୟରେ ବ୍ୟାଘାତ ବିଷୟରେ ବୁଝିବାରେ ସହାୟକ ହୋଇଛି । ଏହି ଅବଲୋକନ ସୌର ଘଟଣା ସମ୍ପର୍କିତ ଅଧ୍ୟୟନକୁ ତ୍ୱରାନ୍ୱିତ କରିଛି ।
ମହାକାଶ ବର୍ଜ୍ୟ ହଟାଇବ ପ୍ଲାଜ୍ମା ଇଞ୍ଜିନ
ଜାପାନର ତୋହୋକୁ ବିଶ୍ୱବିଦ୍ୟାଳୟର ଗବେଷକମାନେ କକ୍ଷ ବର୍ଜ୍ୟ ସଙ୍କଟର ମୁକାବିଲା ନିମନ୍ତେ ଏକ ନୂଆ ପଦ୍ଧତିର ବିକାଶ କରିଛନ୍ତି । ସେମାନେ ଏକ ବାଇଡାଇରେକ୍ସନାଲ ପ୍ଲାଜ୍ମା ଇଜେକ୍ସନ୍ ଥ୍ରଷ୍ଟର୍ ପ୍ରସ୍ତୁତ କରିଛନ୍ତି, ଯାହା ମହାକାଶ ବର୍ଜ୍ୟକୁ ନ ଛୁଇଁ ତାକୁ କକ୍ଷରୁ ବାହାର କରିବାରେ ସାଟେଲାଇଟ୍କୁ ସକ୍ଷମ କରିବ । ଏହି ପଦ୍ଧତି ବର୍ଜ୍ୟ ଉପରକୁ ସାଟେଲାଇଟ୍ ଜରିଆରେ ପ୍ଲାଜ୍ମା ନିକ୍ଷେପ କରିବ, ଯାହା ଦ୍ୱାରା ବର୍ଜ୍ୟ ଧିମା ହୋଇଯିବ ଏବଂ ବାୟୁମଣ୍ଡଳରେ ତାକୁ ଜାଳିଦେବ ।
ଲିକ୍ୱିଡ୍ ୟୁରାନିୟମ୍ ପରମାଣୁ ରକେଟ୍
ସେପ୍ଟେମ୍ବରରେ ଓହାୟୋ ଷ୍ଟେଟ୍ ୟୁନିଭର୍ସିଟିର ଇଞ୍ଜିନିୟରମାନେ ସେଣ୍ଟ୍ରିଫ୍ୟୁଗାଲ ନ୍ୟୁକ୍ଲିୟର ଥର୍ମାଲ ରକେଟ୍ (ସିଏନ୍ଟିଆର୍) ବିଷୟରେ ବିଶ୍ୱକୁ ସ୍ପଷ୍ଟ କଲେ । ଏହି ଡିଜାଇନ୍ ଜଣାଶୁଣା ସଲିଡ୍ ଫୁଏଲ ନ୍ୟୁକ୍ଲିୟର ଇଞ୍ଜିନ୍କୁ ଲିକ୍ୱିଡ୍ ୟୁରାନିୟମ୍ ଅଭିମୁଖେ ଯାତ୍ରାକୁ ଦର୍ଶାଇଛି । କେମିକାଲ ଇଞ୍ଜିନ୍ ତୁଳନାରେ ଏହା ୪ ଗୁଣ ଅଧିକ ଦକ୍ଷ ଏବଂ ୧୯୬୦ ଦଶକର ପରମାଣୁ ଡିଜାଇନ୍ ଭଳି ଦୁଇଗୁଣ ଶକ୍ତିଶାଳୀ । ଏହା ଆମୋନିଆ ଓ ମିଥେନ୍ ଦ୍ୱାରା ମଧ୍ୟ ଚାଲିପାରେ । ଏହା ଜରିଆରେ ଭବିଷ୍ୟତର ଦୀର୍ଘକାଳୀନ ମହାକାଶଯାନର ସ୍ୱପ୍ନ ସାକାର ହେବ ।
ବିନା ଇନ୍ଧନରେ ରକେଟ୍ର ‘କାଇନେଟିକ୍ ଲଞ୍ଚ୍’
୨୦୨୫ରେ କାଲିଫର୍ଣ୍ଣିଆର ଷ୍ଟାର୍ଟଅପ୍ ଅରିଗା ସ୍ପେପ୍ ‘କାଇନେଟିକ୍ ଲଞ୍ଚ୍’ କ୍ଷେତ୍ରରେ ଏକ ବଡ଼ ଖେଳାଳି । ବ୍ୟାପକ ପରିମାଣର ଇନ୍ଧନ ଖର୍ଚ୍ଚ କରୁଥିବା ପାରମ୍ପରିକ ରକେଟ୍ଠୁ ଭିନ୍ନ ଏକ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଲଞ୍ଚ୍ ଟ୍ରାକ୍ ପ୍ରସ୍ତୁତ କରୁଛି ଅରିଗା । ଏହି ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ସିଷ୍ଟମ୍ ଉଦ୍ଧ୍ୱର୍ ବାୟୁମଣ୍ଡଳକୁ ଉତ୍କ୍ଷେପଣ ପୂର୍ବରୁ ଶବ୍ଦର ୬ ଗୁଣ ବେଗରେ ଯାନ ଗତି କରିବା ପାଇଁ ଏକ ସ୍ୱତନ୍ତ୍ର ଟ୍ରାକ୍ରେ ଉଚ୍ଚ-ଶକ୍ତିସମ୍ପନ୍ନ ମ୍ୟାଗ୍ନେଟ୍ ପ୍ରୟୋଗ କରେ ।