PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଶ୍ରୀଲିଙ୍ଗରାଜଙ୍କ ରାମେଶ୍ୱର ଯାତ୍ରା: ଆଜି ରୁକୁଣା ରଥଯାତ୍ରା

ଭୁବନେଶ୍ୱର,୨୯/୩: ବୁଧବାର ଅଶୋକାଷ୍ଟମୀ ତିଥିର ଶୁଭ ଅବସରରେ ଚାରି ଦିନ ପାଇଁ ରାମେଶ୍ୱରଙ୍କ ପୀଠକୁ ରୁକୁଣା ରଥରେ ବିଜେ ହୋଇ ଯାତ୍ରା କରିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଭଉଣୀ ରୁକ୍ମିଣୀ । ସେଠାରୁ ଦ୍ୱାଦଶୀ ଅର୍ଥାତ୍‌ ରବିବାର ଦିନ ବାହୁଡ଼ିବେ। ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଏବେ ଅପେକ୍ଷା ସେଇ ଶୁଭ ମୁହୂର୍ତ୍ତକୁ। ରଥ ଉପରେ ଖୁଣ୍ଟିଆ ସେବାୟତ ହୋ ଭକତେ କହି ରଥଟାଣିବାକୁ ନିର୍ଦ୍ଦେଶ ଦେବେ। ଘୋର ଘର୍ଘର ନାଦରେ ଗଡ଼ିବ ରୁକୁଣା ରଥ। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ଦିଗରେ ୨୦ପ୍ଲାଟୁନ୍‌ ଫୋର୍ସ ନିୟୋଜିତ ହେବେ । ୧୦୦ ଅଫିସର ସେମାନଙ୍କୁ ତଦାରଖ କରିବେ । ଭକ୍ତଙ୍କ ସୁରକ୍ଷା ପାଇଁ ରଥ ଚାରିପଟେ ସୁରକ୍ଷା ବଳୟ ହେବ। ସୁରୁଖୁରୁରେ ଯାତ୍ରା ସମାପନ ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

ଏଥରର ଗୋଟିଏ ଦିନରେ ରଥ ରାମେଶ୍ୱର ପହଞ୍ଚିବ ବୋଲି ମନ୍ଦିର ପ୍ରଶାସନ ଆଶା ରଖିଛି । ସେବାୟତମାନେ ମଧ୍ୟ ଧାର୍ଯ୍ୟ ସମୟରେ ନୀତି ସମାପନ କରିବା ଲାଗି କଥା ଦେଇଛନ୍ତି । ରଥଯାତ୍ରା ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ନୀତିନିର୍ଘଣ୍ଟ ନିର୍ଦ୍ଧାରଣ କରାଯାଇଛି । ଭୋର ୫ଟାରେ ମନ୍ଦିର ପହୁଡ଼ ଖୋଲି ମଙ୍ଗଳ ଆଳତି ଓ ଅବକାଶ ନୀତି ସମାପନ କରାଯିବ । ସାହାଣମେଲା ସକାଳ ସାଢ଼େ ୫ଟାରୁ ସାଢ଼େ ୬ଟା ମଧ୍ୟରେ ହେବ । ଏହା ପରେ ଛାମୁ ପରିଷ୍କାର ସାଢେ ୬ରୁ ୭ଟା, ସୂର୍ଯ୍ୟପୂଜା ୭ଟାରୁ ୮ଟା, ଶ୍ରୀଜିଉଙ୍କ ବଲ୍ଲଭ, ଭୁବନେଶ୍ୱରୀଙ୍କ ବଲ୍ଲଭ ସହ ଶ୍ରୀଜିଉଙ୍କ ସକାଳ ଧୂପ ସକାଳ ୯ଟା୧୫ ମିନିଟ ମଧ୍ୟରେ, ଶ୍ରୀଭୁବନେଶ୍ୱରୀଙ୍କ ସକାଳ ଧୂପ ୯ଟା୪୫ ମିନିଟ ସାରିବାକୁ ଧାର୍ଯ୍ୟ ହୋଇଛି ।

 ଭୋଗ ମଣ୍ଡପ ୧୦ଟା ୪୫ ସୁଦ୍ଧା ସାରି ସୂର୍ଯ୍ୟ ପୂଜା ଓ ବେଶ ଦିନ ୧୨ଟା ମଧ୍ୟରେ ସମ୍ପନ୍ନ ହେବ । ଯାତ୍ରାପୂଜା ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ସାରି ପହଣ୍ଡି ନୀତି ସାଢ଼େ ୧୨ଟାରେ ଆରମ୍ଭ ହୋଇ ୧ଟା୩୦ରେ ଶେଷ ହେବ। ରଥ ଉପରେ ପୂଜା ୧ଟା ୩୦ରୁ ସାଢ଼େ ୩ଟା ମଧ୍ୟରେ ସାରି ରଥଟଣା ଆରମ୍ଭ ହେବ । ଠାକୁର ରାମେଶ୍ୱର ମନ୍ଦିରକୁ ସାଢ଼େ ୭ଟାରେ ବିଜେ କରିବେ । ଅଶୋକା କୁଣ୍ଡ ପାଣିରେ ସ୍ନାନ କଲାପରେ ୧୪ଟି ଅଶୋକା କଢି ଲାଗି କରାଯିବ । ଏହା ପରେ ଭେଟ ଆଳତି ନୀତିରେ ମହାପ୍ରଭୁ ରାମେଶ୍ୱରଙ୍କୁ ସାକ୍ଷାତ କରିବେ । ସେଠାରେ ମହାପ୍ରଭୁ ଆସ୍ଥାନକୁ ବିଜେ କରିବେ । ୪ ଦିନ ଅବସର କଟାଇବା ପରେ ଦ୍ୱାଦଶୀରେ ବାହୁଡ଼ିବେ ।