ଶ୍ରୀମନ୍ଦିର ପରମ୍ପରାରେ ଶ୍ରୀପଞ୍ଚମୀ ବେଣ୍ଟ ନିତୀ, ମହାପ୍ରଭୁଙ୍କର ହେବ ଚାଚେରୀ ବେଶ

ପୁରୀ, ୨୭/୦୧ : ଶ୍ରୀମନ୍ଦିର ପରମ୍ପରାରେ ଶ୍ରୀପଞ୍ଚମୀ ବେଣ୍ଟ ନିତୀ। ବସନ୍ତଗୁଣ୍ଡିଚା ଦିନ ମଧ୍ୟାହ୍ନ ଧୂପ ବଢିବା ପରେ ପୁଷ୍ପାଳକମାନେ ଶ୍ରୀଜିଉଙ୍କୁ ଲାଲବର୍ଣ୍ଣର ବସ୍ତ୍ରରେ ବିମଣ୍ଡିତ କରନ୍ତି। ଏହାପରେ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ନୀତି ହେବା ପରେ ଚାଚେରୀ ବେଶ ହୁଏ। ଚାଚେରୀ ବେଶରେ ନାଲି ରଙ୍ଗର ପ୍ରାଧାନ୍ୟ ଦେଖିବାକୁ ମିଳିଥାଏ । ଚାଚେରୀ ବେଶରେ ଦିଅଁମାନେ ପିନ୍ଧିଥିବା ଶାଢ଼ୀ, ମସ୍ତକର ଶ୍ରୀକପଡ଼ା, ସବୁ ନାଲିରଙ୍ଗର ହୋଇଥାଏ । ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ବିଗ୍ରହରେ ନଳୀଭୁଜ ଲାଗି କରାଯାଏ। ଏହି ବେଶରେ ମକରକୁଣ୍ଡଳ, ଚନ୍ଦ୍ରିକା, ଅଣ୍ଟାରେ ଅଣ୍ଟାପଟି, ଓଢ଼ିଆଣି ଏବଂ ଗଳାରେ ଗିନି ମାଳ, ଚାବୁକ ମାଳ, ପଦ୍ମମାଳି ଓ ହରଡ଼ ମାଳି ପରିଧାନ କରିଥାନ୍ତି।

ଏହିବେଶରେ ସୁଭଦ୍ରା ଚନ୍ଦ୍ର, ସୂର୍ଯ୍ୟ ଓ ତଡ଼ଗିଦ୍ୱାରା ସୁଶୋଭିତା ହୁଅନ୍ତି । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀଙ୍କୁ ମଧ୍ୟ ଚାଚେରୀ ବେଶ କରାଯାଏ। ଚାଚେରୀ ବେଶରେ ହିଁ ମହାପ୍ରଭୁଙ୍କ ନିକଟରେ ପଞ୍ଚୋପଚାରରେ ନୈବେଦ୍ୟ ଅର୍ପିତ ହୁଏ। ଏହାପରେ ବଡ଼ ବାଡ଼, ମଝି ବାଡ଼ ଏବଂ ମହାପ୍ରଭୁ ବାଡ଼ରେ ତିନୋଟି ପାତ୍ରରେ ଯଥାକ୍ରମେ ଧଳା, ହଳଦିଆ ଓ ରକ୍ତ ବର୍ଣ୍ଣର ଫଗୁ ରଖାଯାଇ ମୁଦିରସ୍ତ, ପତିମହାପାତ୍ର ଓ ପୂଜାପଣ୍ଡାଙ୍କ ଦ୍ଵାରା ସଂସ୍କାର କରାଯାଏ। ଏହାପରେ ଉକ୍ତ ଫଗୁକୁ ଶ୍ରୀଅଙ୍ଗରେ ଲାଗି କରାଯାଏ। ତିନି ବାଡ଼ରେ ବନ୍ଦାପନା ବଢେ। ଏହାପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାଡ଼ରୁ ୩ଟି ଆଜ୍ଞାମାଳ ଆଣି ଦୋଳଗୋବିନ୍ଦ, ଭୂଦେବୀ ଏବଂ ଶ୍ରୀଦେବୀଙ୍କୁ ଲାଗି କରାଯାଏ। ଏହାପରେ ଶ୍ରୀ ଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀଙ୍କୁ ଜୟ ବିଜୟ ଦ୍ଵାର ପାଖରେ ପୁଣି ଥରେ ଫଗୁ ଲାଗି, ଆଉ ବନ୍ଦାପନା ହୁଏ। ଏହାପରେ ତିନି ଚଳନ୍ତି ପ୍ରତିମାଙ୍କୁ ଦୋଳରେ ବସାଇ ପୁଷ୍କରିଣୀକୁ ନିଆଯାଏ। ସେଠାରେ ଛ’ଟି ପଇଡ଼କୁ ମୃଗ ବୋଲି ବିଚାର କରି ଦୋଳଗୋବିନ୍ଦଙ୍କ ଦ୍ଵାରା ଶିକାର ନୀତି ସମ୍ପନ୍ନ ହୁଏ। ପୁନର୍ବାର ସେଠାରେ ଚଳନ୍ତି ପ୍ରତିମାମାନଙ୍କୁ ଫଗୁ ଲାଗି ହେବାପରେ, ପୂଜାପଣ୍ଡା ପଞ୍ଚୋପଚାରରେ ଶୀତଳ ଭୋଗ ଓ ବନ୍ଦାପନା କରନ୍ତି। ଏହାପରେ ଉତ୍ସବ ପ୍ରତିମା ମାନଙ୍କୁ ଶ୍ରୀମନ୍ଦିରକୁ ଫେରେଇ ଆଣି ସ୍ୱସ୍ଥାନରେ ରଖାଯାଏ।