କଟକ/ଭୁବନେଶ୍ୱର, ୬/୨ : ବ୍ୟବହୃତ (ପୁରୁଣା) ଯାନବାହନ କିଣା–ବିକା ଦିନକୁ ଦିନ ବୃଦ୍ଧି ପାଉଛି । ବଢ଼ୁଥିବା ଏହି ଚାହିଦାକୁ ଦୃଷ୍ଟିରେ ରଖି, କ୍ରେତା ଓ ବିକ୍ରେତା ଉଭୟଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA), ଓଡ଼ିଶା ପକ୍ଷରୁ ପରାମର୍ଶ ଜାରି କରାଯାଇଛି । STA ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବ୍ୟବହୃତ ଗାଡ଼ି ବିକ୍ରି କିମ୍ବା କ୍ରୟ ଯେଉଁ ଡିଲରଙ୍କ ମାଧ୍ୟମରେ କରାଯାଉଛି, ଉକ୍ତ ଡିଲର ପରିବହନ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହେବା ବାଧ୍ୟତାମୂଳକ । ବିନା ସ୍ୱୀକୃତିରେ କୌଣସି ଡିଲର ଯାନବାହନ କିଣା–ବିକା କରିବା ମୋଟର ଯାନ ଆଇନ୍ ଅନୁଯାୟୀ ବେଆଇନ।
ଗାଡ଼ି ବିକ୍ରୟ ପାଇଁ ଡିଲରଙ୍କୁ ଦେବା ସମୟରେ ଡିଲରଙ୍କ ନାମରେ ଡିମାଣ୍ଡ ଓନରଶିପ୍ (Deemed Ownership) ହେବା ଅବଶ୍ୟକ। ଏହା ଗାଡ଼ି ବିକ୍ରୟ ଅବଧିରେ ଘଟୁଥିବା କୌଣସି ଅଘଟଣ ପାଇଁ ମୂଳ ଗାଡ଼ି ବିକ୍ରେତାଙ୍କୁ ସୁରକ୍ଷା ପ୍ରଦାନ କରେ ଏବଂ ଠକେଇ ସମ୍ବନ୍ଧୀୟ କୌଣସି ଅଭିଯୋଗ ଆସିଲେ ତଦନ୍ତ ପ୍ରକ୍ରିୟାରେ ସହାୟକ ହୁଏ।
ସେହିପରି, ବ୍ୟବହୃତ ଗାଡ଼ି କିଣିବା ବେଳେ ସମ୍ପୃକ୍ତ ଡିଲର ପରିବହନ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ କି ନୁହେଁ, ନିଶ୍ଚୟ ଯାଞ୍ଚ କରିବାକୁ STA ପକ୍ଷରୁ ପରାମର୍ଶ ଦିଆଯାଇଛି । ପରିବହନ ବିଭାଗର VAHAN ପୋର୍ଟାଲରେ ପ୍ରତ୍ୟେକ RTO ଅଧୀନରେ ସ୍ୱୀକୃତିପ୍ରାପ୍ତ ଡିଲରଙ୍କ ତାଲିକା ଉପଲବ୍ଧ ରହିଛି।
ଏହାସହ, ପୁରୁଣା ଗାଡ଼ିର ମାଲିକାନା ହସ୍ତାନ୍ତର, ନୂଆ ଗାଡ଼ି ପଞ୍ଜିକରଣ, ପୁନଃପଞ୍ଜିକରଣ ସହିତ ସମସ୍ତ ପରିବହନ ସେବା ପାଇଁ କେବେ ବି କୌଣସି ଦଲାଲ କିମ୍ବା ଏଜେଣ୍ଟଙ୍କୁ ବେଆଇନ ଭାବେ ଟଙ୍କା ଦିଅନ୍ତୁ ନାହିଁ । କୌଣସି ପ୍ରକାର ଠକାମିର ଶିକାର ହେଲେ, ପୋଲିସ କିମ୍ବା RTO ରେ ତୁରନ୍ତ ଅଭିଯୋଗ କରିବାକୁ କୁହାଯାଇଛି।
ଯାନବାହନ କିଣା–ବିକା କାର୍ଯ୍ୟରେ ନିଯୁକ୍ତ ଡିଲରମାନଙ୍କୁ ମଧ୍ୟ ନିର୍ଦ୍ଧାରିତ ନିୟମାବଳୀ ପାଳନ କରିବାକୁ STA ପକ୍ଷରୁ ସତର୍କତା ଜାରି କରାଯାଇଛି। ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି, କୌଣସି ଡିଲର ନିୟମ ଉଲ୍ଲଂଘନ କରିଲେ ଆଇନ୍ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି STA ପକ୍ଷରୁ କୁହାଯାଇଛି।
ଏହାସହ ପଢ଼ନ୍ତୁ : ବଢ଼ୁଛି ଗଞ୍ଜେଇ ଚୋରା କାରବାର, ୫ ଦିନରେ ୧୫୦୪୦ କେଜି ଗଞ୍ଜେଇ ଜବତ