କଟକ : ଗ୍ରୀଷ୍ମ ପ୍ରବାହ ସମୟରେ ଯାତ୍ରୀମାନେ କିପରି ସୁରକ୍ଷିତ ଯାତ୍ରା କରିବେ ତାହା ସୁନିଶ୍ଚିତ କରାଯିବ। ସବୁ ବସ୍‌ରେ ବିଶୁଦ୍ଧ ପାନୀୟ ଜଳ ରଖାଯିବ। ଏଥିସହ ବରଫ ପ୍ୟାକେଟ୍‌, ପ୍ରାଥମିକ ଚିକିତ୍ସା କିଟ୍‌ ଏବଂ ଓଆର୍‌ଏସ୍‌ ପ୍ୟାକେଟ୍‌ ମଧ୍ୟ ବସ୍‌ରେ ରହିବ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ ଜାରି ନିର୍ଦ୍ଦେଶାବଳୀରେ ଏହା ସ୍ପଷ୍ଟ କରାଯାଇଛି। 

ଅତ୍ୟଧିକ ଗରମରୁ ମୁକ୍ତି ପାଇବା ପାଇଁ ବସ୍‌ ଷ୍ଟପ୍‌ ଗୁଡ଼ିକରେ ପର୍ଯ୍ୟାପ୍ତ ବିଶ୍ରାମ ସ୍ଥାନ ବ୍ୟବସ୍ଥା କରାଯିବ। ସାର୍ବଜନୀନ ପରିବହନ ଯାନରେ ଯାତ୍ରୀ ସୁରକ୍ଷା ଏବଂ ଆରାମ ଉପରେ ଗୁରୁତ୍ୱ ଦିଆଯିବ। ନିର୍ଦ୍ଧାରିତ ସଂଖ୍ୟାର ଅନୁମତିକୁ ଉଲ୍ଲଙ୍ଘନ କରି ଅଧିକ ଯାତ୍ରୀ ନେଉଥିବା ଯାନ ବିରୋଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସ୍‌ଟିଏ ପକ୍ଷରୁ କୁହାଯାଇଛି। ଆଜି ଏନେଇ ଏସ୍‌ଟିଏର ବରିଷ୍ଠ ଅଧିକାରୀ, ସମସ୍ତ ଆର୍‌ଟିଓ ଏବଂ ଏଆର୍‌ଟିଓଙ୍କ ସହିତ ବୈଠକ କରିଥିଲେ। ଗ୍ରୀଷ୍ମ ପ୍ରବାହ ମୁକାବିଲା ଓ ଯାତ୍ରୀ, ଗାଡ଼ି ଚାଳକଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ବୈଠକରେ ଆଲୋଚନା କରାଯାଇଥିଲା। ନିଷ୍ପତ୍ତି ହୋଇଥିଲା ଯେ, ଦୂର ସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ରାଜପଥରେ ଜଳ କିଓସ୍କ ସ୍ଥାପନ କରି ପାନୀୟ ଜଳ ଯୋଗାଇ ଦିଆଯିବ। ଓଭର୍‌ଲୋଡିଂ, ବସ୍‌ ଛାତ ଉପରେ ବସି ଯାତ୍ରା କରିବା ଏବଂ ଝୁଲନ୍ତା ଅବସ୍ଥାରେ ଯାତ୍ରୀ ନେଉଥିବା ଯାନଠାରୁ ଜରିମାନା ଆଦାୟ କରାଯିବ । ଆର୍‌ଟିଓ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟ କରିବ । 

ଏଥିସହ ଓଡ଼ିଶାରୁ ଯାତ୍ରୀ ନେଇ ଯାଉଥିବା ପଡ଼ୋଶୀ ରାଜ୍ୟରେ ଗ୍ରୀଷ୍ମ ସ୍ଥିତି ମୁକାବିଲା ପାଇଁ ଏଭଳି ପଦକ୍ଷେପ ନେବାକୁ ଏସ୍‌ଟିଏ ପକ୍ଷରୁ ଅନୁରୋଧ ମଧ୍ୟ କରାଯାଇଛି । ଏ ଦିଗରେ ବ୍ୟାପକ ସଚେତନତା ପାଇଁ ବସ୍‌ ଏବଂ ଟ୍ରକ୍‌ ମାଲିକ ସଂଘ ସହଭାଗିତାରେ ହେଲ୍‌ପଲାଇନ୍‌ ନମ୍ବର ଯୋଗାଇ ଦିଆଯିବ । ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷା ଉପରେ ଜନସଚେତନତା ଅଭିଯାନ କରାଯାଇ ବସ୍‌ ଏବଂ ଟ୍ରକ୍‌ ମାଲିକ ସଂଘ, ସ୍ଥାନୀୟ ଏନଜିଓମାନଙ୍କୁ ସାମିଲ କରାଯିବ । ଆବଶ୍ୟକସ୍ଥଳେ ବିଭିନ୍ନ ବସ୍‌ ଷ୍ଟାଣ୍ଡରେ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଏନ୍‌ଫୋର୍ସମେଣ୍ଟ ଦଳ ସହ ଡାକ୍ତରଙ୍କୁ ପଠାଯିବ । ଏ ସମ୍ବନ୍ଧୀୟ ସମସ୍ୟା ଆଲୋଚନା ଏବଂ କାର୍ଯ୍ୟ ପରିଚାଳନା ପାଇଁ ନିୟମିତ ବୈଠକ ହେବ । ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ସମୟ ସକାଳ ୧୧ଟା ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଯାତ୍ରୀବାହୀ ଯାନଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯିବ । କୌଣସି ପ୍ରତିକୂଳ ପରିସ୍ଥିତିରେ ଆର୍‌ଟିଓ, ଏଆର୍‌ଟିଓ ଗୁଡ଼ିକୁ ଜିଲ୍ଲା ପ୍ରଶାସନ ଏବଂ ଏସ୍‌ଟିଏ ସହିତ ଯୋଗାଯାଗ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।