ଝାରସୁଗୁଡ଼ା,୧୬/୦୮: ବେଙ୍ଗାଲୁରୁ ଓ ଝାରସୁଗୁଡ଼ା ମଧ୍ୟରେ  ଆସନ୍ତା ୨୩ ତାରିଖ ଠାରୁ ଦ୍ୱିତୀୟ ବିମାନ ଚଳାଚଳ କରିବ । ଷ୍ଟାର୍‌  ଏୟାର ପକ୍ଷରୁ ପ୍ରକାଶିତ ସମୟ ସାରଣୀରେ ଏନେଇ ସୂଚନା  ମିଳିଛି । ବେଙ୍ଗାଲୁରୁ-ଝାରସୁଗୁଡ଼ା ସେକ୍ଟରରେ ପୂର୍ବରୁ ଇଣ୍ଡିଗୋ  ପକ୍ଷରୁ ବିମାନ ସେବା ଜାରି ରହିଥିବା ବେଳେ ଏବେ ଷ୍ଟାର୍‌ ଏୟାର  ଏହି ସେକ୍ଟରରେ ବିମାନ ଚଳାଚଳ ଲାଗି ନେଇଥିବା ପଦକ୍ଷେପ  ଯାତ୍ରୀ ମହଲରେ ଖୁସି ସଞ୍ଚାର କରିଛି ।  

ଘୋଷିତ ନୂତନ ସମୟ ସାରଣୀ ଅନୁଯାୟୀ ଚଳିତ  ମାସ ୨୩ ତାରିଖ ଦିନ ଷ୍ଟାର୍‌ ଏୟାରର ବିମାନ ବେଙ୍ଗାଲୁରୁ  ବିମାନବନ୍ଦରରୁ ଅପରାହ୍ନ ୩ ଟା ୩୫ ମିନିଟରେ ଉଡ଼ାନ ଭରିବ ।  ଯାହାକି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ  ଅପରାହ୍ନ ୫ଟା ୪୫ ମିନିଟରେ ପହଞ୍ଚିବ । ସେହିପରି  ଝାରସୁଗୁଡ଼ାରୁ ରାତ୍ରୀ ୮ଟା ୪୦ ମିନିଟରେ ବିମାନ ବେଙ୍ଗାଲୁରୁ  ଅଭିମୁଖେ ଯାତ୍ରା କରିବା ସହ ଲକ୍ଷ୍ୟ ସ୍ଥଳରେ ୧୦ଟା ୫୦  ମିନିଟରେ ପହଞ୍ଚିବ । ସପ୍ତାହର ଗୁରୁବାର ଏବଂ ଶନିବାର ଦିନ  ଏହି ବିମାନ ଚଳାଚଳ କରିବ । ୨୩ ଅଗଷ୍ଟରୁ ୨୫ ଅକ୍ଟୋବର  ଯାଏ ଏହି ସମୟରେ ବିମାନ ଚଳାଚଳ କରିବ ।   

ସେହିପରି ଆସନ୍ତା ୧୬ ତାରିଖ ଠାରୁ ଭୁବନେଶ୍ୱର-ଝାରସୁଗୁଡ଼ା ସେକ୍ଟରରେ ବିମାନ ସେବା ଆରମ୍ଭ କରିବ  ଷ୍ଟାର୍‌ ଏୟାର । ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ରାତ୍ରୀ ୭ଟା  ୨୦ ମିନିଟରେ ବିମାନ ଉଡ଼ିବା ସହ ଭୁବନେଶ୍ୱରରେ ରାତ୍ରୀ  ୮ଟା ୦୫ ମିନିଟରେ ପହଞ୍ଚିବ । ଭୁବନେଶ୍ୱରରୁ ଝାରସୁଗୁଡ଼ା  ଅଭିମୁଖେ ରାତ୍ରୀ ୮ଟା ୩୦ ମିନିଟରେ ବିମାନ ଉଡ଼ିବା ସହ  ଝାରସୁଗୁଡ଼ାରେ ୯ଟା ୧୫ ମିନିଟରେ ପହଞ୍ଚିବ । ଷ୍ଟାର୍‌ ଏୟାର ପକ୍ଷରୁ ଝାରସୁଗୁଡ଼ା ଦେଇ ହାଇଦ୍ରାବାଦ, ଲକ୍ଷ୍ନୌ, ରାୟପୁରକୁ  ବିମାନ ଚଳାଚଳ ପୂର୍ବରୁ ଜାରି ରହିଥିବା ବେଳେ ନୂତନ ସମୟ  ସାରଣୀ ଘୋଷଣା କରାଯାଇଛି ଯାହାକି ୨୩ ଅଗଷ୍ଟରୁ ୨୫  ଅକ୍ଟୋବର ଯାଏ କାର୍ଯ୍ୟକାରୀ ହେବ ।