ମାଣ୍ଡିଆ ବିଜନେସ୍ କରି ୨୩ ବର୍ଷିୟା ପଲକଙ୍କ ସଫଳତା, କୃଷକଙ୍କ ପାଲଟିଲେ ସାହାରା

ନୂଆଦିଲ୍ଲୀ ୨୫/୦୫: ସଫଳତା ଓ ବ୍ୟବସାୟ ପାଇଁ ବୟସର ମାପକାଠି ଦରକାର ନାହିଁ । ଦରକାର କେବଳ ମାନସିକତା । ଆଉ ମନୋବଳ । ଯଦି ଦୃଢମନା ହୋଇଥିବେ, ତେବେ ଶିଖର ଆଦୌ ଦୂର ନୁହେଁ । ଏମିତି ଜଣେ ଉଚ୍ଚମନା ଓ ସ୍ଥିରଚିତ୍ତ ହେଲେ ପଲକ ଅରୋରା । ମାତ୍ର ୨୩ ବର୍ଷର ପଲକ ମାଣ୍ଡିଆ ବ୍ୟବସାୟ କରି କେବଳ ଲୋକମାନଙ୍କୁ ରୋଜଗାର ଦେଇ ନାହାନ୍ତି, ବରଂ ଚାଷୀମାନଙ୍କ ପାଇଁ ମଧ୍ୟ ସାହାର ସାଜିଛନ୍ତି । କୋଭିଡ୍ ସମୟରେ ଲୋକେ ଚାକିରି ହରାଉଥିବା ବେଳେ ନିଜକୁ ସୁସ୍ଥ ରଖିବା ଚ୍ୟାଲେଞ୍ଜ ହୋଇପଡିଥିବା ସମୟରେ ସୁପରଫୁଡ୍ ବ୍ୟବସାୟ ଆରମ୍ଭ କରିଥିଲେ ଫୁଡ୍ ଟେକ୍ନୋଲୋଜିଷ୍ଟ ପଲକ । ଏଭଳି ଚ୍ୟାଲେଞ୍ଜିଂ ପରିସ୍ଥିତିରେ ପଲକ ସମସ୍ୟାର ସମାଧାନ ଖୋଜିବା ସହ ନୂଆ ଷ୍ଟାଟ୍ଅପ୍ ‘ସଦ୍ଗୁରୁ ସୁପର୍ ଫୁଡ୍’ ଆରମ୍ଭ କରନ୍ତି ।

ପଲକ୍ କହନ୍ତି, ‘ ଏଠାରେ ଆମେ ମାଣ୍ଡିଆ ଓ ବିଭିନ୍ନ ଡାଲିଜାତୀୟ ଶସ୍ୟର ଗଜା କରି ଏହାକୁ ରେଡି ଟୁ ଇଟ୍ ପ୍ରଡକ୍ଟ ଭାବେ ପ୍ରସ୍ତୁତ କରିଥାଉ । ତାହା ପୁଣି ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ । ଏ ସମସ୍ତ ଉତ୍ପାଦକୁ ଅଧିକ ଦିନ ସଂରକ୍ଷିତ ରଖିବା ପାଇଁ କୌଣସି ରସାୟନିକ ସଂରକ୍ଷକର ବ୍ୟବହାର କରାଯାଇ ନଥାଏ । ତଥାପି ଏହି ଖାଦ୍ୟକୁ ୩ ମାସ ଯାଏ ବ୍ୟବହାର କରିପାରିବେ ।’ ଏହି ଖାଦ୍ୟ ଖୁବ୍ କମ୍ ସମୟ ଭିତରେ ପ୍ରସ୍ତୁତ ହୋଇଥାଏ । ବିଭିନ୍ନ ଶସ୍ୟର ଗଜା ବ୍ୟତୀତ ତାଙ୍କ ପ୍ରସ୍ତୁତ ଖାଦ୍ୟ ମଧ୍ୟରେ ରହିଛି ଚିଲ୍ଲା, ବାଜରା ମେଥି ପୁରି, ପୁଲାଓ ଓ ବିଟ୍ ରୁଟ୍ ଇଡଲୀ ପରି ମଜାଦାର ଉତ୍ପାଦ । ଏହା ପ୍ରସ୍ତୁତି ପାଇଁ ୧୦ରୁ ୨୦ ମିନିଟ୍ ସମୟ ଲାଗିଥାଏ ।

ଏମିତି ତିଆରି ହୁଏ ଖାଦ୍ୟ :
ଏସବୁ ଖାଦ୍ୟ ତିଆରି ପାଇଁ ପ୍ରଥମେ ମାଣ୍ଡିଆ ସହ ବିଭିନ୍ନ ଶସ୍ୟକୁ ସଂଗ୍ରହ କରାଯାଇଥାଏ । ଏସବୁକୁ ସଫା କରି ପରେ ଭିଜାଇ ରଖାଯାଇଥାଏ । ପରେ ନିୟନ୍ତ୍ରିତ ତାପମାତ୍ରାରେ ଏହାକୁ ରଖି ଗଜା ପ୍ରସ୍ତୁତ କରାଯାଏ । ପରେ ସୋଲାର ଡ୍ରାୟରରେ ଶୁଷ୍କ କରାଯାଇଥାଏ । ଏବେ ଏହାକୁ ଖାଦ୍ୟ ପ୍ରସ୍ତୁତ ନିୟମ ଅନୁସାରେ ‘ରେଡି ଟୁ ଇଟ୍’ ଉତ୍ପାଦ ଭାବେ ପ୍ରସ୍ତୁତ କରାଯାଇଥାଏ । ସମ୍ପୂର୍ଣ୍ଣ ପ୍ରାକୃତିକ ପ୍ରଣାଳୀ ଅବଲମ୍ବନ କରି ପ୍ୟାକ୍ କରିବା ଯାଏ ୭/୮ ଦିନ ସମୟ ଲାଗିଥାଏ । ଶସ୍ୟରୁ ଗଜା ବାହାରିବା ପାଇଁ ୩/୪ ଦିନ ସମୟ ଲାଗିଥାଏ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟ ପ୍ରଣାଳୀ ପାଇଁ ସମୁଦାୟ ୭ରୁ ୧୦ ଦିନ ସମୟ ଲାଗିଥାଏ । ପ୍ରତ୍ୟେକ ଲୋକ ମାଣ୍ଡିଆକୁ ନିଜ ଡାଏଟ୍ରେ ନିଶ୍ଚୟ ସାମିଲ୍ କରିବା ଆବଶ୍ୟକ । ଏହା ଶରୀରକୁ ସୁସ୍ଥ ରଖିଥାଏ । କିନ୍ତୁ ଠିକ୍ ଉପାୟରେ ଖାଇବା ଉଚିତ୍ । ମାତ୍ର ୨୩ ବର୍ଷ ବୟସରେ ପଲକଙ୍କ ଚିନ୍ତାଧାରା ପାରମ୍ପରିକ ଶସ୍ୟକୁ ଏକ ନୂଆ ଶିଖରରେ ପହଞ୍ଚାଇବାର ବାଟ ଦେଖାଇଛି ।

ବ୍ୟବସାୟର ଆଇଡିଆ :
ଏହି ଷ୍ଟାଟଅପ୍ କେବଳ କୃଷକଙ୍କ ସମସ୍ୟା ଦୂର କରିନାହିଁ ବରଂ ସେ ୭ ଜଣ ଲୋକଙ୍କୁ ସିଧାସଳଖ ରୋଜଗାର ମଧ୍ୟ ଯୋଗାଇପାରିଛି । ଏହାବ୍ୟତୀତ ଖାଦ୍ୟ ସପ୍ଲାଇ କରିବା ପାଇଁ ବହୁ ଲୋକଙ୍କୁ ରୋଜଗାର ଦେଇପାରିଛନ୍ତି ପଲକ । ସେ କହନ୍ତି, ‘୨୦୨୦ରେ ଲକ୍ଡାଉନ୍ ସମୟରେ ମାର୍କେଟ୍ରେ ଚାକିରି ଦୁନିଆରେ ଖୁବ୍ ମାନ୍ଦାବସ୍ଥା ଦେଖା ଦେଇଥିଲା । ତେଣୁ ଲୋକମାନଙ୍କ ପାଇଁ କିଛି କରିବାର ଲକ୍ଷ୍ୟ ନେଇ ମୁଁ ଏହି ବ୍ୟବସାୟ ଆରମ୍ଭ କରିଥିଲି । ଆଜି ତାହା ସଫଳ ହୋଇପାରିଛି ।’