ଭୁବନେଶ୍ୱର,୩୦/୦୭: ଏଣିକି ରାଜ୍ୟରେ ଓଡ଼ିଆ ଭାଷା ପାଇଁ କାମ କରିବ ‘ଭାଷା ଟାସ୍କ୍‌ ଫୋର୍ସ’। ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ପତିଆରା ଦେଖାଇବ ଓଡ଼ିଆ ଭାଷା। ପ୍ରସ୍ତୁତ ହେବ ୧୫ ଜନଜାତି କିମ୍ବଦନ୍ତୀ ବରପୁତ୍ରଙ୍କ ଜୀବନୀ। ବିଶେଷଜ୍ଞମାନଙ୍କୁ ନେଇ ଗଢ଼ା ହେବ କମିଟି ।  ପରେ ବିଭିନ୍ନ ବିଷୟକୁ ଚର୍ଚ୍ଚା, ଆଲୋଚନା ଏବଂ ତର୍ଜମା ପରେ ପ୍ରସ୍ତାବ ରଖିବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ । କିନ୍ତୁ ଟାସ୍କ୍‌ ଫୋର୍ସ ସମ୍ପର୍କରେ ନିଷ୍ପତ୍ତି ନେବେ ସରକାର । ତେବେ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟ ହେବ । ଓଡ଼ିଆ ଭାଷାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏଭଳି ଏକ ବିଶ୍ୱାୟନ କାର୍ଯ୍ୟକୁ ସରକାର ବାସ୍ତବରେ କରିବାକୁ ଯାଉଛନ୍ତି  ପରିଣତ।

ବିଶେଷକରି ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଓଡ଼ିଆ ଭାଷାର ସୁରକ୍ଷା ଏବଂ ପ୍ରଚାର, ପ୍ରସାର ପାଇଁ ଏହି ‘ଭାଷା ଟାସ୍କ ଫୋର୍ସ’ ପ୍ରତିଷ୍ଠା ହେବ । ଓଡ଼ିଶା ସରକାର ବିକଶିତ ଭାରତ ୨୦୪୭ ପାଇଁ ବିକଶିତ ଓଡ଼ିଶା-୨୦୩୬ ଲାଗି ଯେଉଁ ପରିକଳ୍ପିତ ଯୋଜନା କରିଛନ୍ତି, ସେଥିରେ ଏହି ଟାସ୍କ ଫୋର୍ସ ଗଠନ ନେଇ ସୂଚିତ କରିଛନ୍ତି । ‘ଭାଷା ଟାସ୍କ ଫୋର୍ସ’ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ପ୍ରଥମତଃ ଓଡ଼ିଆ ଏନ୍‌ସାଇକ୍ଲୋପିଡିଆ ପ୍ରକାଶ ପାଇବ । ଏହାଦ୍ୱାରା ରାଜ୍ୟର ଆଞ୍ଚଳିକ ଭାଷା ସହ ବ୍ୟାକରଣର ସୁରକ୍ଷା ଓ ସଂରକ୍ଷଣ କାର୍ଯ୍ୟ ହେବ । କାରଣ ରାଜ୍ୟର ପ୍ରତି ଜିଲ୍ଲା, ପ୍ରତି ଅଞ୍ଚଳରେ ଭିନ୍ନ ଭିନ୍ନ ଭାଷା ରହିଛି । ଏଠି ୬୨ ପ୍ରକାରର ଜନଜାତି ଓ ୧୩ ପ୍ରକାର ଅତି ପ୍ରାଚୀନ ଜନଜାତି ଥିବାବେଳେ ସେମାନଙ୍କର ୨୧ଟି ଭାଷା ରହିଛି । ତାକୁ ପୁଣି ୭୪ଟି ଉପଭାଷାରେ ବିଭକ୍ତ କରାଯାଇଛି । 

ଏହାଛଡ଼ା ରାଜ୍ୟର ଯେ କୋଣକୁ ଯିବେ ସେଠି ଗୋଟିଏ ନୂଆ ଭାଷା ନିଶ୍ଚିତ ପାଇବେ ଆଉ ପ୍ରତି କିଲୋମିଟରରେ ନୂଆ ଶବ୍ଦ । ଭାଷାକୁ ନେଇ ଆମ ଚାଲିଚଳଣି ଏମିତି ଯେ, ଗୋଟିଏ ଜିନିଷ ନାମକରଣ ବି ୩୦ ଜିଲ୍ଲାରେ ୩୦ ପ୍ରକାରର ପାଇବେ । କିଛି ଦିନ ପୂର୍ବରୁ ଓଡ଼ିଆ ଭାଷା ପ୍ରତିଷ୍ଠାନ ତାକୁ ସାଉଁଟି ଏକ ବୃହତ୍‌ ଅଭିଧାନ ପ୍ରକାଶ କରିଥିଲା । ଏବେ ଏନ୍‌ସାଇକ୍ଲୋପିଡିଆ ହେଲେ ସେଥିରେ ସବୁ ରହିବ । ଓଡ଼ିଆ ସହ ଆଞ୍ଚଳିକ ଭାଷା ଏବଂ ଲିପିଗୁଡିକର ଇତିହାସ, ଉତ୍ପତ୍ତିକୁ ନେଇ ଗବେଷଣା ପର୍ଯ୍ୟନ୍ତ ସବୁ ଗୋଟିଏ ସୂତ୍ରରୁ ଜାଣି ହେବ । ଡିଜିଟାଲ୍‌ ଦୁନିଆରେ ବି ଓଡ଼ିଆ ଭାଷାର ବ୍ୟବହାର ବଢ଼ିବ । ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ଓଡ଼ିଆ ଭାଷା ତା’ର ପତିଆର ଦେଖାଇବ । ଇଣ୍ଟରନେଟ୍‌ରେ ଉପଲବ୍ଧ ହେବ ଓଡ଼ିଆ ଭାଷାରେ ସମସ୍ତ ତଥ୍ୟ । ଏକ ଯୁଗାନ୍ତକାରୀ ପରିବର୍ତ୍ତନ ସହ ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ଶୀର୍ଷରେ ପହଞ୍ଚିବ ଓଡ଼ିଆ ଭାଷା । ପ୍ରାଥମିକ ପଦକ୍ଷେପ ସ୍ୱରୂପ ୪.୫ ଲକ୍ଷ ଲିଖିତ ଭାଷାକୁ କ୍ଲାଉଡ୍‌ରେ ଯୋଡ଼ିବାକୁ ସରକାର ଯୋଜନା କରୁଛନ୍ତି । ଏ ନେଇ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ ସହ ଅଧିକ ଯୋଡ଼ିବା ଲାଗି ଟାସ୍କ ଫୋର୍ସ ରହିଛି । 

ଏହାଦ୍ୱାରା ଡିଜିଟାଲ୍‌ରେ ଓଡ଼ିଆ ଭାଷାର ଠିକ୍‌ ଅନୁବାଦ ସହ ସହଜ, ସରଳ ବ୍ୟବହାର ଲାଗି ଉନ୍ନତ ଭିତ୍ତିଭୂମି ଲାଗି ଗୁଗଲ୍‌କୁ ନିବେଦନ କରାଯିବ । ଗତ ୨୫ ତାରିଖ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠା ଦିବସରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ଡିଜିଟାଲ୍‌ ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ଲାଟ୍‌ଫର୍ମରେ ଓଡ଼ିଆ ଭାଷାକୁ ଯୋଡ଼ି ବିଶ୍ୱବିଦିତ ପାଇଁ ସରକାର ଯୋଜନା କରୁଛନ୍ତି । ଏହାଛଡ଼ା ଉତ୍ତରପିଢ଼ିଙ୍କୁ ଆମ ମହାନାୟକମାନଙ୍କ ସହ ପରିଚିତ କରିବା ଲାଗି ରାଜ୍ୟର ଜନଜାତି ସମ୍ପ୍ରଦାୟର କିମ୍ବଦନ୍ତୀ ବରପୁତ୍ରଙ୍କ ଜୀବନ କାହାଣୀକୁ ପୁସ୍ତକ ଆକାରରେ ପ୍ରକାଶ କରାଯିବ । ମହାନ ବିପ୍ଲବୀ, ସଂଗ୍ରାମୀ ରେଣ୍ଡୋ ମାଝୀ, ଚକରା ବିଷୋୟୀଙ୍କଠୁ ନେଇ ୧୫ ଜଣ ମହାନ୍‌ ମହାନାୟକଙ୍କ ଜୀବନୀକୁ ପ୍ରସ୍ତୁତ କରାଯିବ । 

ସେହିପରି ୨୦ଟି ଆଞ୍ଚଳିକ କାଳଜୟୀ ଗ୍ରନ୍ଥର ଫାଷ୍ଟ୍‌ଟ୍ରାକ୍‌ ଅନୁବାଦ ହେବ । ମହାଭାରତ, ଭାଗବତ, ରାମାୟଣ, ଲକ୍ଷ୍ମୀ ପୁରାଣ ଏବଂ ବିବିଧ ଭାଷାରେ ଥିବା ବହୁ ପ୍ରାଚୀନ ଓ ବିରଳ ପାଣ୍ଡୁଲିପିର ଅନୁବାଦ ହେବ । ଏହାଦ୍ୱାରା ଆମ ମହିମା ମଣ୍ଡିତ ଗର୍ବ, ଗୌରବ ଓଡ଼ିଆ ଭାଷା ତା’ର କାହାଣୀ ସହ ବିଶ୍ୱ ଦରବାରରେ ପହଞ୍ଚିବ । ଲୁଚି ରହିଥିବା ଗରିମା, ମାଧୁର୍ଯ୍ୟକୁ ଅତି ଚମତ୍କାର ଢ଼ଙ୍ଗରେ ଉପସ୍ଥାପନ କରିହେବ । ଏଥିପାଇଁ ସରକାର ଅନୁବାଦ ଏକାଡେମୀ ଗଢ଼ିଛନ୍ତି । ଆଗାମୀ ଦିନରେ ଏକାଡେମୀ ତା’ର କାର୍ଯ୍ୟ କରିବ । ଯେହେତୁ ସରକାର ୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ସହ ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛନ୍ତି, ଏସବୁ କାର୍ଯ୍ୟ ତା’ ମଧ୍ୟରୁ ଅନ୍ୟତମ ।