PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ରାଜ୍ୟଗୋଷ୍ଠୀ ଟିଟି ଆରମ୍ଭରୁ ବିଭ୍ରାଟ; ବସ୍‌ ପାଇଁ ହଟହଟା ବିଦେଶୀ ଖେଳାଳି

କଟକ,୧୭ା୭(ବ୍ୟୁରୋ): କୁହାଯାଇଥିଲା ସକାଳ ୮ଟା ୧୫ ମିନିଟ୍‌ରେ ହୋଟେଲ୍‌ରୁ ବସ୍‌ ଛାଡ଼ିବ । ଖେଳାଳିମାନେ ସେହି ହିସାବରେ ନିଜ ନିଜ କିଟ୍‌ ବ୍ୟାଗ୍‌ ସହ ହୋଟେଲ୍‌ ବାହାରେ ଛିଡ଼ା ହେଲେ । କିନ୍ତୁ ବସ୍‌ ଆସିଲା ନାହିଁ । ପ୍ରାୟ ୪୦ ମିନିଟ୍‌ ଧରି ସେମିତି ରାସ୍ତାରେ ଛିଡ଼ା ହେଲେ । ପରେ ବସ୍‌ ଆସିଲା । ଖେଳାଳିମାନେ କଟକ ଆସି ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ । ଏହା କେବଳ ଆଜିର ଘଟଣା ନୁହେଁ ଗତକାଲି (ମଙ୍ଗଳବାର) ରାତିରେ ଅନ୍ୟ ଏକ ହୋଟେଲକୁ ଖେଳାଳି ମାନଙ୍କୁ ଡିନର୍‌ ପାଇଁ ନିଆଯାଇଥିଲା । କିନ୍ତୁ ସେଠାରେ କେତେଜଣଙ୍କୁ ବସ୍‌ ଛାଡ଼ି ଦେଇ ପଳାଇ ଆସିଥିଲା । ଖେଳାଳି ମାନେ ରାତିରେ ‘ଓଲା’ ବୁକ୍‌ କରି ହୋଟେଲକୁ ଫେରିଲେ । ରାଜ୍ୟଗୋଷ୍ଠୀ ଟେବୁଲ୍‌ ଟେନିସ୍‌ ଚାମ୍ପିଅନ୍‌ସିପ୍‌ରେ ଯୋଗ ଦେଇଥିବା ବାଂଲାଦେଶୀ ଖେଳାଳିମାନେ ଏଭଳି ହଟହଟା ହୋଇଛନ୍ତି ।

ଘଟଣା ନେଇ ଖୋଦ୍‌ ଅଧିନାୟକ ମାନସ ଚୌଧୁରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତାଙ୍କ କହିବା କଥା ହେଲା, ରାଜ୍ୟଗୋଷ୍ଠୀ ଟେବୁଲ୍‌ ଟେନିସ୍‌ ଭଳି ଏତେ ବଡ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ଏଭଳି ତ୍ରୁଟି ରହିବା ଆଦୌ ଗ୍ରହଣୀୟ ନୁହେଁ । ପୂର୍ବରୁ ଆମେ ଅନେକ ଦେଶ ଯାଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛୁ । ସେଠାରେ ଏଭଳି ଅବ୍ୟବସ୍ଥା ନଥାଏ । ଆମେ ଯେତେବେଳେ ଖେଳିବାକୁ ଯାଉ ତା’ର ଢେର ପୂର୍ବରୁ ବସ୍‌ ରହିଥାଏ । ଏମିତିକି ଯଦି ବ୍ୟକ୍ତିଗତ ଭାବେ ମୋର ଅଭ୍ୟାସ କରିବାର ଥାଏ ତେବେ ସେତେବେଳେ ବି ବସ୍‌ କିମ୍ବା ଅନ୍ୟ ଯାନର ସୁବିଧା ମିଳିଥାଏ । କିନ୍ତୁ ଏଠାକୁ ଆସି ଏସବୁ ସୁବିଧା ସୁଯୋଗ ଆମକୁ ମିଳୁନାହିଁ ବୋଲି ଅଭିଯୋଗ ଆଣିଛନ୍ତି ସେ । ପ୍ରତ୍ୟକ୍ଷ ହେଉ ବା ପରୋକ୍ଷରେ ଏହା ଆମ ପ୍ରଦର୍ଶନ ଉପରେ ପ୍ରଭାବ ପକାଇବ । କାରଣ ବିଳମ୍ବରେ ଆସିବା ଯୋଗୁଁ ଆମେ ୱାର୍ମଅପ୍‌ ବା ଅଭ୍ୟାସ କରିବାର ସୁଯୋଗ ପାଇପାରିନାହୁଁ । ଯାହା ମ୍ୟାଚ ଉପରେ ଆମକୁ ଦୁର୍ବଳ ସାବ୍ୟସ୍ତ କରିଛି ବୋଲି ବାଂଲାଦେଶ ଅଧିନାୟକ ମାନସ ଚୌଧୁରୀ ଯୁକ୍ତି ବାଢ଼ିଛନ୍ତି । କେବଳ ବାଂଲାଦେଶ ନୁହେଁ ଅନ୍ୟ କିଛି ଦେଶର ଖେଳାଳି ମାନେ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ଘଟଣାକୁ ଚାପିବାକୁ ଉଦ୍ୟମ କରାଯାଉଥିବାବେଳେ ଖେଳାଳି ମାନଙ୍କୁ ମିଡିଆ ସାମ୍ନାରେ ଏ ବିଷୟରେ କିଛି କହିବାକୁ ମନା କରାଯାଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ରାଜ୍ୟଗୋଷ୍ଠୀ ଟେବୁଲ୍‌ ଟେନିସ୍‌ ଚାମ୍ପିଅନ୍‌ସିପ୍‌ ପାଇଁ ରାଜ୍ୟ କ୍ରୀଡ଼ା ବିଭାଗ ତରଫରୁ ଦୀର୍ଘ ଦିନ ଧରି ପ୍ରସ୍ତୁତି ଚାଲିଛି । ଛୋଟରୁ ଅତି ଛୋଟ କଥାକୁ ବିଭାଗୀୟ ଅଧିକାରୀ ମାନେ ଗୁରୁତ୍ୱ ଦେଉଛନ୍ତି । ଏ ନେଇ ଦୀର୍ଘ ଦିନ ଧରି ଆଲୋଚନା, ପର୍ଯ୍ୟାଲୋଚନା, ଯାଞ୍ଚ୍‌, ସମୀକ୍ଷା ବି ଚାଲିଛି । ବିଶେଷ କରି ଭୁବନେଶ୍ୱରରୁ କଟକ ଯା’ଆସ ପାଇଁ ବିଶେଷ ସୁବିଧା ସୁଯୋଗ ସୃଷ୍ଟି କରାଯାଇଥିଲା । ଏମିତିକି
ଖେଳାଳିଙ୍କୁ ନେବା ଆଣିବା କରିବା ପାଇଁ ୮ଟି ବିଳାସପୂର୍ଣ୍ଣ ବସ୍‌ ବ୍ୟବସ୍ଥା ବି ହୋଇଥିଲା । କୁହାଯାଇଥିଲା, ପ୍ରତି ଘଣ୍ଟାରେ ଭୁବନେଶ୍ୱରରୁ କଟକ, ପୁଣି କଟକରୁ ଭୁବନେଶ୍ୱର ବସ୍‌ ଗଡ଼ିବ । ଖେଳାଳିଙ୍କ ସୁବିଧା ଅନୁଯାୟୀ ସେମାନେ କଟକ ଆସି ଅଭ୍ୟାସ କରିବେ । କାରଣ ଯେତେ ଆୟୋଜନ ହେଉ ନା କାହିଁକି ଖେଳ ଏବଂ ଖେଳାଳିଙ୍କ ସୁବିଧା ହେଉଛି ପ୍ରାଥମିକତା । କିନ୍ତୁ ସବୁ ପରେ ବି ରାଜ୍ୟଗୋଷ୍ଠୀ ଟେବୁଲ୍‌ ଟେନିସ୍‌ର ପ୍ରଥମ ଦିନରୁ ଗମନାଗମନକୁ ନେଇ ଦେଖାଯାଇଥିବା ବିଭ୍ରାଟ ଆୟୋଜକଙ୍କ ସବୁ ଉଦ୍ୟମକୁ ପାଣିଚିଆ କରିଛି ।