ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଚିଲିକାଗସ୍ତ

ବାଲୁଗାଁ, ୨୩/୫: ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଚିଲିକାଗସ୍ତ କରିଛନ୍ତି । ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ବାଣିଜ୍ୟ ଓ ପରିବହନ ସ୍ୱତନ୍ତ୍ର ଶାସନ ସଚିବ ଲକ୍ଷ୍ମୀକାନ୍ତ ବେହେରା ଏବଂ ବନ୍ଦର ଓ ଅନ୍ତର୍ଦ୍ଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶକ ପଦ୍ମଲୋଚନ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ବଡ଼କୁଳ ପାନ୍ଥନିବାସଠାରେ ସହିଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା ଅନ୍ତର୍ଗତ ନୌଯାତ୍ରୀଙ୍କ ସୁରକ୍ଷା ପାଇଁ ଏକ ଜୀବନ ରକ୍ଷାକାରି ସରଞ୍ଜାମ ବିତରଣ ଉତ୍ସବ ଆୟୋଜିତ କରାଯାଇଥିଲା ।

ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା ଚିଲିକାରେ ଦୈନନ୍ଦିନ ନୌଯାତ୍ରା ସମୟରେ ନୌଚାଳକ ଓ ଯାତ୍ରୀଙ୍କୁ ସଚେତନତା କରିବା ସହ ବିଭିନ୍ନ ଜୀବନ ରକ୍ଷାକାରୀ ଉପକରଣ ତଥା ଲାଇଫବୟ, ଲାଇଫ ଜ୍ୟାକେଟ୍, ଅଗ୍ନି ନିର୍ବାପକ ଯନ୍ତ୍ର ଶ୍ରୀମତୀ ସାହୁ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ପର୍ଯ୍ୟାୟ କ୍ରମେ ବାଲୁଗାଁ ଓ ବଡ଼କୁଳସ୍ଥିତ ତିନୋଟି ମୋଟର ବୋଟ ଆସୋସିଏସନକୁ ୭,୦୦୦ ଲାଇଫବୟ, ୩୫,୦୦୦ ଲାଇଫ ଜ୍ୟାକେଟ୍ ଓ ୧୫୯୫ ଅଗ୍ନି ନିର୍ବାପକ ଯନ୍ତ୍ର ଯୋଗାଇଦେବାକୁ ଥିବାବେଳେ ଆଜି ୨୭୬ ଜଣ ଡଙ୍ଗା ମାଲିକଙ୍କୁ ଜୀବନ ରକ୍ଷାକାରୀ ଉପକରଣ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ସାରି ମନ୍ତ୍ରୀ ମା’ କାଳିଜାଇ ଦର୍ଶନ କରିବାକୁ ଯାଇଥିବା ବେଳେ ମଧ୍ୟାହ୍ନ ଭୋଜନ ସାରି ଭୁବନେଶ୍ୱରଗସ୍ତ କରିବା ନେଇ ଓଟିଡିସି କର୍ତ୍ତୃପକ୍ଷ ସବ୍ୟସାଚୀ କର ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ଗସ୍ତ ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ, ଏସପି ଏବଂ ସ୍ଥାନୀୟ ପ୍ରଶାସନ ଉପସ୍ଥିତ ଥିଲେ ।