ନୂଆଦିଲ୍ଲୀ, ୧୮/୧୨ : ଆଉ ନାହାଁନ୍ତି ପ୍ରଖ୍ୟାତ ଶିଳ୍ପୀ ପଦ୍ମ ଭୂଷଣ ରାମ ବନଜୀ ସୁତାର। ନିର୍ମାଣ କରିଥିଲେ ଦୁନିଆର ସବୁଠୁ ଉଚ୍ଚ ପ୍ରତିମା ଷ୍ଟାଚ୍ୟୁ ଅଫ ୟୁନିଟି। ବୁଧବାର ବିଳମ୍ଵିତ ରାତିରେ ନୋଏଡା ସ୍ଥିତ ବାସଭବନରେ ସେ ଇହଲୀଳା ସମ୍ଵରଣ କରିଛନ୍ତି। ଏନେଇ ତାଙ୍କ ପୁଅ ଅନିଲ ସୁତାର ସୂଚନା ଦେଇଛନ୍ତି। ଶତାୟୁ ରାମ ସୁତାର ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ।
୧୯୨୫ ଫେବୃଆରୀ ୧୯ରେ ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ଗୋନ୍ଦୁର ଗ୍ରାମରେ ଏକ ସାଧାରଣ ପରିବାରରେ ରାମ ସୁତାରଙ୍କ ଜନ୍ମ। ପିଲାଦିନରୁ ମୂର୍ତ୍ତି ତିଆରି ପ୍ରତି ତାଙ୍କର ଦୁର୍ବଳତା ଥିଲା। ସେ ମୁମ୍ଵାଇ ସ୍ଥିତ ଜେ.ଜେ ସ୍କୁଲ ଅଫ ଆର୍ଟ ଆଣ୍ଡ ଆର୍କିଟେକଚରରେ ପାଠ ପଢି ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ। ଭାରତୀୟ ମୂର୍ତ୍ତିକଳାକୁ ନୂଆ ଶିଖରକୁ ନେବା ଦିଗରେ ତାଙ୍କରେ ଉଲ୍ଲେଖନୀୟ ଅବଦାନ ରହିଛି।
ତାଙ୍କର ଐତିହ୍ୟ କୃତି
ସଂସଦ ପରିସରରେ ସ୍ଥାପିତ ଧ୍ୟାନମୁଦ୍ରାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମା ଏବଂ ଘୋଡ଼ା ଉପରେ ସବାର ହୋଇଥିବା ଛତ୍ରପତି ଶିବାଜୀ ମହାରାଜଙ୍କ ଭବ୍ୟ ପ୍ରତିମା ତାଙ୍କର ପ୍ରମୁଖ କୃତି। ଗୁଜରାଟରେ ସ୍ଥାପିତ ଷ୍ଟାଚ୍ୟୁ ଅଫ ୟୁନିଟି ତାଙ୍କର ଏକ ଐତିହ୍ୟ କୃତି। ଯାହାକି ଦେଶର ପ୍ରଥମ ଉପପ୍ରଧାନମନ୍ତ୍ରୀ ଏବଂ ତତ୍କାଳୀନ ଗୃହ ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ସମର୍ପିତ। ଷ୍ଟାଚ୍ୟୁ ଅଫ ୟୁନିଟି ତାଙ୍କୁ ବୈଶ୍ଵିକ ସ୍ତରରେ ପରିଚୟ ଦେଇଥିଲା।
ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ
ମୂର୍ତ୍ତି କଳାରେ ରାମ ସୁତାରଙ୍କ କାଳଜୟୀ ଯୋଗଦାନ ପାଇଁ ତାଙ୍କୁ ୧୯୯୯ରେ ପଦ୍ମଶ୍ରୀ ଓ ୨୦୧୬ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ମହାରାଷ୍ଟ୍ର ସରକାର ତାଙ୍କୁ ସର୍ବୋଚ୍ଚ ସମ୍ମାନ ମହାରାଷ୍ଟ୍ର ଭୂଷଣ ପୁରସ୍କାରରେ ସମ୍ମାନିତ କରିଥିଲେ। ରାମ ସୁତାରଙ୍କ ପରଲୋକରେ କଳା ଓ ସାଂସ୍କୃତିକ ଜଗତର ଅପୂରଣୀୟ କ୍ଷତି ହୋଇଛି। ତାଙ୍କର ଅନନ୍ୟ କୃତ୍ତି ଏବଂ ଧରୋହର ପରବର୍ତ୍ତୀ ପିଢି ପାଇଁ ପ୍ରେରଣା ଦେବ।